
ମାଲକାନଗିରି,୧୪/୧୨: ରାଜ୍ୟ ଓ ମାଲକାନଗିରି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦର ପଞ୍ଚାୟତ ସମ୍ବଳ କେନ୍ଦ୍ରରେ ଆପଦ ମିତ୍ର ସ୍ବେଚ୍ଛାସେବୀମାନଙ୍କ ପାଇଁ ଗତ ୧୨ ଦିନ ହେଲା ଦ୍ବିତୀୟ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗ ଦେଇ ବିଭିନ୍ନ ଗ୍ରାମରୁ ଆସିଥିବା ସ୍ବେଚ୍ଛାସେବୀମାନଙ୍କୁ ଗୋଷ୍ଠୀ ସହଯୋଗରେ ସେମାନଙ୍କର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ସଦାସର୍ବଦା ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ।ଏହାପରେ ଡେପୁଟି କଲେକ୍ଟର ସାଗରିକା ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଉମା ପ୍ରସାଦ ଦାସ କାର୍ଯ୍ୟକ୍ରମର ସୁଦୁରପ୍ରସାରୀ ଓ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପରେ ୧୨ ଦିନ ଧରି ଚାଲିଥିବା ପ୍ରଶିକ୍ଷଣର ଏକ ଭିଡିଓ ସ୍ବେଚ୍ଛାସେବୀମାନଙ୍କୁ ଦେଖାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ପୃଥୀବିରାଜ ନାୟକ, ଟୁଲୁ ପଡିଆମି, ବିନୟ କୁମାର ପଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରଶିକ୍ଷଣରେ ବାଲିମେଳା ଏବଂ ଚିତ୍ରକୋଣ୍ଡା ବ୍ଲକର ସ୍ବେଚ୍ଛାସେବୀମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ। ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବିଶେଷଜ୍ଞ ଶୁଭେନ୍ଦୁ ଧଳ ସଂଯୋଜନା କରିଥିବା ବେଳେ ରେଭୁନୁ କର୍ମୀ କୁନା ନାୟକ ସହଯୋଗ କରିଥିଲେ।