କଟକରେ ସ୍ୱେରଜ୍ ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ଓ ପୁଲିସ୍ ଠାରୁ ରିପୋର୍ଟ ତଲବ କଲେ ଏନଏଚଆରସି

ଗୃହ ଓ ନଗର ଉନ୍ନୟନ ସଚିବ ଏବଂ ପୁଲିସ୍ କମିଶନରଙ୍କୁ ନୋଟିସ୍
କଟକ ମହାନଗର ନିଗମ କମିଶନର୍ ଙ୍କୁ ମଧ୍ୟ ନୋଟିସ୍ ଜାରି
ଏନଏଚଆରସିରେ ମାମଲା କରିଥିଲେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ
ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
୨୦୨୧ ଅପ୍ରେଲ୍ ୧୫ ରେ ପ୍ରାଣ ହରାଇଥିଲେ ଦୁଇ ଶ୍ରମିକ

କଟକ: କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ୍ ଚାମ୍ବର ସଫା କରୁଥିବା ବେଳେ ଗତବର୍ଷ ଅପ୍ରିଲ୍ ମାସରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଖୋଳତାଡ ଆରମ୍ଭ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ । ଘଟଣାର ୨୦ ମାସ ପରେ କମିଶନ ତିନିଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣାରେ ସବିଶେଷ ରିପୋର୍ଟ ଦେବାକୁ କମିଶନ ଗୃହ ଓ ନଗର ଉନୟନ୍ନ ବିଭାଗ ପ୍ରମୁଖ ସଚିବ, କଟକ ମହାନଗର ନିଗମ କମିଶନର୍ ଓ ପୁଲିସ୍ କମିଶନର୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୧ ଅପ୍ରେଲ୍ ୧୫ ତାରିଖରେ ସଫା କରିବା ପାଇଁ ସ୍ୱେରେଜ୍ ଚାମ୍ବରରେ ପଶିଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣ ଗୁରୁତର ଆହତ ହୋଇଥିଲେ । ସାରା ଦେଶରେ ମାନୁଆଲ୍ ସ୍କାଭେଜିଂ(ମଣିଷମାନଙ୍କ ଦ୍ୱାରା ମଇଳା ସଫେଇ କାର୍ଯ୍ୟ)କୁ ନିଷେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି । ପୁନଶ୍ଚ କୌଣସି ନିରାପତ୍ତା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉନାହିଁ । କଟକ ମହାନଗର ନିଗମର ଚରମ ଅବହେଳା ଯୋଗୁଁ କଟକରେ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । କମିଶନ ଏହାକୁ ଗୁରୁତର ସହ ବିଚାର କରି କମିଶନ ଗୃହ ଓ ନଗର ଉନୟନ୍ନ ବିଭାଗ ପ୍ରମୁଖ ସଚିବ, କଟକ ମହାନଗର ନିଗମ କମିଶନର୍ ଓ ପୁଲିସ୍ କମିଶନର୍ ଙ୍କୁ ଜବାବ ମାଗିଛନ୍ତି । ତିନି ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ କମିଶନ ଏହି ତିନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ସରକାର ମାନୁଆଲ୍ ସ୍କାଭେଜିଂକୁ ସପୂର୍ଣ୍ଣ ଭାବେ ରୋକିବାକୁ ଚାହୁଁନାହାନ୍ତି । ଯାହାଫଳରେ ଅନେକ ଶ୍ରମିକ ପ୍ରାଣହରାଉଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି । ଏଭଳି ବେନିୟମ କାମ କରାଉଥିବା ଠିକାଦାର ଓ ଅଫିସରଙ୍କ ବିରୋଧରେ ଅପରାଧିକ ମାମାଲା କରିବାକୁ ସେ ଦାବି କରିଛନ୍ତି । ଆସନ୍ତା ଜାନୁୟାରୀ ୯ରେ ମାମାଲାର ପରବର୍ତ୍ତୀ ଶୁଣାଣୀ ହେବ ।

Leave A Reply

Your email address will not be published.