
ଫୁଲବାଣୀ, ୨୧/୨୨: ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଓଡିଶାରେ ହକି ଖେଳକୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ କରୁଥିବା ବେଳେ ଏପଟେ ଫୁଲବାଣୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଥିବା ଖେଳପଡିଆକୁ ନଷ୍ଟ କରି ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅତିରିକ୍ତ ହଷ୍ଟେଲ ଗୃହ ନିର୍ମାଣ କରିବା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି l ଫଳରେ ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ବର୍ତମାନ ଉକ୍ତ ପଡିଆରେ ଖେଳ ଚାଲିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ସିନିଅର ଟିସିଙ୍କ ଉପସ୍ଥିତିରେ ବୁଧବାର ଜେସିବି ଆଣି ଜୋର ଜବରଦସ୍ତ ଖେଳପଡିଆ ଭିତରେ ଫାଉଂଡେସନ ଖୋଳାଯାଉଥିବା ଦେଖିବାକୁ ମିଳିଛି l ହଷ୍ଟେଲ ନିର୍ମାଣ ପାଇଁ ଅନ୍ୟ ଖାଲି ସ୍ଥାନ ଥିବା ବେଳେ ହଷ୍ଟେଲ ଗୃହ ନିର୍ମାଣ ପାଇଁ ପଡିଆକୁ ଖୋଳିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି l ଠିକାଦାର ଓ ଯନ୍ତ୍ରୀ ମିଶି ଲକ୍ଷାଧିକ ଟଙ୍କା ହରିଲୁଟ କରିବାକୁ ଖେଳ ପଡିଆକୁ ନଷ୍ଟ କରି ଏଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି l ଅନ୍ୟ ଖାଲି ସ୍ଥାନଟି ଗାତ ହୋଇଥିବାରୁ ସେଠାରେ ଠିକାଦାରଙ୍କୁ ମାଟି ଭର୍ତ୍ତି କଲେ କାଳେ କ୍ଷତି ହେବ ଆଉ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ପିସି ମିଳିବନି ସେଥି ପାଇଁ ଯନ୍ତ୍ରୀ ଏଭଳି ହୀନ ଚକ୍ରାନ୍ତ କରୁଥିବା କୁହାଯାଉଛି l ଏ ନେଇ ଯନ୍ତ୍ରୀଙ୍କୁ ପଚାରିଲେ ଖେଳରୁ କଣ ମିଳିବ, ଆମର ଯେଉଁଠି ସୁବିଧା ସେଇଠି ହେବ ବୋଲି କହୁଛନ୍ତି l ଯାହାକି ହାସ୍ୟାସ୍ପଦ l ଜିଲ୍ଲାପାଳ ଖୋଦ ନିଜେ ଆସି ଦେଖନ୍ତୁ ଆଉ ସ୍ଥାନ ନିରୂପଣ କରନ୍ତୁ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି l ଏପଟେ ଆମ ପଡିଆ ନଷ୍ଟ କଲେ ଆମେ କେଉଁଠି ଖେଳିବୁ ବୋଲି କହୁଛନ୍ତି l ୫-ଟି ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟରେ ଖେଳପଡିଆର ଉନ୍ନତି କରଣ ପାଇଁ ଗତ କିଛି ମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସମତୁଲ କରି କ୍ରୀଡ଼ା ଉପଯୋଗୀ କରାଯାଇଥିଲା l ଏବେ ନଷ୍ଟ କରାଯାଉଥିବାରୁ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l