ନୂଆ ବର୍ଷରେ ମାଲକାନଗିରି ପର୍ଯ୍ୟଟନସ୍ଥଳୀ ଗୁଡିକରେ ଭିଡ: ଯଦୁଗୁଡା, ସତୀଗୁଡା ଇକୋପାର୍କ ସହ ଗୁରୁପ୍ରିୟାରେ ପ୍ରବଳ ଭିଡ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକରେ ଏବେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ନୂଆ ବର୍ଷରେ ଲୋକେ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବୁଲିବା ଏବଂ ଭୋଜି କରିବା ପାଇଁ ଆସୁଥିବା ଦେଖିବାକୁ ମିଳିଛି। ତେବେ ଜିଲ୍ଲାର ସତୀଗୁଡା ଓ ଯଦୁଗୁଡା ଇକୋପାର୍କକୁ ସବୁଠାରୁ ବେଶୀ ଲୋକେ ଯିବାକୁ ପସନ୍ଦ କରୁଛନ୍ତି। ସତୀଗୁଡା ମାଲକାନଗିରି ସହର ଠାରୁ ମାତ୍ର ୪ କିଲୋମିଟର ଦୁରରେ ଅବସ୍ଥିତ। ଏଠାରେ ଇକୋ ପାର୍କ ସହ ପିଲାଙ୍କ ପାଇଁ ଖେଳିବା ଓ ବୁଲିବାର ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏଠାରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି। ଯାହା ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏଥିସହ ସତୀଗୁଡା ଡ୍ୟାମରେ ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯାଇଛି।ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ କୋଟେଜଗୁଡିକ ମଧ୍ୟ ନିର୍ମାଣ କରାଯାଇଛି। ଅନଲାଇନରେ ଏହି କୋଟେଜରେ ରହିବା ପାଇଁ ବୁକିଂ କରିବାକୁ ପଡିବ। ସତୀଗୁଡା ପାର୍କ ମଧ୍ୟରେ ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ଲୋକେ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ଏଠାରେ ପାଇପାରିବେ। ବୁଲିବା ସହ ରିହିବା ଏବଂ ଖାଇବାର ମଜା ରହିଥିବାରୁ ଲୋକେ ଏଠାକୁ ଆସିବାକୁ ପସନ୍ଦ କରୁଛନ୍ତି। ଏଠାରେ ବଣଭୋଜି କରିବାର ମଜା ମଧ୍ୟ ରହିଥିବାରୁ ଲୋକେ ପୂର୍ବରୁ ଏଠାରେ ଭୋଜର ଆୟୋଜନ ମଧ୍ୟ କରୁଥିଲେ। କିନ୍ତୁ ଏବେ ଏହାକୁ ବନ୍ଦ କରାଯାଇଛି। ସ୍ଥାନୀୟ ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗ ଦ୍ବାରା ଏହା ପରିଚାଳିତ ହେଉଛି। ସେହିପରି ଯଦୁଗୁଡା ଠାରେ ରହିଥିବା ଇକୋ ପାର୍କ ଏବଂ ଗୁମ୍ଫା ମଧ୍ୟରେ ରହିଥିବା ଶିବ ମନ୍ଦିର ଲୋକଙ୍କୁ ଆକୃଷ୍ଟ କରୁଛି। ମାଲକାନଗିରି ସହରରୁ ଏହା ପ୍ରାୟ ୨୫ କିଲୋମିଟର ଦୁରରେ ପଡୁଥିବାରୁ ଦୁରଦୁରାନ୍ତରରୁ ଆସୁଥିବା ପର୍ଯ୍ୟଟକ ଏଠାକୁ ଯିବାକୁ ଇଛା ଥିଲେ ମଧ୍ୟ ବହୁ ପର୍ଯ୍ୟଟକ ଯାଇପାରୁନଥିବା ଦେଖିବାକୁ ମିଳିଛି। କିନ୍ତୁ ମାଲକାନଗିରି ଜିଲ୍ଲାରୁ ଶହ ଶହ ପର୍ଯ୍ୟଟକ ଏଠାକୁ ଆସନ୍ତି। ଏବେ ନୂଆ ବର୍ଷରେ ଏଠାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ବନ ବିଭାଗ ତରଫରୁ ଏଠାରେ ପିଲାଙ୍କ ବୁଲିବା, ଖେଳିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହିପରି ବଣଭୋଜି କରିବାର ସମସ୍ତ ବ୍ୟବସ୍ଥା ରହିଛି। ଏଥିସହ କୋଟେଜ ମଧ୍ୟ ରହିଛି। ତେବେ ଏହି ଦୁଇ ଇକୋପାର୍କ ସହ ଚିତ୍ରକୋଣ୍ଡା ଇକୋପାର୍କରେ ମଧ୍ୟ ଆନ୍ଧ୍ର ପ୍ରଦେଶରୁ ଶହ ଶହ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି। ମାଲକାନଗିରିକୁ ଛତିଶଗଡ, ଆନ୍ଧ୍ର ଏବଂ ତେଲେଙ୍ଗାନା ସମେତ ବିଭିନ୍ନ ଜିଲ୍ଲାରୁ ମଧ୍ୟ ପର୍ଯ୍ୟଟକ ଆସି ପରିଭ୍ରମଣ କରିବା ସହ ଏହାର ମଜା ଉଠାଉଛନ୍ତି। ଏଥିସହ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ଲୋକଙ୍କ ଭିଡ ବେଶ ଜମୁଛି ମାଲକାନଗିରିରୁ ପ୍ରାୟ ୭୦ କିଲୋମିଟର ପଡୁଛି ଗୁରୁପ୍ରିୟା। ମାଲକାନଗିରି ନଆସି ଗୋବିନ୍ଦପାଲ୍ଲୀସ୍ଥିତ ବାଲିମେଳା ଛକରୁ ମଧ୍ୟ ସିଧା ଗୁରୁପ୍ରିୟା ଯିବାର ସୁବିଧା ରହିଛି। ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ନକ୍ସଲ ଏହାକୁ ନିର୍ମାଣ କରାଇ ଦେଉନଥିଲେ। ତେଣୁ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି। ସଂଧ୍ୟା ସମୟରେ ଗୁରୁପ୍ରିୟାର ଦୃଶ୍ୟ ଅତି ରୋମାଞ୍ଚକର। ସୂର୍ଯ୍ୟ ଅସ୍ତ ହେଉଥିବା ଦୃଶ୍ୟ ଏଠାରେ ଶିହରଣ ସୃଷ୍ଟିକରେ। ତେଣୁ ସଂଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକ ଏଠାରେ ରହିବାକୁ ଭଲ ପାଆନ୍ତି। ପ୍ରାୟ ଏକ କିଲୋମିଟର ସେତୁ ହୋଇଥିବାରୁ ଲୋକେ ସେଲଫି ନେଉଥିବା ଦେଖିବାକୁ ମିଳିଛି। ବାଲିମେଳା ଜଳଭଣ୍ଡାର ଉପରେ ନିର୍ମିତ ଏହି ସେତୁ ଲୋକଙ୍କୁ ଆକୃଷ୍ଟ କରିବା ସହ ଏହି ଅଞ୍ଚଳରେ କିପରି ନକ୍ସଲ ନିଜର କବଜାକୁ ନେଇଥିଲେ ସେ ସଂପର୍କରେ ମଧ୍ୟ ଲୋକେ ଜାଣିବାକୁ ଚାହୁଁଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକକୁ ଆହୁରି ସରସ ସୁନ୍ଦର କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କଲେ ଏହାର ଉନ୍ନତି ହେବା ସହ ଜିଲ୍ଲାର ବିକାଶରେ ମଧ୍ୟ ସହଯୋଗ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.