ସତିଗୁଡା କନ୍ୟାଶ୍ରମ ବିଦ୍ୟାଳୟରେ ଅର୍ଥ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସତିଗୁଡା କନ୍ୟାଶ୍ରମ ବିଦ୍ୟାଳୟ ଅର୍ଥ ହରିଲୁଟ ଅଭିଯୋଗ ଆଣିଲେ ଗ୍ରାମବାସୀ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏସଏମସି ସଭାପତି ମିଶି ବହୁ ଅର୍ଥ କରିଛନ୍ତି ହେରଫେର। ସଭାପତି ଜଣେ ପୁରୁଷ ହୋଇଥିବା ବେଳେ ସେ ବାଳିକା ବିଦ୍ୟାଳୟ ପରିସର ମଧ୍ୟରେ ରାତି ୧୦ଟା ପର୍ଯ୍ୟନ୍ତ ରହୁଛନ୍ତି, ତେବେ ଏତେ ରାତି ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଙ୍କର କି କାମ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବାରମ୍ବାର ତାଙ୍କୁ ବାରଣ କରିବା ସତ୍ତ୍ୱେ ପ୍ରଧାନ ଶିକ୍ଷକଙ୍କ ସହ ରହୁଛନ୍ତି ସଭାପତି। ସରକାର ବିଦ୍ୟାଳୟକୁ ଦେଉଥିବା ଅର୍ଥ ହଡ଼ପ କରିବା ପାଇଁ ପ୍ରଧାନ ଶିକ୍ଷକ ଅତି ଚତୁରତାର ସହିତ ଅନିୟମିତତା କରି ସଭାପତି ଚୟନ କରିଥିବା ପ୍ରକାଶ କରିଛନ୍ତି ସତିଗୁଡା ଗ୍ରାମବାସୀ । ଏକ ରଙ୍ଗ ଦୋକାନ ନାମରେ ୪୯ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି, ଏହି ରଙ୍ଗ ଦୋକାନରୁ କୌଣସି ଜିନିଷ ନ ଆଣି ଦୋକାନୀକୁ ବିଦ୍ୟାଳୟର ୪୯ ହଜାର ଟଙ୍କାର ଚେକ୍ ଦେଇ ସଭାପତି ନଗଦ ଟଙ୍କା ମାଗିଥିବାର ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଜଣାପଡିଛି। ବିଦ୍ୟାଳୟ ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ଉଭୟ ମିଶି ଆତ୍ମସାତ କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏନେଇ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ଦିଆଯାଇଛି। ପ୍ରଧାନ ଶିକ୍ଷକ ଏବଂ ଏସଏମସି ସଭାପତିଙ୍କୁ ତୁରନ୍ତ ହଟେଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ତେବେ ଜିଲ୍ଲା ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବା କେବଳ ବାକି ରହିଲା। ଜିଲ୍ଲା ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।

    Leave A Reply

    Your email address will not be published.