ନୂଆପଲ୍ଲୀରେ ଜମି ଦଖଲ ମାମଲା: ବନ୍ଧା ହେଲା ପଞ୍ଜାବୀ ଲେଡି ଡନ୍‌ ଜ୍ୟୋତି

ଗିରଫ ହୋଇଥିଲେ ୭ ବାଉନ୍ସର୍‌

ଭୁବନେଶ୍ବର: ନୂଆପଲ୍ଲୀରେ ଜମି ଦଖଲ କରିବାକୁ ୩୫ ଲକ୍ଷ ଟଙ୍କାର ସୁପାରି ଡିଲ୍‌ କରି ରାତାରାତି ଦୁଇଟି ଦୋକାନକୁ ମାଟିରେ ମିଶାଇ ଦେବା ମାମଲାରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତକାଲି ପୁଲିସ ଦୁର୍ଦ୍ଦାନ୍ତ ନକୁଳ ମହାକୁଡ଼ର ବାଉନ୍‌ସର ଗ୍ୟାଙ୍ଗ୍‌ରୁ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଜଣେ ପଞ୍ଜାବୀ ମହିଳା ଡନ୍‌ ଓ ତା’ ସହଯୋଗୀକୁ ବାନ୍ଧିଛି। ସେମାନେ ହେଲେ ପଞ୍ଜାବ ପଟିଆଲା ଗୁପ୍ତାହାର ଅଞ୍ଚଳର ଜ୍ୟୋତି ମଥାନ୍‌ ଓରଫ୍‌ ଜ୍ୟୋତି(୪୦) ଓ ପୁରୁଣା ଷ୍ଟେସନ ବଜାର ମୋଚିସାହିର ଗୀତା ଦାସ(୪୦)। ଆଜି ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ଜ୍ୟୋତି ଜଣେ ପୁରୁଖା ଅପରାଧୀ। ୧୦ ବର୍ଷ ପୂର୍ବେ ସେ ଓ ତା’ ସ୍ବାମୀ ପଞ୍ଜାବରେ ବିଭିନ୍ନ ଅପରାଧ ଘଟାଇ ହଇଚଇ ସୃଷ୍ଟି କରିଥିଲେ। ତେଣୁ ପଞ୍ଜାବ ପୁଲିସ ସେମାନଙ୍କୁ ତଡ଼ିପାର୍‌ ଘୋଷଣା କରିବା ପରେ ସେମାନେ ଓଡ଼ିଶା ଚାଲିଆସିଥିଲେ। ଗତ ୧୦ବର୍ଷ ହେଲା ଏହି ପଞ୍ଜାବୀ ଦମ୍ପତି ଲକ୍ଷ୍ମୀସାଗର ମାଳିଅନ୍ତା ପୋଖରୀବସ୍ତିରେ ରହୁଥିଲେ। ଏଠାରେ ସେମାନେ ପୁଣି ପଞ୍ଜାବ ଷ୍ଟାଇଲ୍‌ରେ ଅପରାଧ ଘଟାଇବା ଯୋଜନା କଲେ। ଏଠାରେ ଜ୍ୟୋତି ଓ ମୋଚିସାହିର ଗୀତା ହାତ ମିଳାଇ ଏକ ଲେଡି ଗ୍ୟାଙ୍ଗ୍‌ ଗଢ଼ିଥିଲେ। ଅନେକ ସମୟରେ ମହିଳାମାନଙ୍କୁ ରୋଜଗାର ଦେବା ଆଳରେ ତଥା ଅଧିକ ପାରିଶ୍ରମିକର ଲୋଭ ଦେଖାଇ ଅପରାଧରେ ସାମିଲ୍‌ କରୁଥିଲେ। ବିଶେଷକରି ରାଜଧାନୀରେ ଜମି ଦଖଲ କାରବାରରେ ଭଲ ରୋଜଗାର ମିଳୁଥିବାରୁ ଏମାନେ ସେମିତି ଗ୍ୟାଙ୍ଗ୍‌ ସହ ହାତ ମିଳାଉଥିଲେ। ନୂଆପଲ୍ଲୀ ମାମଲାରେ ଝାରପଡ଼ା ଅଞ୍ଚଳର ରାଘବ ଜେନା ଜମି ଦଖଲ ପାଇଁ ଡିଲ୍‌ କରିଥିଲା ଏବଂ କୁଖ୍ୟାତ ନକୁଳ ମହାକୁଡ଼ର ବାଉନ୍‌ସର ଗ୍ୟାଙ୍ଗ୍‌ ସହିତ ଜ୍ୟୋତି ଗ୍ୟାଙ୍ଗ୍‌କୁ ଯୋଡ଼ିଥିଲା। ଘଟଣା ଦିନ ଅର୍ଥାତ୍ ୨୪ ତାରିଖ ବିଳମ୍ବିତ ରାତିରେ ମାଫିଆ ରାଘବ ନିଜ ବସ୍‌ ଯୋଗେ ଜ୍ୟୋତି ଓ ଗୀତାର ମହିଳା ସଦସ୍ୟମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା। ପୁଲିସ ଉକ୍ତ ବସ୍‌କୁ ଜବତ କରିଥଲେ ବି ରାଘବକୁ ଗିରଫ କରିପାରିନାହିଁ।

ସୂଚନାଯୋଗ୍ୟ ଯେ ରଂଜିତ୍‌ ଦାସପୁରିଆ ନାମକ ଜଣେ ବ୍ୟକ୍ତି ହୋଟେଲ୍‌ ପ୍ରେସିଡେନ୍ସି ନିକଟରେ ଥିବା ପ୍ରଦୀପ କୁମାର ରାଉତରାୟଙ୍କ ପରିବାରଠାରୁ ଜମି କିଣିଥିଲେ। କିନ୍ତୁ ଜମିରେ ପ୍ରଦୀପଙ୍କ ଅଂଶ ଥିବାରୁ ଓ ସେ ବିକ୍ରି କରିନଥିବାରୁ ରଞ୍ଜିତଙ୍କୁ ଦଖଲ ଦେଇନଥିଲେ। ଏନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟରେ ମାମଲାର ଫଇସଲା ବିଳମ୍ବିତ ହେବାରୁ ରଞ୍ଜିତ ଉକ୍ତ ଜମିକୁ ହାତେଇବା ପାଇଁ ରାଘବ ସହ ଯୋଗାଯୋଗ କରିଥିଲେ। ୨୪ ତାରିଖ ରାତିରେ ନକୁଳ ଓ ଜ୍ୟୋତି ଗ୍ୟାଙ୍ଗ୍‌ ଉକ୍ତ ପ୍ଲଟ୍‌ରେ ଥିବା ଦୁଇଟି ଦୋକାନରୁ କୋଟି କୋଟି ଟଙ୍କାର ଜିନିଷ ଲୁଟ୍‌ କରିବା ପରେ ବୁଲ୍‌ଡୋଜର୍‌ ଚଢ଼ାଇ ମାଟିରେ ମିଶାଇ ଦେଇଥିଲେ। ଗତକାଲି ପୁଲିସ ଜେଲ୍‌ ପଠାଇଥିବା ବାଉନ୍‌ସର ଗ୍ୟାଙ୍ଗ୍‌ର ଅଭିଯୁକ୍ତମାନେ ହେଲେ ମଳିପଡ଼ା ଅଞ୍ଚଳର ଗ୍ୟାଙ୍ଗ୍‌ ଲିଡର୍‌ ନକୁଳ ମହାକୁଡ଼, ନିଳାଦ୍ରୀବିହାର ଅଞ୍ଚଳର ଆଶିଷ ଜେନା, ବରମୁଣ୍ଡା ଅଞ୍ଚଳର ଦୀପକ କୁମାର ଦାସ, ସାଇନ୍ସପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗ ଅଞ୍ଚଳର ପ୍ରଦୀପ କୁମାର ବଳିଆରସିଂ ଏବଂ ଅନ୍ଧାରୁଆ ଅଞ୍ଚଳର ଆଶିଷ କୁମାର ରାୟ।

Leave A Reply

Your email address will not be published.