mobile header

କ୍ଷୀର ଗାଡ଼ି ଭିତରେ ଗଞ୍ଜେଇ ଚାଲାଣ: ୧୦୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ ଜଣେ ଗିରଫ

ମାଲକାନଗିରି: ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି । ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ଷୀର ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। କ୍ଷୀର ଗାଡ଼ି ଭିତରେ କରାଯାଇଥିଲା ଗୁପ୍ତ କୋଠରି ଯାହା ଭିତରେ ହେଉଥିଲା ଲକ୍ଷେ ଲକ୍ଷେ ଟଙ୍କାର ଗଞ୍ଜେଇ ଚାଲାଣ। ମିଳିଥିବା ସୂଚନା ଅନୁଯାୟୀ ଅଜୟ ରାଜାରାମ ନାମକ ବ୍ୟକ୍ତି ଜଣକ ମହାରାଷ୍ଟ୍ର ଠାରୁ ହାଇଦ୍ରାବାଦକୁ କ୍ଷୀର ଗାଡ଼ି ସାହାଯ୍ୟରେ କ୍ଷୀର ସହ ଛେନା ବ୍ୟବସାୟ କରୁଥିଲେ। ହାଇଦ୍ରାବାଦରେ କ୍ଷୀର ବ୍ୟବସାୟ ପରେ ମାଲକାନଗିରି ଗଞ୍ଜେଇ ଲୋଡ କରି ନେବା ସମୟରେ କାଲିମେଳା ଭେଜାଙ୍ଗବେଡା ରାସ୍ତା ଦେଇ ଗଞ୍ଜେଇ ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ତରଫରୁ ଧରା ପଡ଼ିଥିଲା ଏହି ଗଞ୍ଜେଇ ଚାଲାଣ କରୁଥିବା କ୍ଷୀର ଗାଡ଼ି । ଏହି କ୍ଷୀର ଗଡ଼ିଟି ମହାରାଷ୍ଟ୍ର ଗାଡ଼ି ନମ୍ବର ଲାଗିଥିବା ବେଳେ ଅବକାରୀ ବିଭାଗ ସନ୍ଦେହ କରି ଗାଡ଼ିଟିକୁ ଯାଞ୍ଚ କରିବାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ସନ୍ଦେହ ନ ହେବା ପାଇଁ ଗାଡ଼ି ପଛ ଡାଲା ଭିତରେ ଅନେକ ଗୁଡ଼ିଏ ପଣସ ରଖାଯାଇଥିଲା । ଜବତ ଗଞ୍ଜେଇ ଗୁଡ଼ିକର ଓଜନ ୧୦୦ କେଜିରୁ ଉର୍ଦ୍ଧ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। କିଛି ଦିନ ତଳେ ଓଟୋ ଭିତରେ ଗୁପ୍ତ କୋଠରି ତିଆରି କରି ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା ଏବେ ଅଭିନବ ଉପାୟରେ କ୍ଷୀର ଗାଡ଼ି ଭିତରେ ଗଞ୍ଜେଇ ଚାଲାଣ। ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ବଢୁଥିବା ବେଳେ ମାଲକାନଗିରି ଅବକାରୀ ବିଭାଗ ତରଫରୁ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ତେବେ ଏହି ଗଞ୍ଜେଇ ଗୁଡ଼ିକ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା। ଏହି ଗଞ୍ଜେଇ ଚାଲାଣ ରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ବିଭାଗ ଅଧୀକକ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.