ଥମୁନି ପାଣ୍ଡିଆନ୍ ଝଡ଼; ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ-କଂଗ୍ରେସ, ଏଠି ଚାଲିଛି ଓଲଟା ଗଣତନ୍ତ୍ର- ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ରାଜକୀୟ ଜିଲ୍ଲା ଗସ୍ତକୁ ନେଇ ବିବାଦ ଥମିବାର ନାଁ ନେଉଛି । କଂଗ୍ରେସ ଆଜି ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ ହୋଇଛି ବୋଳି କହି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ବିଜେପିକୁ ଗୋଟିଏ ପ୍ରଶ୍ନ କରିଥିବାବେଳେ ବିଜେପି ମଧ୍ୟ ଅନୁରୂପ ଭାବେ ଓଡ଼ିଶାରେ ଓଲଟା ଗଣତନ୍ତ୍ର ଚାଲିଛି ଓ ରାଜ୍ୟରେ ସମ୍ବିଧାନର ଓଲଟା ବିଚାର ହେଉଛି ବୋଲି ଅଭିଯୋଗ କରିଛି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ବାସ୍ତବରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛନ୍ତି ।ବିଜେଡ଼ିର ସାଂସଦ ପ୍ରମିଳା ବିଶୋୟୀ ଏକ ଭରା ସାଧାରଣ ସଭାରେ ଭିକେ ପାଣ୍ଡିଆନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କର ସେହି ଭୁଲକୁ ନେଇ ବିଜେଡିର କୌଣସି ମୁଖପାତ୍ର ବା ନେତା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଗଲାନି କିମ୍ବା ଖଣ୍ଡନ ବି କରାଗଲାନି । ଶ୍ରୀ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତବେଳେ ଯେଉଁ ଥାଟବାଟରେ ସଭାସମତି ଆୟୋଜନ କରାଯାଉଛି ଓ ପୋଲିସ ଏବଂ ପ୍ରଶାସନକୁ ବ୍ୟବହାର କରାଯାଉଛି ତାହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ କୌଣସି ଗୁଣରେ କମ୍ ନୁହେଁ । ତେଣୁ ଓଡ଼ିଶାବାସୀଙ୍କ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ ଆଦୌ ଅବାନ୍ତର ନୁହେଁ । ମୁଖ୍ୟମନ୍ତ୍ରୀ ଅସୁସ୍ଥ କି?

ଏହି ପ୍ରଶ୍ନ ପଛର କାରଣ ହେଉଛି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଫୁଲ ସାମଲ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସବୁଆଡ଼େ ବୁଲିପାରୁନାହାନ୍ତି ବୋଲି କହିଥିଲେ । ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ତେବେ ତାଙ୍କର କା\ ନେଇ ଶ୍ରୀ ପାଣ୍ଡିଆନ  ଜିଲ୍ଲା ଗସ୍ତ କରିବା ଓ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତିି ବୋଲି କହିବା ଆଦୌ ସମୀଚନ ନୁହେଁ । ମୁଖ୍ୟମନ୍ତ୍ରୀ ତାଙ୍କ ଅସୁସ୍ଥତା କାରଣରୁ ଯଦି ଜିଲ୍ଲା ଗସ୍ତ କରିପାରୁ ନାହାନ୍ତି ତେବେ ସେ ଜଣେ ମନ୍ତ୍ରୀ ବା ଦଳର ବରିଷ୍ଠ ବିଧାୟକଙ୍କୁ ସେ ଦାୟିତ୍ୱ ଦେଇ ଜିଲାକୁ ପଠାଇ ପାରନ୍ତେ । ବିଜେଡ଼ି ଦଳର ସମସ୍ତ ନେତା କଣ ଅପାରଗ ବା ଅକ୍ଷମ କି? ଦଳର ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଥିଲାବେଳେ ସେମାନଙ୍କୁ ଅଣଦେଖା କରି ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଦଳ ପରିଚାଳନା ଦାୟିତ୍ୱ ଦେବା ସୁସ୍ଥ ରାଜନୈତିକ ପ୍ରକ୍ରିୟାର ବିରୋଧାଚରଣ କରେ ବୋଲି ଶ୍ରୀ ଦାସ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ନାହିଁ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିବା ସହ ଗଣତନ୍ତ୍ରର ଏକ ମୌଳିକ ଉପାଦାନ ହେଉଛି ବ୍ୟବସ୍ଥା ତଥା କ୍ଷମତାରେ ଥିବା ସରକାରଙ୍କୁ ପ୍ରଶ୍ନ କରିବା । କିନ୍ତୁ ଏଠି ସେହି ମୌଳିକ ଉପାଦାନକୁ ଭୂଲୁଣ୍ଠିତ କରାଯାଉଛି । ଭିକେ ପାଣ୍ଡିଆନଙ୍କ ଜଳେଶ୍ୱର ଗସ୍ତ ସମୟରେ କଂଗ୍ରେସ ଦଳ ପକ୍ଷରୁ ମାନବ ଶୃଙ୍ଖଳ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ ଆୟୋଜନ କରାଯାଇଥିଲା । ମାତ୍ର ସେ ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଜଳେଶ୍ୱରର ନେତାମାନଙ୍କୁ ୨୪ ଘଂଟା ନଜରବନ୍ଦୀରେ ପୋଲିସ ରଖିଲା । ଜଣେ ସଚିବଙ୍କ ଗସ୍ତ ସମୟରେ ବିରୋଧି ଦଳର ନେତାଙ୍କୁ ପୋଲିସ ନଜରବନ୍ଦୀରେ ରଖିବା କେବେ ଦେଖାଦେଇ ନଥିଲା ଯାହା ଅତ୍ୟନ୍ତ ନିନ୍ଦନୀୟ । ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଚୌକି ଆଡ଼କୁ ଅନାଇଥିବା କାରଣରୁ ତାଙ୍କର ପକ୍ଷଛେଦନ କରିବା ସହିତ ତାଙ୍କୁ ବେଇମାନ ବୋଲି କହିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଚୌକି ଆଡ଼କୁ କିଛି ବ୍ୟକ୍ତି ନଜର ପକାଇବା ଦେଖାଯାଉଛି । ସେମାନଙ୍କୁ ବେଇମାନ ବୋଲି କହି ତାଙ୍କର ପକ୍ଷଛେଦନ କରିବାର ସାହାସ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏବେ ଅଛି କି ବୋଲି ଶ୍ରୀ ଦାସ କଟାକ୍ଷ କରିଥିଲେ ।

ସେହିପରି ବିଜେପିକୁ ଟାର୍ଗେଟ୍ କରି ଶ୍ରୀ ଦାସ କହିଛନ୍ତି ଯେ,ଶ୍ରୀ ପାଣ୍ଡିଆନଙ୍କ କ୍ଷେତ୍ରରେ କେନ୍ଦ୍ରର ବିଜେପି ସରକାର ସେହିଭଳି ନିଷ୍ପତ୍ତି ନ ନେଇ କାହିଁକି ମିଛି ମିଛିକା ବିରୋଧ କରୁଛି । ଶ୍ରୀ ପାଣ୍ଡିଆନ ଜଣେ ସର୍ବଭାରତୀୟ ସେବା ଅଧିକାରୀ । ସେ ସମ୍ବିଧାନ ବିରୋଧି ବା ଚାକିରୀର ନିୟମକାନୁନକୁ ଭଙ୍ଗ ବା ଅବମାନନା କଲାଭଳି କାର୍ଯ୍ୟ କରୁଛନ୍ତିି ବୋଲି ବିଜେପି କହୁଛି, କିନ୍ତୁ ତାଙ୍କ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ କରିବାରେ କିଏ ଅଟକାଇଛି।  ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଅଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଟିଏମସି ସପକ୍ଷବାଦୀ କାର୍ଯ୍ୟକଳାପର ଆରୋପ ଲଗାଇ କେନ୍ଦ୍ର ସରକାର ତାଙ୍କୁ ଫେରାଇ ନେବାର ନିର୍ଦ୍ଦେଶ ଦେବାର ନଜିର ରହିଛି ବୋଲି କଂଗ୍ରେସ କହିଛି ।

ଅନ୍ୟପକ୍ଷରେ ବିଜେପି ସାଂସଦ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପାଣିପାଗ ବିଭାଗର ୟୋଲୋ ୱାର୍ଣ୍ଣିଂ ସତ୍ତ୍ୱେ ଫାଇଭ-ଟି ସଚିବଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ମାତ୍ରାଧିକ ତତ୍ପରତା ଦେଖାଇଛି । ଏପରିକି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ବି ଏଭଳି ରାଜକୀୟ ବନ୍ଦୋବସ୍ତ ହୋଇନଥାଏ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭୁବନେଶ୍ୱରରୁ ଉଡ଼ାଜାହାଜରେ ବରଗଡ଼ ଆସି ସେଠାରୁ ଜିଲ୍ଲାର ଅନ୍ୟତ୍ର ଯିବାକୁ ଅଲୱେଦର ହେଲିକପ୍ଟର ଉପଯୋଗ କରୁଛନ୍ତି ।

ସଚିବ ପାହ୍ୟାର ଜଣେ ଅଫିସରଙ୍କ ପାଇଁ ଏଭଳି ବ୍ୟବସ୍ଥା କିପରି ସମ୍ଭବ । ପିତାମାତାଙ୍କ ଅନିଚ୍ଛା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ୨୨୦୦ପିଲାଙ୍କୁ ଆଣି ସ୍ୱାଗତ କରାଉଛି । ଶହ ଶହ ଗାଡ଼ି ବୁକ୍ କରାଇ ଲୋକଙ୍କୁ ବୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବରଗଡ଼ ଜିଲ୍ଲାକୁ ଆସିବା ପୂର୍ବରୁ ବିଜେଡିର ସଂଗଠନ ସମ୍ପାଦକ ୨ଦିନ ପୂର୍ବରୁ ଆସି ଡେରା ପକାଇ ପ୍ରସ୍ତୁତି ତଦାରଖ କରୁଛନ୍ତି । ବିଜେଡିର ବିଧାୟକମାନେ ବି କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ୟସ୍ତ । ଓଡ଼ିଶାରେ ଓଲଟା ଗଣତନ୍ତ୍ର ଚାଲିଛି । ସମ୍ବିଧାନର ଓଲଟା ବିଚାର ଏବେ ଦେଖିବାକୁ ମିଳିଛି । ବିଧାୟକ ଓ ସାଂସଦମାନେ କାର୍ଯ୍ୟକ୍ରମର ଆୟୋଜନ କରିବେ ଓ ସଚିବ ଶାସନ ଚଳାଇବେ । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାରେ ଗଣତନ୍ତ୍ର ବିପଦରେ । କେନ୍ଦ୍ରଶାସିତ ପ୍ରଦେଶରେ ଯେଭଳି ପ୍ରଶାସନିକ ମୁଖ୍ୟ ଭାବେ ଲେଫଟନାଣ୍ଟ ଜେନେରାଲ କାର୍ଯ୍ୟ କରନ୍ତି ଓଡ଼ିଶାରେ ଏବେ ସେଭଳି ସ୍ଥିତି । ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ସମ୍ବିଧାନ ପ୍ରଦତ୍ତ ଦାୟିତ୍ୱ ଭୁଲିଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏଭଳି ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,ରାଜ୍ୟରେ ଶାସନ ଭୁଷୁଡ଼ି ପଡ଼ିଛି । ଅନ୍ୟ କାହା ହାତକୁ ଟେକି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେଖା ନାହିଁ । ମନ୍ତ୍ରୀ ବିଧାୟକଙ୍କ କଥା ନକହିବା ଭଲ । ବାବୁମାନଙ୍କ ସଭା ପାଇଁ ମନ୍ତ୍ରୀ ଓ ସାଂସଦମାନେ ଚେୟାର ବୁହାଉଛନ୍ତି । ଶାସନ ଭଡ଼ାରେ ଲାଗିଛି । ଆଉଟସୋର୍ସିଂରେ ସରକାର ଚାଲିଛି । ଯାହା ନିଶ୍ଚିତ ଭାବେ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

Leave A Reply

Your email address will not be published.