ବିଡିଓଙ୍କୁ ମାଡ଼ ମାରିବା ସତ୍ତ୍ୱେ ଗିରଫ କରୁନି ପୁଲିସ, ସମ୍ପର୍କୀୟଙ୍କୁ ସୁରକ୍ଷା ଦେଉଛନ୍ତି ଚାନ୍ଦବାଲି ବିଧାୟକ

ଭୁବନେଶ୍ୱର: ଚାନ୍ଦବାଲି ବିଡିଓ ତଥା ଜଣେ ପ୍ରଶାସନିକ ଅଫିସରଙ୍କୁ ମାଡ଼ ମାରିବାକୁ ନେଇ ଥାନାରେ ମାମଲା ଥିବା ସତ୍ତ୍ୱେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶ୍ୱଶୁର ଓ ଶାଳକଙ୍କୁ ପୁଲିସ ଗିରଫ କରୁନି । ସେମାନେ କ’ଣ ଆଇନର ଉର୍ଦ୍ଧ୍ୱରେ ବୋଲି ବିଜେପି ପ୍ରଶ୍ନ କରିବା ସହ ବିଧାୟକ ଶ୍ରୀ ରାୟଙ୍କ ଅଭଦ୍ର ଓ ଅପରାଧିକ ଆଚରଣକୁ ନେଇ ତାଙ୍କ ଉପରେ ବର୍ଷିଛି ।

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଆଇଡ଼ ତା’ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି। ମାତ୍ର ଓଡ଼ିଶାରେ କେବେ ବି ଆଇନ ତା’ ବାଟରେ ଯାଏ ନାହିଁ । ମମିତା ମେହେର ହତ୍ୟାକାଣ୍ଡ ହେଉ, ପରି ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ ମର୍ଡର ହେଉ, ଯେଉଁ ଯେଉଁ ଘଟଣାରେ ବିଜୁ ଜନତା ଦଳର ବିଧାୟକମାନଙ୍କର ସମ୍ପୃକ୍ତି ଥିଲା ସେ ସବୁ ଘଟଣାରେ ଆଇନ ଦୋଷୀ ବିଧାୟକମାନଙ୍କ ପାଖରେ ପହଂଚିପାରିଲା ନାହିଁ । ଲାଗିଲା ଯେମିତି ବିଜୁ ଜନତା ଦଳର ବିଧାୟକମାନେ ଆଇନର ଉପରେ, ହେଲେ ଏବେ ବିଧାୟକଙ୍କ ଶାଳକ, ଶ୍ୱଶୁରମାନେ ବି ଆଇନର ଉପରେ ହୋଇଗଲେଣି । କିଛି ଦିନ ତଳେ ଚାନ୍ଦବାଲିର ବିଡିଓଙ୍କୁ ସର୍ବସମ୍ମୁଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶାଳକ, ଶ୍ୱଶୁର ଓ ବିଜୁ ଜନତା ଦଳର ଜଣେ ଜିଲ୍ଲା ପରିଷଦ ସଭ୍ୟ ମାଡ଼ ମାରିଲେ । ଏନେଇ ପୋଲିସ ଏଫଆଇର ମଧ୍ୟ ରୁଜୁ କରିଛି ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଲଟା ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତ ସମୟରେ ଏହି ୩ ଅଭିଯୁକ୍ତ  ଭଦ୍ରକରେ ବୁଲୁଥିଲେ । ପୁଲିସ ସେମାନଙ୍କୁ ଗିରଫ କିମ୍ବା ଅଟକ ରଖିଲା ନାହିଁ । ବିଜେଡି ବିଧାୟକଙ୍କ ସର୍ମ୍ପକୀୟ ହୋଇଗଲେ ସେମାନେ କ’ଣ ଆଇନର ଉପରେ କି ବୋଲି ବିଜେପି ପ୍ରଶ୍ନ କରିଛି ।

ସେହିପରି ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଚାନ୍ଦବାଲି ବିଧାୟକ ଆଗରୁ ନିଜର ଅଭଦ୍ର ଓ ଅପରାଧିକ ଆଚ୍ଚରଣ ପାଇଁ ନିନ୍ଦିତ ହୋଇଛନ୍ତି । କିଛିଦିନ ତଳେ ବିଧାୟକ ନିଜେ ଏହି ସେହି ବିଡିଓଙ୍କୁ ଅପଦସ୍ତ କରିବା ପାଇଁ ଯାଇ ତାଙ୍କ ଚେୟାରରେ ବସିଯାଇଥିଲେ । ପରେ ସେହି ବିଡିଓଙ୍କୁ ନିଜ ସର୍ମ୍ପକୀୟଙ୍କ ଦ୍ୱାରା ମାଡ଼ ମରାଇଲେ । ୨୦୧୯ ମସିହାରେ ଚାନ୍ଦବାଲି ବିଷାକ୍ତ ମଦମୃତ୍ୟୁ ଘଟଣାରେ ୯ ଜଣ ଲୋକଙ୍କ ଜୀବନ ଯାଇଥିଲା ସେଥିରେ ବିଧାୟକଙ୍କ ସମ୍ପୃକ୍ତି ବି ଥିଲା । ସେହିପରି ୨୦୧୬ ମସିହାରେ ବିଧାନସଭା ଭିତରେ ଜାତୀୟ ସଙ୍ଗୀତ ପ୍ରତି ଅବମାନନା କରିବା ପରେ ଜେଲ ଦଣ୍ଡ ଭୟରେ ନିଜେ ବ୍ୟୋମକେଶ କ୍ଷମା ମାଗିଥିଲେ । ୨୦୨୨ ମସିହାରେ ଦିଲ୍ଲୀ ବିମାନ ବନ୍ଦରରେ ନିଜେ ବ୍ୟୋମକେଶ ରାୟ ଓ ଆଉ କିଛି ବିଜେଡି ବିଧାୟକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ହଙ୍ଗାମା କରିବାରୁ ତାଙ୍କ ପାଇଁ ଏକ ବିମାନ ଦିଲ୍ଲୀରୁ ଛାଡ଼ିବାରେ ଅଧ ଘଂଟା ବିଳମ୍ବ ହୋଇଥିଲା । ପରେ ବିମାନ ଚାଳକ ଏମାନଙ୍କୁ ସେଦିନ ଆଣିଲେ ନାହିଁ । ସେମାନଙ୍କର ଲଗେଜ ସେଦିନ ରାତିରେ ଆସିଥିଲା ହେଲେ ସେମାନେ ତାର ପରଦିନ ସକାଳେ ଆସିଲେ । ତେଣୁ ଏଭଳି କାଣ୍ଡ କାରନାମା କରୁଥିବା ବିଧାୟକ ଓ ତାଙ୍କ ସର୍ମ୍ପକୀୟମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ଭଦ୍ରକବାସୀ ପ୍ରଶ୍ନ କରୁଛନ୍ତି । ଏହି ଅବସରରେ ବିଜେପି  ମିଡିଆ ସେଲର ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.