ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଜନଭରସା କୋଭିଡ୍ ମୁକାବିଲାର ବଡ଼ ଅସ୍ତ୍ର ଥିଲା: କେନ୍ଦ୍ରମନ୍ତ୍ରୀ

ମୋଦୀ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟ ପୁସ୍ତିକା ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିଲ୍ଲୀରେ ମୋଦୀ ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଜନଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା।

ପବ୍ଲିକ ପଲିସି ରିସର୍ଚ୍ଚ ସେଣ୍ଟର(ପିପିଆରସି) ଦ୍ୱାରା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୋଦୀ ସରକାରରେ ଆସିଥିବା ସଂସ୍କାର, ଉପଲବ୍ଧି, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟ ଉପରେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ୍ ମହାମାରୀକୁ ସୁବ୍ୟବସ୍ଥିତ ଭାବେ ପରାଜୟ କରାଯାଇପାରିଛି । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଦେଶରେ କୋଭିଡର ସଫଳ ପରିଚାଳନା କାରଣରୁ ଅଧିକ ଲୋକଙ୍କୁ ସ୍ୱଦେଶୀ ଟିକା ଲଗାଯାଇଛି ଏବଂ ପିପିଇ କିଟ୍, କୋଭିଡ୍ ଟିକା ପ୍ରସ୍ତୁତ କରିବା ସହ ବାହାର ରାଷ୍ଟ୍ରକୁ ମଧ୍ୟ ରପ୍ତାନୀ କରାଯାଇଛି । ଆଜି ମୋଦୀ ସରକାରରେ ଦେଶରେ ଅଧିକ ମେଡିକାଲ ନିର୍ମାଣ କରାଯିବା ସହ ମେଡିକାଲ ସିଟ୍ ସଂଖ୍ୟା ବଢିଛି ।

କେବଳ ଭାରତ ନୁହେଁ ବଡ଼ବଡ଼ ରାଷ୍ଟ୍ର ବ୍ୟତୀତ କ୍ୱଏତ ଓ ପାପୁଆ ନ୍ୟୁ ଗିନି ଭଳି ଦେଶରେ ମୋଦିଙ୍କ ବିଶ୍ୱସନୀୟତା ବଢ଼ିଛି । ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି । ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ, ଯାହାକୁ ବିଶ୍ୱ ଦେଖିଲା। ଏକ ଦୃଢ଼ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି ପାଉଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ଏକ ଜ୍ଞାନ ଆଧାରିତ ରାଷ୍ଟ୍ର । ମୋଦୀ ସରକାରରେ ଗୁଣାତ୍ମକ ଶିକ୍ଷା ସହ ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ତେବେ ଜାତୀୟ ଶିକ୍ଷା ନୀତିର କାମ ୨୦୧୪ରୁ ଆରମ୍ଭ ହୋଇଯାଇଥିଲା। ଆମର ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବୈଶ୍ୱିକ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ଶିକ୍ଷା କେବଳ ଦେଶର ନୁହେଁ ବରଂ ବିଶ୍ୱର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ୨୦୦୪ରୁ ୨୦୧୪ ମସିହା ତଥା କଂଗ୍ରେସ ଶାସନରେ ବିଗତ ୧୦ ଭିତରେ ହୋଇଥିବା କାମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନର ପିଆରଆରସି ଦ୍ୱାରା ପ୍ରସ୍ତୁତ ଏକ ତୁଳନାତ୍ମକ ରିପୋର୍ଟ ସମ୍ବଳିତ ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ।

Leave A Reply

Your email address will not be published.