ନିଲମ୍ବନ ପରେ ମୋକିମ-ଚିରଞ୍ଜୀବଙ୍କୁ ନେଇ ଚର୍ଚ୍ଚା: କିଏ ଆପଣେଇବ କାହାକୁ ?

ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଛି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ରହିଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ତେବେ ୨୦୨୪ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ମୋକିମ ଓ ଚିରଞ୍ଜୀବ କେଉଁ ଦଳକୁ ଯିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କଟକ-ବାରବାଟୀର ବିଧାୟକ ମହମ୍ମଦ ମୋକିମ୍ମ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ କଂଗ୍ରେସରେ ଥିବା ସମୟରେ ସେ ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତେବେ ସେ ଦଳରୁ ନିଲମ୍ବିତ ହେବା ପରେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୦୪ ମସିହା ପରଠୁ କଟକ ବାରବାଟୀରେ ବିଜେପି ତାର ସତ୍ତା ହରାଇ ବସିଛି । ବିଜେଡି ପରେ ଏବେ କଂଗ୍ରେସ ସେଠାରେ ସିଟ ହାସଲ କରିଛି । ତେବେ ବିଜେପି ପୁଣି ସେହି ସିଟ ଦଖଲ ପାଇଁ ମହମ୍ମଦ ମୋକିମ୍ମଙ୍କୁ ଦଳରେ ସାମିଲ କରିପାରେ ।

ଅନ୍ୟପଟେ ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା । ତେଣୁ ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୨୪ ନିର୍ବାଚନରେ ଜଗତସିଂହପୁର ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାଲିକୁଦାକୁ ଫେରିପାରନ୍ତି । କାରଣ ବାଲିକୁଦାରେ ସଂଗଠନ ଦୁର୍ବଳ ଥିବାରୁ ସେଠାରେ ସେ ସଂଗଠନକୁ ସୁଦୃଢ କରିବାକୁ କସରତ କରିବେ । ତେଣୁ ବିଜେଡି ଜଗତସିଂହପୁର ସିଟ କେବେ ବି ହାତ ଛଡା କରିବାକୁ ଚାହିଁବନି । ତେଣୁ ଦଳ ଚିରଞ୍ଜୀବ ବିଶ୍ୱାଳ ଭଳି ଅନୁଭବୀ ନେତାଙ୍କୁ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ଚିରଞ୍ଜୀବ ମଧ୍ୟ ବିଜେଡିକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାପୂର୍ବରୁ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଟିକେଟରୁ ଜଗତସିଂହପୁର ବିଧାୟକ ରହିସାରିଛନ୍ତି ।

ନିଲମ୍ବିତ ହେବା ପୂର୍ବରୁ ଦୀର୍ଘଦିନ ହେବ ଦଳଠାରୁ ଦୂରେଇ ରହୁଥିଲେ ଉଭୟ ଚିରଞ୍ଜୀବ ଓ ମୋକିମ । ଉଭୟଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ବିଭିନ୍ନ ଉପ ନିର୍ବାଚନରେ ମଧ୍ୟ ଉଭୟ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ଦଳ ବାଦ ଦେଇଥିଲା । ଅନ୍ୟପଟେ ମହମ୍ମଦ ମୋକିମ ମଧ୍ୟ ଅନେକ ସମୟରେ ଦଳର ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଅଭିଯୋଗ ହୋଇଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ମୋକିମ ଓ ଚିରଞ୍ଜୀବଙ୍କ ନିଷ୍ପତ୍ତି କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.