ହାଇକୋର୍ଟଙ୍କ ତାଗିଦ୍ ପରେ ଆଉ ୫ ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି କଲେ ସରକାର

୫୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ସମେତ ରାଉରକେଲା ଆରଜିଏଚ୍ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିମନ୍ତେ ମୋଟ ୬୮୯ଟି ପଦବୀ ଉଦ୍ଦିଷ୍ଟ ରହିବ ।

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ତାଗିଦ୍ ଓ ଦାଖଲ ସତ୍ୟପାଠ ଆଧାରରେ ରାଜ୍ୟ ସରକାର ଆଜି ଆଉ ଗ୍ରୁପ-ଏ ବର୍ଗରେ ୫ହଜାର ନୂଆ ଡାକ୍ତରୀ ପଦବୀ (ଏଲଟିଆରଏମଓ) ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗତବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି କରିଥିଲେ ଓ ଚଳିତବର୍ଷ ଏପ୍ରିଲ ମାସରେ ଓଡ଼ିଶା ହାଇକୋର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସତ୍ୟପାଠ ଦାଖଲ କରି ୬ମାସ ମଧ୍ୟରେ ଆଉ ୫ହଜାର ନୂଆ ଡାକ୍ତର ପଦବୀ(ଗ୍ରୁପ-ଏ)ରେ ସୃଷ୍ଟି କରାଯିବ ବୋଲି କହିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସ(ଓଏମଏଚଏସ) କ୍ୟାଡ଼ରରେ ଗ୍ରୁପ-ଏ(ଜୁନିୟର ବ୍ରାଂଚ)ରେ ୫ହଜାର ଏଲଟିଆରଏମଓ (ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର) ଡାକ୍ତରୀ ପଦବୀ ସୃଷ୍ଟି କରାଯାଇଥିବା ନେଇ ଅବଗତ କରାଇଛନ୍ତି । ଏହି ୫୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ସମେତ ରାଉରକେଲା ଆରଜିଏଚ୍ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିମନ୍ତେ ମୋଟ ୬୮୯ଟି ପଦବୀ ଉଦ୍ଦିଷ୍ଟ ରହିବ ।

ସେହିପରି ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଟି ଲେଖାଏଁ ପଦବୀ ଅର୍ଥାତ୍ ୪୮୦ଟି ଡାକ୍ତରୀ ପଦବୀ, ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଟି ଲେଖାଏଁ ଅର୍ଥାତ ୩୭୫୦ଟି ଡାକ୍ତରୀ ପଦବୀ ଏବଂ ଭୁବନେଶ୍ୱରର ୪ଟି ଓ ପାନପୋଷର ଗୋଟିଏ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ୧୩ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ୬୫ଟି ପଦବୀ ଏବଂ କଟକ ସିଡିଏ ଓ ଚାଉଳିଆଗଞ୍ଜରେ ୮ଟି ଲେଖାଏଁ ପଦବୀ ଅର୍ଥାତ୍ ୧୬ଟି ଡାକ୍ତରୀ ପଦବୀ ଏଭଳି ମୋଟ ୫ହଜାର ପଦବୀ ସୃଷ୍ଟିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ସରକାର ଗତବର୍ଷ ନଭେମ୍ବର ମାସରେ ୨ହଜାର ଓ ଅଗଷ୍ଟ ମାସରେ ୨ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ କଲେଜରୁ ଏବେ ପ୍ରାୟ ୧ହଜାରରୁ ଅଧିକ ଏମବିବିଏସ୍ ଛାତ୍ରଛାତ୍ରୀ ପ୍ରତିବର୍ଷ ଡିଗ୍ରୀ ହାସଲ କରୁଥିବାବେଳେ ରାଜ୍ୟ ସରକାର ତଦନୁପାତରେ ଡାକ୍ତରୀ ନିଯୁକ୍ତି କରୁନାହାନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ୨୦୧୯ରେ ୭୩୭ଜଣ, ୨୦୨୦ରେ ୭୫୮ ଜଣ ଏମବିବିଏସ୍ ଡିଗ୍ରୀଧାରୀ କୃତକାର୍ଯ୍ୟ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୦୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ଉଭୟ ସରକାରୀ,ବେସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରାୟ ୨୭ହଜାର ଡାକ୍ତର କାର୍ଯ୍ୟରତ ଥିବାବେଳେ ଓଡ଼ିଶାର ଜନସଂଖ୍ୟା ଆଧାରରେ ( ପ୍ରତି ହଜାର ଲୋକଙ୍କୁ ଜଣେ ଡାକ୍ତର)ରେ ମୋଟ ୪୬ହଜାର ଡାକ୍ତରଙ୍କ ଆବଶ୍ୟକତା ରହିଛି । ଏହି ୫ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି ପରେ ରାଜ୍ୟରେ ଉଭୟ ଘରୋଇ ଓ ସରକାରୀ କାର୍ଯ୍ୟରତ ଡାକ୍ତରଙ୍କ ସଂଖ୍ୟା ୩୨ହଜାରକୁ ବୃଦ୍ଧି ପାଇବ ।

ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଏଲୋପ୍ୟାଥିକ ଡାକ୍ତର ପଦବୀ ସଂଖ୍ୟା ୧୦୭୭୪ଥିବାବେଳେ ଏବେ ୮୨୧୩ଜଣ କାର୍ଯ୍ୟରତ ଓ ବାକି ପ୍ରାୟ ୨୫୬୧ଟି ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି । ସେହିପରି ଏହି ୫ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି ସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୫୭୭୪କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ,ଓଡ଼ିଶାରେ ଜନସଂଖ୍ୟା ଏବେ ୪.୬୩ କୋଟି ହୋଇଥିବାବେଳେ ରାଜ୍ୟରେ ପ୍ରାୟ ୪୬ହଜାର ଡାକ୍ତରଙ୍କ ଆବଶ୍ୟକତା ରହିଛି । ଯଦିଓ ଚଳିତବର୍ଷରୁ ରାଜ୍ୟରେ ବାର୍ଷିକ ୧୦୨୫ଜଣ ଛାତ୍ରଛାତ୍ରୀ ଏମବିବିଏସ୍ ଡିଗ୍ରୀ ହାସଲ କରୁଛନ୍ତି, ତଦନୁପାତରେ ସେମାନଙ୍କୁ ନିଯୁକ୍ତି ସରକାରୀସ୍ତରରେ ଦିଆଯାଉନଥିବା ଜଣାପଡ଼ିଛି ।

Leave A Reply

Your email address will not be published.