ସ୍ୱେଚ୍ଛାକୃତ ଅବସର ନେଲେ ଭିକେ ପାଣ୍ଡିଆନ

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମିଳିଛି । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଉଭୟ ବିଜେଡି ଓ ସରକାରୀ କଳରେ ପାଣ୍ଡିଆନ ପ୍ରଭାବଶାଳୀ  ଅଛନ୍ତି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ ସରକାରୀ ଚାକିରି ଛାଡ଼ିବାକୁ ନେଇ ରାଜନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ । ଏବେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବେ ନା ତାଙ୍କ ସ୍ଥାନରେ ଅନ୍ୟ କେହି ଅଫିସର ଦାୟିତ୍ୱ ସମ୍ଭାଳିବେ ତାହା ଜଣାପଡ଼ିନି ।

ନବୀନଙ୍କ ପରେ ବିଜେଡି ଓ ସରକାରରେ ସବୁଠୁ ପ୍ରଭାବଶାଳୀ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବାରୁ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ରହିଛି । ସାଧାରଣ ନିର୍ବାଚନରେ ବିଜେଡି ଟିକେଟ୍ ବଂଟନରେ ପାଣ୍ଡିଆନଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ ବୋଲି ଏବେଠୁ ସ୍ପଷ୍ଟ ହେଲାଣି । ପାଣ୍ଡିଆନ ସରକାରୀ ଚାକିରି ଛାଡ଼ିଥିବାରୁ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ କରିବାରେ ଆଉ ତାଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନବେଳେ ତାଙ୍କୁ ସରକାରୀ କର୍ମଚାରୀ ଭାବେ ଅଭିହିତ କରି ବିରୋଧୀ ଯେଉଁ ଶାଣିତ ଆକ୍ରମଣ କରୁଥିଲେ, ତାହା ମଧ୍ୟ ସମ୍ଭବପର ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.