xmas

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ମାଲକାନଗିରି, ୨୯।୧୦: ମାଲକାନଗିରି ଜିଲ୍ଲାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ଏହାକୁ ନେଇ ଜିଲ୍ଲା ସଦରରେ ଥିବା ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଫୁଲ୍ଲ ନନ୍ଦ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଚିନ ପଟେଲ, ସହକାରୀ ଅଗ୍ନିଶମ ଅଧିକାରୀ କମଳ ଲୋଚନ ଗୌଡ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ ଭୂଜବଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗୋଷ୍ଠୀ ସଶକ୍ତିକରଣ, ଗୋଷ୍ଠୀର ଆବଶ୍ୟକତା ଓ ଅସୁବିଧା ବିଷୟରେ ଆଲୋଚନା, ଗୋଷ୍ଠୀର ଉନ୍ନତି ଉପରେ ସରକାରଙ୍କ ହସ୍ତକ୍ଷେପ ରହିବା ଓ ଯୋଜନା ପ୍ରସ୍ତୁତି ଏବଂ ଗୋଷ୍ଠୀ ନିଜକୁ ସୁରକ୍ଷା ଦେବା ସହିତ ପରିବେଶ ସୁରକ୍ଷା ବିଷୟରେ ମନୋନିବେଶ କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସ୍ତରୀୟ, ସମସ୍ତ ପଞ୍ଚାୟତ ସମିତି ଓ ସଦର ମହକୁମା, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଆଦିରେ ପାଳନ କରାଯାଇଛି। ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ଅଭିଭାଷଣ ପ୍ରତିଯୋଗିତା ପୂର୍ବରୁ ଆୟୋଜନ କରାଯାଇଥିବା ବେଳେ ଚିତ୍ରାଙ୍କନ ଓ ଅଭିଭାଷଣ ପ୍ରତିଯୋଗିତା “ପୁନଃସକ୍ଷମଶୀଳ ଓଡ଼ିଶା ପାଇଁ ଗୋଷ୍ଠୀ ସଶକ୍ତିକରଣ” ଉପରେ ଆଧାରିତ ଥିଲା । ଆଜି ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ ଓ ଅଭିଭାଷଣ କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରଯାଇଥିଲା । ତେବେ ଆଜି ଏହି କାର୍ଯ୍ୟକ୍ରମ ନିମନ୍ତେ ସଚେତନତା ବାର୍ତା ପ୍ରସାରଣ ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାସ୍ତରରେ, ବ୍ଲକସ୍ତରରେ ଓ ୨ ଟି ସହରାଞ୍ଚଳରେ ୨୯ ଅକ୍ଟୋବରରେ ଆୟୋଜିତ ହୋଇଥିଲା । ଜିଲ୍ଲା ସ୍ତରରେ ଆପଦ ମିତ୍ର ସ୍ଵେଚ୍ଛାସେବୀ ମାନେ ଏହି ସଚେତନତା ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରୁ ଆରମ୍ଭ ହୋଇ ଜିଲ୍ଲାପରିଷଦ ପରିସର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ସ୍ଲୋଗାନରେ ଗୁଞ୍ଜରିତ ହୋଇଥିଲା । ସଚେତନତା ଶୋଭାଯାତ୍ରା ପରେ ପରେ ଆପଦ ମିତ୍ର ସ୍ଵେଚ୍ଛାସେବୀ ମାନେ ଜିଲ୍ଲା ପରିଷଦ ପରିସରରେ ନିଜ ନିଜର ସାମର୍ଥ୍ୟ ଓ କୌଶଳ ଅବଲମ୍ବନ କରି କେମିତି ଜନ ଜୀବନ ଉଦ୍ଧାର କରାଯାଇପାରିବ ସେବିଷୟରେ ମାଲକାନଗିରି ଅଗ୍ନିଶମ ବାହିନୀଙ୍କ ସହିତ ମିଶି ପ୍ରଦର୍ଶନ କରିଥିଲେ। ପରିଶେଷରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଉମା ପ୍ରସାଦ ଦାଶ “ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା” ସ୍ଲୋଗାନ ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ ସ୍ୱାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.