xmas

ବିଏସ୍‌ପିରେ ଆରମ୍ଭ ହେବ ନୂଆ ଯୁଗ, ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ବିଏସ୍‌ପି ନେତା ଉଦୟବୀର ସିଂହ କହିଛନ୍ତି, ସେ (ମାୟାବତୀ) କହିଥିଲେ ତାଙ୍କ ପରେ ଆକାଶ ଆନନ୍ଦ ତାଙ୍କ ଉତ୍ତରାଧିକାରୀ ହେବେ।

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା ଦଳୀୟ ବୈଠକରେ ମାୟାବତୀ ଏହି ଘୋଷଣା କରିଛନ୍ତି।

ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ସେ ଲଣ୍ଡନରେ ଏମ୍‌ବିଏ କରିଛନ୍ତି। ୨୦୧୭ରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେହିବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସହରଣପୁରରେ ଏକ ରାଲି ବେଳେ ତାଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ସହିତ ଦେଖିବାକୁ ମିଳିଥିଲା। ତାହା ଥିଲା ରାଜନୀତିରେ ତାଙ୍କର ପ୍ରବେଶ। ୨୦୧୭ରୁ ସେ ବିଏସ୍‌ପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ।   

୨୦୧୯ରେ ମାୟାବତୀ ତାଙ୍କ ସାନଭାଇ ଆନନ୍ଦ କୁମାରଙ୍କୁ ଦଳର ଜାତୀୟ ସଭାପତି ଭାବେ ନିଯୁକ୍ତି ଦେଇଥିଲେ। ସେହିପରି ଆକାଶଙ୍କୁ ଜାତୀୟ ସଂଯୋଜକ ଦାୟିତ୍ୱ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ସେ ତାଙ୍କର ପ୍ରଥର ରାଲିକୁ ସମ୍ବୋଧିତ କରିଥିଲେ। ଆଗ୍ରାରେ ଏହି ରାଲି ଅନୁଷ୍ଠିତ ହୋଇଥିଲା।  

ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ଆଜିର ବୈଠକ ଡାକିଥିଲେ ମାୟାବତୀ। ଏହି ବୈଠକରେ ଆକାଶ ଆନନ୍ଦଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିବା ସହିତ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳକୁ ମଜବୁତ କରିବାକୁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି।

ବିଏସ୍‌ପି ନେତା ଉଦୟବୀର ସିଂହ କହିଛନ୍ତି, ସେ (ମାୟାବତୀ) କହିଥିଲେ ତାଙ୍କ ପରେ ଆକାଶ ଆନନ୍ଦ ତାଙ୍କ ଉତ୍ତରାଧିକାରୀ ହେବେ। ଯେଉଁ ସ୍ଥାନଗୁଡ଼ିକରେ ବିଏସ୍‌ପି ଦୁର୍ବଳ ଅଛି, ସେଠାରେ କେମିତି ଦଳକୁ ସୁଦୃଢ଼ କରାଯିବ ଓ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେମିତି ପ୍ରସ୍ତୁତି କରାଯିବ, ସେ କଥା ଆକାଶ ଆନନ୍ଦ ଦେଖିବେ। ବେହେନ ଜୀ (ମାୟାବତୀ) ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଦଳର ନେତୃତ୍ୱ ନେବେ। ଅନ୍ୟ ରାଜ୍ୟଗୁଡ଼ିକରେ ଆନନ୍ଦ ଜୀ ଦଳର ନେତୃତ୍ୱ ନେବେ।

ଆକାଶ ଆନନ୍ଦଙ୍କୁ ମାୟାବତୀ ଉତ୍ତରାଧିକାରୀ କରିବେ ବୋଲି ପୂର୍ବରୁ ଆଭାସ ମିଳିଥିଲା। କାରଣ ବର୍ଷେ ହେଲାଣି ସେ ଦଳର ସମସ୍ତ ବ୍ୟାପାର ବୁଝି ଆସୁଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଥିଲା। ବିଶେଷ କରି ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଉପରେ ତାଙ୍କୁ ଫୋକସ କରିବାକୁ କୁହାଯାଇଥିଲା। ରାଜସ୍ଥାନରେ ବିଏସ୍‌ପି ଦୁଇଟି ଆସନ ଜିତିଥିବା ବେଳେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାରେ ନିରାଶ ହୋଇଛି।

କିଏ ଆକାଶ ଆନନ୍ଦ ?

ଆକାଶ ଆନନ୍ଦ ବିସପି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ଗୁରୁଗ୍ରାମରେ ବିଦ୍ୟାଳୟ ପାଠପଢ଼ା ସାରି ସେ ଆଗାମୀ ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ଲଣ୍ଡନରେ ହିଁ ସେ ଏମବିଏ ପାଠପଢ଼ା ସାରିଛନ୍ତି । ସେ ୨୦୧୭ରୁ ଦଳ ସହ ସକ୍ରିୟ ଅଛନ୍ତି। ଗତ ଛଅ ବର୍ଷରୁ ତାଙ୍କର ସକ୍ରିୟତା ଲଗାତାର ବଢ଼ିଛି। ବର୍ତ୍ତମାନ ସେ ଦଳର ଜାତୀୟ ସଂଯୋଜକ ପଦରେ ଅଛନ୍ତି। ସେ କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ ସଂଗଠନର ବୈଠକ ଏବଂ ସଭା କରିଛନ୍ତି।

ତେବେ ରାଜନୀତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ମାୟାବତୀ ଏବେ ଆକାଶଙ୍କୁ ଭବିଷ୍ୟତର ରାଜନୀତି ପାଇଁ ପ୍ରସ୍ତୁତ କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଉତ୍ତର ଦାୟିତ୍ବ ଦେଇ ସେ ନିର୍ବାଚନୀ ଗୋଟି ଚାଳନା, ଟିକେଟ ବିତରଣ ଏବଂ ରାଜନୀତିର ସବୁ ଦିଗରେ ପାରଙ୍ଗମ କରିବାକୁ ଚେଷ୍ଟା କରିବେ। ଫଳରେ ଆଗକୁ ବିଏସପିକୁ ସମ୍ଭାଳିବାକୁ ସେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବେ।

Leave A Reply

Your email address will not be published.