ଇସ୍ତଫା ଦେଲେ ହେମନ୍ତ, ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ସହ ତାଙ୍କୁ ଗିରଫ ମଧ୍ୟ କରିବାର ଆଶଙ୍କା ପାଇଛି। ଏହି କାରଣରୁ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚମ୍ପାଇ ସୋରେନ ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ପରିଚିତ। 

ଇଡି ଆଜି ଅପରାହ୍ନ ୩ଟାରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରି ଯାଇଛନ୍ତି। ଜେରା ଶେଷ ହେବା କ୍ଷଣି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। 

ଚମ୍ପାଇ ସୋରେନ ନିଜେ ହେମନ୍ତ ସୋରେନଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏଥିସହ ଜେଏମଏମ ସହ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକମାନେ ମଧ୍ୟ ରାଜଭବନରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ଚମ୍ପାଇ ସୋରେନ ବିଧାୟକ ଦଳର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛନ୍ତି।

ହେମନ୍ତ ସୋରେନଙ୍କ ସରକାରରେ ଚମ୍ପାଇ ସୋରେନ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ପଟେ ଇଡି ହେମନ୍ତ ସୋରେନଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଝାଡ଼ଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଛନ୍ତି, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନୂଆ ନେତା ଭାବେ ମନୋନୀତ ହୋଇଛନ୍ତି। ସବୁ ବିଧାୟକ ଆମ ସହ ରହିଛନ୍ତି।” ଇଡି ଦୀର୍ଘ ଘଣ୍ଟା ହେଲା ହେମନ୍ତଙ୍କୁ ଜେରା କରୁଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। 

କିଏ ଏହି ଚମ୍ପାଇ ସୋରେନ ?

ଚମ୍ପାଇ ସୋରେନ ସଢେଇକଳା-ଖରସୁଆଁ  ଜିଲ୍ଲା ଜିଲିଙ୍ଗଗୋଡ଼ା ଗାଁର ବାସିନ୍ଦା। ତାଙ୍କ ବାପାଙ୍କ ନାଁ ସିମଲ ସୋରେନ, ଯିଏ ଜଣେ ଚାଷୀ ଅଟନ୍ତି। ପରିବାରରେ ଚମ୍ପାଇ ଚାରି ପିଲାଙ୍କ ମଧ୍ୟରୁ ବଡ଼ ପୁଅ। ସରକାରୀ ସ୍କୁଲରେ ସେ ଦଶମ ପର୍ଯ୍ୟନ୍ତ ପଢିଛନ୍ତି। ଏହି ସମୟରେ ଅଳ୍ପ ବର୍ଷ ବୟସରେ ମାନକୋଙ୍କୁ ସେ ବିବାହ କରିଥିଲେ। ଚମ୍ପାଇଙ୍କର ୪ ପୁଅ ଓ ୩ ଝିଅ ଅଛନ୍ତି।

 ଏହି ସମୟରେ ବିହାରରୁ ଅଲଗା ହୋଇ ସ୍ଵତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଦାବି ଜୋର ଧରିଥିଲା। ଶିବୁ ସୋରେନଙ୍କ ସହିତ ଚମ୍ପାଇ ଝାଡ଼ଖଣ୍ଡ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ତାଙ୍କର ଭାଷଣ ଓ ଆଭିମୁଖ୍ୟ ଯୋଗୁଁ ସେ ଖୁବ୍ ଶୀଘ୍ର ଝାଡ଼ଖଣ୍ଡ ଟାଇଗର ଭାବେ ପ୍ରସିଦ୍ଧିଲାଭ କରିଥିଲେ। ଏହାପରେ ଚମ୍ପାଇ ସୋରେନ ସଢେଇକଳା ସିଟରୁ ଉପ ନିର୍ବାଚନ ଜିତି ସ୍ଵାଧୀନ ବିଧାୟକ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ରେ ଯୋଗ ଦେଇଥିଲେ। ସେ ସଢେଇକଳା ନିର୍ବାଚନ ମଣ୍ଡଳିରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି। 

ବିଜେପି ସରକାରରେ ରହିଥିଲେ ମନ୍ତ୍ରୀ

ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ସେ ୨୦୧୦ ସେପ୍ଟେମ୍ବର ୧୧ରୁ ୨୦୧୩ ଜାନୁଆରୀ ୧୮ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ। ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।

ଏହା ପରେ ୨୦୧୯ରେ ପୁଣି ଥରେ ହେମନ୍ତ ସୋରେନଙ୍କ କାର୍ଯ୍ୟକାଳରେ ଚମ୍ପାଇ ସୋରେନଙ୍କୁ ପରିବହନ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ କରାଯାଇଥିଲା। ଚମ୍ପାଇ ଜେଏମଏମର ଉପସଭାପତି ମଧ୍ୟ ଅଛନ୍ତି। ରାଜନୈତିକ ଘଟଣାକ୍ରମ ମଧ୍ୟରେ ଚମ୍ପାଇଙ୍କୁ ଆଜି ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ଏହାପରେ ସେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବେ।

Leave A Reply

Your email address will not be published.