ପ୍ରାଣୀ ଚିକିତ୍ସା ସେବା ସଂଘର ଆନ୍ଦୋଳନ ଯୋଗୁଁ ରୋଗରେ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ଅନେକ ପ୍ରାଣୀ

ମାଲକାନଗିରି: ୪ ଦଫା ଦାବି ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଡାକରା କ୍ରମେ ମାଲକାନଗିରି ଜିଲ୍ଲାର ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗରେ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ଅନେକ ପ୍ରାଣୀ । ସମୂହ ଛୁଟି ଆନ୍ଦୋଳନ ୧୪ ଦିନରେ ପହଂଚିଛି। ତେବେ ଏହି ସମୂହ ଛୁଟି ନିଷ୍ପତି ଯୋଗୁଁ ପ୍ରାଣୀଙ୍କ ଚିକିତ୍ସା ଗତ ୧୪ ଦିନ ଧରି ବନ୍ଦ ରହିଛି । ଫଳରେ ମାଲକାନଗିରି ସହର ସମେତ ଜିଲ୍ଲାର ଗ୍ରାମାଞ୍ଚଳର ବହୁ ପ୍ରାଣି ଚିକିତ୍ସା ଅଭାବରୁ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ପୂର୍ବରୁ ସହରର ସାମାଜସେବୀମାନେ ଆଜି ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଜି ମଧ୍ୟ ଚିକିତ୍ସା ଅଭାବରୁ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ବେଳେ ଏକ ଛେଳି ଗତ ୩ ଦିନ ଧରି ଛଟପଟ ହେଉଥିବା ଦେଖାଯାଇଛି । ଛେଳିର ଚିକତ୍ସା କରାଯାଉ ନ ଥିବାରୁ ପ୍ରାଣୀ ମାଲିକ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନର ବାଟ ବାହାର କରିବାକୁ ଦାବି କରିଛନ୍ତି । ଏଥିସହ ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଜିଲ୍ଲାପାଳ ୩ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଆଗାମୀ ୩ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ପ୍ରାଣୀଙ୍କ ମୃତ୍ୟୁକୁ ଆନ୍ଦୋଳନରତ ପ୍ରାଣୀ ଚିକିତ୍ସକ ଦୁଃଖ ପ୍ରକାଶ କରିବା ସହ ସରକାର ଦାବି ପ୍ରତି ଦୃଷ୍ଟି ଦେଲେ, କାର୍ଯ୍ୟରେ ଯୋଗ ଦେବୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରୁ ୪ ଦଫା ନେଇ ମାଲକାନଗିର ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଅଛନ୍ତି I ଦାବି ମଧ୍ୟରେ ପ୍ରାଣୀ ସେବା କ୍ଷେତ୍ରରେ ରୂପାନ୍ତରିତ କରି ୨୪ ଘଂଟିଆ ସେବା ବ୍ୟବସ୍ଥା, ବିଶେଷଜ୍ଞ ବ୍ୟବସ୍ଥା, ଜଟିଳ ରୋଗରେ ପିଡ଼ିତ ପ୍ରାଣୀଙ୍କୁ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ଭଳି ପଦନ୍ନତି, କେନ୍ଦ୍ର ସରକାରଙ୍କ ପ୍ରାଣୀ ଚିକିତ୍ସକଙ୍କ ହାରରେ ଏନ.ପି.ଏ ପ୍ରଦାନ, ପ୍ରାଣି ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି ଓ କ୍ୟାଡ଼ର ପୁନଃର୍ଗଠନ ଆଦି ଅନ୍ତର୍ଭୁକ୍ତ । ତେବେ ସରକାର କେବେ ପ୍ରାଣୀ ଚିକିତ୍ସକଙ୍କ ଦାବୀ ପୂରଣ କରି ପ୍ରାଣୀଙ୍କ ଅକାଳରେ ଯାଉଥିବା ଜୀବନ ବଞ୍ଚାଇବେ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.