ଚକ୍ରଧାରୀ ଶରନ ସିଂ ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ  ନିଯୁକ୍ତି ପାଇଛନ୍ତି

ନୂଆଦିଲ୍ଲୀ/କଟକ: ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ  ନିଯୁକ୍ତି ପାଇଛନ୍ତି । ଆଜି ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଷ୍ଟ୍ରପତି ସମ୍ବିଧାନର ଧାରା ୨୧୭(୧)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏବେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟ କରୁଛନ୍ତି ।

୨୦୨୩, ନଭେମ୍ବର ୨ରେ ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲା। ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଂଜୟ କିଶନ କଉଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମର ବୈଠକରେ ଆଲୋଚନା କରାଯାଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ ସିଂହଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଜଷ୍ଟିସ ସିଂହ ୧୯୬୩, ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୦, ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ଆଇନଜୀବୀ ପେସାର ପ୍ରାରମ୍ଭିକ ପଯ୍ୟାୟରେ  ସେ ପାଟନା ହାଇକୋର୍ଟର କାଉନସେଲ ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ। ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ କାଉନସେଲ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ମେଡିଏଟରର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ ଓ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ। ୨୦୧୦, ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ୨୦୧୦, ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବିରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨, ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ୨୦୨୩, ଫେବ୍ରୁଆରି ୬ରେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ସହିତ ରାଜସ୍ଥାନ, ଉତ୍ତରାଖଣ୍ଡ, ଗୌହାଟୀ, ଆହ୍ଲାବାଦ ଓ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.