xmas

ଓଡ଼ିଶା ଆସିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର, ଆସନ୍ତାକାଲି ଶେଷକୃତ୍ୟ

ସୁଜ୍ଞାନ କୁମାରୀ ଦେଓଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଗତକାଲି ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଭୁବନେଶ୍ୱର: ଶେଷ ଯାତ୍ରାରେ ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ। ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ପାର୍ଟି ଅଫିସ ଅଣାଯାଇଥିଲା। ଶଙ୍ଖଭବନରେ ଦଳୀୟ ନେତା ମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ପହଞ୍ଚି ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକ ମାନେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ। ଆସନ୍ତାକାଲି ଶେଷକୃତ୍ୟ ପାଇଁ ତାଙ୍କର ପାର୍ଥିବ ଶରୀରକୁ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟକୁ ନିଆଯିବ। ତା ପରେ ତାଙ୍କର ଶେଷକୃତ୍ୟ କରାଯିବ।

ସୁଜ୍ଞାନ କୁମାରୀ ଦେଓଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଗତକାଲି ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା।

ସୁଜ୍ଞାନ କୁମାରୀ ଦେଓ ୧୯୩୭ ଅଗଷ୍ଟ ୫ରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ରାଜା ଆର.ଭି.ଏମ୍. ନୀଳାଦ୍ରି ରାଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ। ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ନେତ୍ରୀ ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ୧୯୬୧ରେ ଜାତୀୟ କଂଗ୍ରେସ ଟିକଟରେ ଖଲ୍ଲିକୋଟରୁ ଆରମ୍ଭ କରିଥିଲେ ଏହି ଜୟଯାତ୍ରା।

୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସୁଜ୍ଞାନ। ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ହୋଇଥିଲେ ବିଧାୟିକା। ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ଯ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ।

ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ ଚତୁର୍ଥ ଥର ପାଇଁ ବନିଥିଲେ ବିଧାୟିକା। ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ପଞ୍ଚମ ଥର ଲାଗି ନିର୍ବାଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁଜ୍ଞାନ। ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହିଆସିଥିଲେ। କିନ୍ତୁ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ।

Leave A Reply

Your email address will not be published.