xmas

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ‘ସମୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

ଦୁଇ ଦିନ ତଳୁ ସାତକଡ଼ି ହୋତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଖାଇବା ଛାଡ଼ି ଦେଇଥିଲେ। ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଆଉ ଦିନ ୧୨ଟା ୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ଅନ୍ୟ ସଂପର୍କୀୟମାନେ ଉପସ୍ଥିତ ଥିଲେ। ତାଙ୍କ ମଝିଆଁ ପୁଅ ଚେନ୍ନାଇରୁ ଆସିବା ପରେ ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।  

ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଥିଲେ। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା। କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ। ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶ ପାଇଥିଲା। 

୧୯୮୭ରେ ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ। ୧୯୮୫ ମସିହାରେ ଭୁବନେଶ୍ୱର ପୁସ୍ତକ ମେଳା ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ମଧ୍ୟ ଥିଲେ।

ଲେଖକ, ଅନୁବାଦକ ଓ ସମାଲୋଚକ ଅସିତ ମହାନ୍ତି କହିଛନ୍ତି, ସାତକଡ଼ି ହୋତା କେବଳ ଜଣେ ବିଶିଷ୍ଟ ଲେଖକ ନଥିଲେ, ସେ ଜଣେ ଭଲ ସଂଗଠକ ମଧ୍ୟ ଥିଲେ। ଅନେକ ସଂଗଠନର ସେ ପୁରୋଧା ସାଜିଥିଲେ। ଭୁବନେଶ୍ୱର ପୁସ୍ତକ ମେଳା ତାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା। ସେ ଓଡ଼ିଶା ଲେଖକ ସମବାୟ ସମିତିର ମଧ୍ୟ ସଭାପତି ଥିଲେ। ଏମିତି ବହୁ ସଂସ୍ଥା ସହିତ ସେ ନିଜେ ଜଡ଼ିତ ଥିଲେ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସଂପର୍କରେ ସେ ପ୍ରଥମେ ସରକାରଙ୍କୁ ଚିଠି ଲେଖିଥିଲେ। ବାହାର ରାଜ୍ୟରେ ଶାସ୍ତ୍ରୀୟ ମାନ୍ୟତା ବାବଦରେ ଯେଉଁ କାର୍ଯ୍ୟକଳାପ ଚାଲିଥିଲା, ତାକୁ ନିଜେ ଦେଖିଲା ପରେ ସେ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଓଡ଼ିଆ ଭାଷା କାହିଁକି ଶାସ୍ତ୍ରୀୟ ମାନ୍ୟତା ନପାଇବ ବୋଲି କହିଥିଲେ। ଏଭଳି ବହୁ ଅବଦାନ ତାଙ୍କର ରହିଛି। ସେ ‘ସମୟ’ ଖବର କାଗଜର ଆରମ୍ଭରୁ ଏଯାବତ ତା’ର ସମ୍ପାଦକ ରହି ଆସିଥିଲେ। 

ଶ୍ରୀ ମହାନ୍ତି କହିଛନ୍ତି, ଅନେକ ସାହିତ୍ୟିକ ନିଜେ କିପରି ଉନ୍ନତି କରିବେ, ନିଜର କେମିତି ପ୍ରଚାର ପ୍ରସାର ହେବ, ସେ ଦିଗରେ ଚିନ୍ତା କରୁଥିବା ବେଳେ ସାତକଡ଼ି ହୋତା ଥିଲେ ବିରଳ ସାହିତ୍ୟିକ। ସେ ନିଜ ସାହିତ୍ୟ ବିଷୟରେ ଯେତିକି ଚିନ୍ତା କରୁ ନଥିଲେ, ସାହିତ୍ୟର ସାମୂହିକତା ବିଷୟରେ ଅଧିକ ଚିନ୍ତା କରୁଥିଲେ। ଓଡ଼ିଆ ସାହିତ୍ୟ କେମିତି ଆଗକୁ ଯିବ, ବିଭିନ୍ନ ସାହିତ୍ୟ ସଂଗଠନ ଗୁଡ଼ିକ କିପରି ସୁଦୃଢ଼ ହେବ, ସାହିତ୍ୟିକମାନଙ୍କର କିପରି ସାମୂହିକ ଉନ୍ନତି ହେବ, ସେ ସବୁ ଦିଗରେ ସାତକଡ଼ି ହୋତା ଚିନ୍ତା କରୁଥିଲେ।  

Leave A Reply

Your email address will not be published.