ନିମ୍ନମାନର ରାସ୍ତା କାମ ବନ୍ଦ କରିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ମହେଶ୍ବରୀ କଲୋନୀ ବାସିନ୍ଦା

ମାଲକାନଗିରି, ୧୦।୩: ସହରାଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ରାସ୍ତା ଘାଟର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଯେଉଁଥି ପାଇଁ ଅନେକ ଅଞ୍ଚଳର ବିକାଶ ହେବା ସହ ବିଭିନ୍ନ କ୍ଷେତ୍ରରେ ଅନେକ ସୁବିଧା ହୋଇଛି । ତେବେ ଏସବୁ ମଧ୍ୟରେ କିଛି ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଲୋକେ । ସମାନ କିଛି ଅଭିଯୋଗ ଆସିଛି ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟ ଠିକ ସାମ୍ନାରେ ଥିବା ମହେଶ୍ବର କଲୋନୀରୁ । ଏହି କଲୋନୀରେ ଥିବା ପୁରୁଣା ରାସ୍ତାର ମରାମତି ପାଇଁ ରାସ୍ତା କାମ ହେଉଥିବା ବେଳେ ଏହା ସମ୍ପୂର୍ଣ ନିମ୍ନମାନର ବୋଲି ଅଭିଯୋଗ କରି ପୌର ପରିଷଦର ନିର୍ବାହି ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଘେରିଛନ୍ତି ମହେଶ୍ବରୀ କଲୋନୀ ବାସିନ୍ଦା । ମହେଶ୍ବରୀ କଲୋନୀ ବାସିନ୍ଦାଙ୍କ କହିବା ହେଲା, ପୌର ପରିଷଦ କାର୍ଯ୍ୟାଳୟ ସାମ୍ନାରେ ଥିବା ରାସ୍ତା ଯାହାକି ମହେଶ୍ବରୀ କଲୋନୀ ଦେଇ ଦୈନିକ ବଜାର ରାସ୍ତା ସହ ମିସିଛି । ଏହି ରାସ୍ତାଟି ଦିର୍ଘ ଦିନ ହବ ଖାଲ ଖମାରେ ପରିପୂର୍ଣ ହୋଇ ରହିବା ସହ ରାସ୍ତାଟି ଖରାପ ହୋଇ ପଡି ରହିଥିଲା । ଯାହା ଫଳରେ ବର୍ଷା ଦିନେ ପାଣି ଜମିବା ସହ ଓ ଯାତାୟତରେ ବାଧାସୃଷ୍ଟି ହେଉଥିଲା । ଏହାକୁ ଦେଖି ପୌର ପରିଷଦ ପକ୍ଷରୁ ଏହି ରାସ୍ତାର ମରାମତି ପାଇଁ ଅର୍ଥ ମଞ୍ଜୁର ହବା ପରେ ଟେଣ୍ଡର କରି କାମ ଆରମ୍ଭ କରାଗଲା । ଲୋକେ ରାସ୍ତା କମ ଆରମ୍ଭ ହେବାରୁ ଖୁସି ପ୍ରକାଶ କରିଥିବା ବେଳେ ଏହି ରାସ୍ତାର କାମକୁ ଦେଖି କିନ୍ତୁ କ୍ଷୋଭ ପ୍ରକାଶ କରିଛନ୍ତି । କାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତାରେ କେବଳ ପଥର ଗୁଣ୍ଡ ପକା ଯାଇଥିବା ବେଳେ ବର୍ତ୍ତମାନ ଏହା ଉପରେ ପିଚୁ ପକା ଯିବ । ତେବେ କେବଳ ପଥର ଗୁଣ୍ଡ ଉପରେ ପିଚୁ ପକାଇଲେ ଏହି ରାସ୍ତା ଦବି ଯିବ ଓ ପୂର୍ବ ପରିସ୍ଥିତିକୁ ଫେରିବ । ତେଣୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ପୂର୍ବରୁ ପୌର ପରିଷଦର ସହକାରୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନଥିବାରୁ ଲୋକେ ବାଧ୍ୟ ହୋଇ ପୌର ପରିଷଦର ନିର୍ବାହି ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରି ନିମ୍ନମାନର କାମକୁ ନେଇ ପ୍ରଶ୍ନ କରିଥିଲେ । ୪ ନମ୍ବର ୱାର୍ଡ ମହେଶ୍ବର କଲୋନୀର କିଛି ଲୋକଙ୍କ କହିବା ଅନୁସାରେ ସେମାନେ ଯେତେବେଳେ ପୌର ପରିଷଦର ନିର୍ବାହି ଅଧିକାରୀ ସହ ଦେଖା କରିଥିଲେ, ସେହି ସମୟରେ ନିର୍ବାହି ଅଧିକାରୀ ସେମାନଙ୍କୁ ପ୍ରଶ୍ନ କରିଥିଲେ ଆପଣ ମାନଙ୍କ ମଧ୍ଯରେ କିଏ ଟେକ୍ନିକାଲ ପର୍ଶନ ଅଛନ୍ତିକି, ଯଦି କାମ ବିଷୟରେ କିଛି ଜାଣିନାହାନ୍ତି ତେବେ ଜେଇ ଓ ଏଇ ଯାହା କହିବେ ସେହି ଅନୁସାରେ କାମ କରାଯିବ କହି ସେମାନଙ୍କୁ ଫେରାଇ ଦେଇଥିଲେ । ସେହିଭଳି ସେମାନଙ୍କ କହିବା ଅନୁଯାଇ ତିନି ବର୍ଷ ପୁର୍ବେ ଏହି ରାସ୍ତା କାମ କରାଯାଇଥିଲା, କିନ୍ତୁ ଏହି ରାସ୍ତା କାମ ଏତେ ନିମ୍ନମାନର କରାଯାଇଥିଲା ଯେ ୧୫ ଦିନ ମଧ୍ଯରେ ଏହି ରାସ୍ତାର ପିଚୁ ଉଠିଯାଇ ନଷ୍ଟ ହୋଇ ଯାଇଥିଲା ରାସ୍ତାଟି । ଏଣୁ ଏଭଳି ନିମ୍ନମାନର କାମ ନକରାଯାଇ ଉତ୍ତମ ଭାବେ କାମ କରିବାକୁ ଲୋକେ ଦାବି କରିଛନ୍ତି । ତେବେ ଏନେଇ ପୌର ପରିଷଦ ନିର୍ବାହି ଅଧିକାରୀ ରାଜେନ୍ଦ୍ର କୁମାର ଖରା ବିଭାଗୀୟ ଏଇ ଓ ଜେଇଙ୍କୁ ଏସ୍ଟିମେଟ ଦେଖି ଭଲ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି ।

Leave A Reply

Your email address will not be published.