ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର

ଦାମ ରାଉତଙ୍କର ବ୍ରେନ ଡେଡ୍ ହୋଇ ଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ ସିପିଆର ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦାମୋଦର ରାଉତଙ୍କର ଚିକିତ୍ସା ଚାଲିଛି। ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ଏହାସହ ‘ବିଜେଡିର ତୁଣ୍ଡ’ ଭାବେ ପରିଚିତ ଥିଲେ ଡାକ୍ତର ରାଉତ। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଦାମ ରାଉତ। ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଶାସକ ଦଳକୁ ବିପଦରେ ପକାଇଥିଲେ ଡାକ୍ତର ରାଉତ। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ତା’ପରେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ ହୋଇନଥିଲା। ସେ ପୂର୍ବ ଅପେକ୍ଷା ଅଧିକ କହିଲେ।

ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। କିଛି ଦିନର ନିରବତା ପରେ ଡାକ୍ତର ରାଉତ ବିଜେପିରେ ମିଶିଥିଲେ। ଏପରିକି ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମାରେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ମାତ୍ର ସେଠାରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ। ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ। 

୧୯୪୨ ମସିହା ଜୁଲାଇ ୨ ତାରିଖରେ  ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ଥର  ନିର୍ବାଚିତ ହୋଇଛନ୍ତି। ୧୯୫୭ ମସିହାରୁ ଡାକ୍ତର ରାଉତ ବିଜୟ ଯାତ୍ରା ଆରମ୍ଭ କରିଥିଲେ। 

Leave A Reply

Your email address will not be published.