mobile header

ନୀରବି ଗଲେ ନିର ସାର: ଅଞ୍ଚଳରେ ଶୋକର ଛାୟା

ବଡ଼ଚଣା: ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲିର ମା’ ମଲ୍ୟାଶୁଣୀ ହାଇସ୍କୁଲର ପୂର୍ବତନ ଶିକ୍ଷକ ନିରଞ୍ଜନ ପାତ୍ର (ନିର ସାର)ଙ୍କର (୬୪) ହୃଦଘାତରେ ପରୋଲକ ହେଇଯାଇଛି । ପ୍ରକାଶ ଯେ ତାଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ହେଉଥିବା ସମୟରେ ମୃତ୍ୟୁ ଘଟିଥିଲା । ଏହି ଖବର ମିଳିବା ସଙ୍ଗେ ସଙ୍ଗେ ନିଜ ଗାଁ ଗରଗାଲି ସମେତ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ମରଶରୀର ହସ୍ପିଟାଲରୁ ଘରକୁ ଆସିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୂର୍ବତନ ଓ ବର୍ତ୍ତମାନର ଛାତ୍ର/ଛାତ୍ରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ୱାର୍ଡ ପ୍ରତିନିଧି, ସମସ୍ତ ଶିକ୍ଷକ ଓ ଅଞ୍ଚଳର ବହୁ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ଅଭିଜ୍ଞ ବ୍ୟକ୍ତି ଥିଲେ l ଚାକିରି ଜୀବନ ବହୁତ ଛାତ୍ର/ଛାତ୍ରୀଙ୍କୁ ନିଜର ପାରିଦର୍ଶତାରେ ଭଲ ମଣିଷ ତିଆରି କରିବାରେ ସେ ମାହିର ଥିଲେ । ସେ ଇତିହାସ ଓ ଭୂଗୋଳ ବିଷୟରେ ଅଗାଢ ଜ୍ଞାନ ହାସଲ କରିଥିଲେ । ଏହି ଦୁଇଟା ବିଷୟ ତାଙ୍କ ମୁହଁରେ ପୁରା ରହିଥିଲା । ବହି ନ ଦେଖି ସେ ଶିକ୍ଷା ଦେଉଥିବାରୁ ସ୍କୁଲ ତଥା ଅଞ୍ଚଳ ପାଇଁ ଏକ ଗୌରବ ଥିଲେ । ତାଙ୍କ ମରଶରୀରକୁ ପଞ୍ଚାୟତ ପରିଭ୍ରମଣ କରି ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ତାଙ୍କର ଏକ ମାତ୍ର ପୁଅ ବାବୁନା ମୁଖାଗ୍ନି ଦେଇଥିଲେ । ତାଙ୍କର ଦୁଇ ଝିଅ ବିବାହ କରିସାରିଥିବା ବେଳେ ଗୋଟେ ପୁଅ ମଧ୍ୟ ବିବାହ କରିସାରିଛନ୍ତି । ଘରେ ତାଙ୍କର ପୁଅ ସହ ବିଧବା ପତ୍ନୀ ଅଛନ୍ତି ।

Leave A Reply

Your email address will not be published.