ଦଳୀୟ ପ୍ରଚାର ଗାଡିକୁ ପଥର ଫିଙ୍ଗିବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ ଏତଲା

ମାଲକାନଗିରି: ନିର୍ବାଚନ ପାଖେଇ ଆସିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଗାଡି ବିଭିନ୍ନ ସ୍ଥାନରେ ପହଞ୍ଚି ପ୍ରଚାର ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ସମାନ ରୂପେ ବିଭିନ୍ନ ରାଜନୈତିକ ଦଳର ଗାଡି ପ୍ରଚାର ପାଇଁ ଆସିଥିବା ବେଳେ ଏହି ପ୍ରଚାର ଗାଡି ଉପରକୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଥର ମାରି ଭଙ୍ଗା ରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତ କାଲି ମାଲକାନଗିରି ଥାନା ଅନ୍ତର୍ଗତ ସ୍ଥାନୀୟ ସତିଗୁଡା ଗ୍ରାମ ନିକଟରେ ବିଜୁ ଜନତା ଦଳର ପ୍ରଚାର ଗାଡି ପ୍ରଚାର କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଶୁଭ୍ରାଂଶୁ ନାୟକ ଏବଂ ରବି ପାଙ୍ଗିଙ୍କ ସହ ଅନ୍ୟ ୪ଜଣ ସେଠାରେ ପହଞ୍ଚି ଏହି ପ୍ରଚାର ଗାଡିକୁ ବିରୋଧ କରିବା ସହ ପ୍ରଚାର ବନ୍ଦ ପାଇଁ କହି ଗାଳି ଗୁଲଜ କରିଥିଲେ । ଏହାସହ ଗାଡିରେ ଲାଗିଥିବା ଏଲଇଡିକୁ ପଥର ମାରି ଭାଙ୍ଗିବାକୁ ଚେଷ୍ଟା କରିବା ସହ ପୋଷ୍ଟର ଗୁଡିକୁ ମଧ୍ୟ ଚିରି ଥିବା ନେଇ ମାଲକାନଗିରି ଥାନାରେ ବିଜୁ ଜନତା ଦଳର ଯୁବ ନେତା ରାଜେସ ହରିଜନ ଲିଖିତ ଅଭିଯୋଗ କରି ଘଟଣାର ଉପଯୁକ୍ତ ତଦନ୍ତ ଅକ୍ରିୟ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଜଣେ ଜଣେ ସରକାରୀ କର୍ମଚାରୀ ଏବଂ ବିଏଲପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ଏପରି କାହିଁକି କରିଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚା ଜୋର ଧରିବା ସହ ସେ ଏକ ନିର୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବା ମଧ୍ୟ ଚର୍ଚା ହେଉଛି । ଏନେଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି, ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ।

Leave A Reply

Your email address will not be published.