ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପର ସଫଳତା ପାଇଁ ଧର୍ମେନ୍ଦ୍ରଙ୍କ ମନରେ ରାଗ, କ୍ରୋଧ ଓ ଇର୍ଷା ଭରି ରହିଛି: ବିଜେଡି

ପୂର୍ବରୁ ବିଏସକେୱାଇ ବିରୋଧରେ କହୁଥିଲେ, ଏବେ ଚୁପ୍ ରହୁଛନ୍ତି
ଭୁୁବନେଶ୍ୱର, ୦୫/୦୫/୨୦୨୪: ଓଡିଶାର ସଂସ୍କୃତି, ସ୍ୱାଭିମାନ, ସଭ୍ୟତାର କଥା କହୁଥିବା ଓଡିଶା ବିଜେପି ନେତାଙ୍କର ଅସଲ ଚେହେରା ଧରାପଡିଗଲା, ଯେତେବେଳେ ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଓଡିଶା ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇଲେ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଏହା କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ମା ସମଲେଇ ପ୍ରକଳ୍ପର ସଫଳତାକୁ ନେଇ ତାଙ୍କ ମନରେ କେତେ କ୍ରୋଧ, ଇର୍ଷା, ରାଗ ଭରି ରହିଛି ତାହା ଜଳ ଜଳ ହୋଇ ଶ୍ରୀ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀରେ ସଭିଙ୍କ ସାମ୍ନାରେ ଧରାପଡିଗଲା । ଆରମ୍ଭ ଦିନରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ଏହି ଧାର୍ମିକ ସ୍ଥଳୀର କାର୍ଯ୍ୟକୁ ପାଇଖାନା ସହ ତୁଳନା କରି ନିଜର ଅସଲ ଚିନ୍ତାଧାରାକୁ ଓଡିଶାବାସୀଙ୍କ ସାମ୍ନାରେ ରଖିଲେ । ସମଲେଇ ପ୍ରକଳ୍ପକୁ ଆରମ୍ଭ ଦିନରୁ ନିଜର ଅନୁଗତଙ୍କ ଜରିଆରେ ବିରୋଧ କରିଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ଯଦି ଏହି ଦୁଇ କାର୍ଯ୍ୟ ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ କରାଯାଇଛି, ତାହା ଯଦି ଏତେ ଖରାପ ଲାଗୁଛି, ତେବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତସାହାସ ଦେଖାଇ ଏହାକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ । ନିଜ ଦଳର ନିର୍ବାଚନୀ ଇସ୍ତାହାରରେ ଏହାକୁ ଉଲ୍ଲେଖ କରିବାକୁ ଯେଉଁ ଆହ୍ୱାନ ବିଜେଡି ଦେଇଛି, ତାକୁ ଗ୍ରହଣ କରିବାର ସତସାହାସ ଦେଖାନ୍ତୁ ଶ୍ରୀ ପ୍ରଧାନ ।

ପୂର୍ବରୁ ବିଏସକେୱାଇ ବିରୋଧରେ ମଧ୍ୟ ସେ ଅନେକ ବିଷୋଦଗାର କରୁଥିଲେ । ହେଲେ ଆମେ ବିଏସକେୱାଇ ବନ୍ଦ କରିବା ନେଇ ପ୍ରତିଶ୍ରୁତି ଦେବାକୁ ଆହ୍ୱାନ ଦେବା ପରେ ସେ ଚୁପ୍ ହୋଇଗଲେ, ଆଉ ସେ ବିଏସକେୱାଇ କଥା ଉଠାଉନାହାନ୍ତି । ସମସ୍ତେ ଜାଣିଛନ୍ତି ଅଭ୍ୟାସଗତ ଭାବେ ଶ୍ରୀ ପ୍ରଧାନ ବାରମ୍ବାର ମିଛ କୁହନ୍ତି, ଯେଉଁଥିପାଇଁ ଲୋକେ ତାଙ୍କୁ ସୁପର ମିଛୁଆ ବୋଲି କହିବା ଆରମ୍ଭ କଲେଣି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଭୋଟ୍ ରାଜନୀତି ପାଇଁ ସେ ଯାହା ତାହା କହିପାରନ୍ତି ଆଉ ମନଇଛା ପ୍ରତିଶ୍ରୁତି ବି ଦେଇପାରନ୍ତି । ଓଡିଶାବାସୀ ତାଙ୍କୁ ଚିହ୍ନିଗଲେଣି । ଚଳିତ ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.