ସ୍ୱାସ୍ଥ୍ୟ ବିଭାଗରେ ଲାଞ୍ଚ ମାମଲା ନେଇ ଅଭିଯୋଗ କଲା କଂଗ୍ରେସ; ସଂପୃକ୍ତ ଫାର୍ମାସିଷ୍ଟଙ୍କୁ ବହିଷ୍କାର ଓ ସିଡିଏମଓଙ୍କ ବଦଳି ଦାବି କଲା କଂଗ୍ରେସ

ମାଲକାନଗିରି ,୨୩/୧୧: ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗର ନିଯୁକ୍ତିରେ ପାର୍ଥିଙ୍କ ଠାରୁ ଲାଞ୍ଚ ନିଆଯାଇଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ। ପ୍ରକାଶ ଥାଉକି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ୮ଟି ବର୍ଗର ପଦବୀ ପାଇଁ ମିଶନ ନିର୍ଦେଶକ ସର୍ଭିସ ପ୍ରୋଭାଇଡେର ମାଧ୍ୟମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ସେଥିରେ ମେଡ଼ିକାଲ ରେକର୍ଡ଼ ଆସିଷ୍ଟାଣ୍ଡ ଓ ଏଏନଏମ ପଦବୀ ଆଦୌ ଉଲ୍ଲେଖ ନଥିଲା କିମ୍ବା କେଉଁ ପଦବୀରେ କେତେ କର୍ମଚାରୀ ନିଯୁକ୍ତି ପାଇବେ ତାହା ମଧ୍ୟ ଉଲ୍ଲେଖ ନଥିଲା। କିନ୍ତୁ ସିଡ଼ିଏମଓଙ୍କ କାର୍ଯ୍ୟାଳୟ ତରଫରୁ ୯ ଜଣ ରେକର୍ଡ ଆସିଷ୍ଟାଣ୍ଡ, ୮ ଜଣ ଏଏନଏମ ଓ ୨୭ ଜଣ ଷ୍ଟାଫ ନର୍ସକୁ ନେଇ ମୋଟ ୪୬ ଜଣଙ୍କୁ ନିଯୁକ୍ତି ଦେଇଛି ଶକ୍ତି ସିକ୍ୟୁରୀଟି ଏଜେନ୍ସି। ତେବେ ବିଜ୍ଞାପନରେ ଏନେଇ କୌଣସି ପ୍ରକାଶିତ କରାଯାଇନଥିବା ବେଳେ ରେକର୍ଡ ଆସିଷ୍ଟାଣ୍ଡ ଏବଂ ଏଏନଏମକୁ କିପରି ନିଯୁକ୍ତି ଦିଆଗଲା ତାହା ତଦନ୍ତ ସାପେକ୍ଷ ବୋଲି କଂଗ୍ରେସ ଅଭିଯୋଗ କରିଛି। ସମସ୍ତ ପଦବୀ ପାଇଁ ସମୁଦାୟ ୪୬ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛି। ତେବେ କଂଗ୍ରେସ ଗୁରୁତର ଅଭିଯୋଗ ଆଣି କହିଛି ଫାର୍ମାସିଷ୍ଟ ମନୋଜ ବାରିକ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପରୋକ୍ଷ ଭାବରେ ସମ୍ପୃକ୍ତ ରହିଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନଥିବାରୁ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି। ତୁରନ୍ତ ଫାର୍ମାସିଷ୍ଟ ଶ୍ରୀ ବାରିକଙ୍କ ଚାକିରୀରୁ ବହିଷ୍କାର ଏବଂ ସିଡିଏମଓଙ୍କୁ ମାଲକାନଗିରିରୁ ବଦଳି କରିବା ସହ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାନଗଲେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଚେତାବନୀ ଦେଇଛନ୍ତି। କଂଗ୍ରସ ତରଫରୁ ଜି ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପଦ୍ମ ପାଙ୍ଗି, ପ୍ରାଣ କୃଷ୍ଣ ମଣ୍ଡଳ, ରହିମ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.