କାମ ଆରମ୍ଭରୁ ଯନ୍ତ୍ରୀଙ୍କ ଦେଖା ନାହିଁ, ନିମ୍ନ ମାନର କାମ ନେଇ ଅଭିଯୋଗ

ପଡିଆ, ୩୦/୧୨: ରାସ୍ତା କାମ ଆରମ୍ଭରୁ ଯନ୍ତ୍ରୀ ଠିକ୍ ଭାବେ ଆସୁନାହାନ୍ତି, ଆଉ ଏବେ ମରାମତି ବେଳେବି ଯନ୍ତ୍ରୀଙ୍କ ପାଦ ପଡୁନି। ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାମର ମାନକୁ ନେଇ ଅଭିଯୋଗ ଶୁଣିବାକୁ କେହି ବାବୁ ପହଞ୍ଚୁ ନାହାନ୍ତି ମାଲକାନଗିରି ପଡିଆ ବ୍ଲକର ଆଦିବାସୀ ଅଧ୍ୟୁଷିତ ଭେଞ୍ଚନପଲ୍ଲୀ ଗ୍ରାମରେ । ଯାହା ଫଳରେ ଆଜି ଆକ୍ରୋଶ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଗତ କିଛି ବର୍ଷ ପୂର୍ବେ କାଲିମେଳା ପଡିଆ ମୁଖ୍ୟ ରାସ୍ତା ଠାରୁ ଭେଞ୍ଚନପଲ୍ଲୀ ଗ୍ରାମକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୨ ପକ୍ଷରୁ ଠିକାଦାର ପ୍ରଦୀପ କୁମାର ମଜୁମଦାରଙ୍କ ଦ୍ଵାରା ୧ କିମି ୭୫୦ ମିଟର ରାସ୍ତା ନିର୍ମାଣ ହୋଇଥିଲା। ସେହି ସମୟରେ କାର୍ଯ୍ୟର ଠିକ୍ ଭାବରେ ତଦାରଖ ହୋଇ ପାରି ନଥିବା ବେଳେ ଏବେ ପୁଣି ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଵର୍ତମାନ ରାସ୍ତାର ଉଭୟ ପଟକୁ ସଫା କରାଯିବା ସହ ପିଚୁ ଉଠିଯାଇଥିବା ସ୍ଥାନରେ ପୁଣି ପିଚୁ ପକାଇ ମରାମତି କରାଯାଉଛି। ଏହା ଦେଖି ଗ୍ରାମବାସୀ କାମର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲେ। ତେବେ କାମ ଆରମ୍ଭ ହେବା ଦିନରୁ କୌଣଷି ଅଧିକାରୀ କାମର ତଦାରଖ ପାଇଁ ଆସି ନଥିବାରୁ ଶେଷରେ ଆଜି ଭେଞ୍ଚନପଲ୍ଲୀ ଗ୍ରାମବାସୀ ନିଜର ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ। ରାସ୍ତାର ମରାମତି ଆଳରେ କେବଳ ରାସ୍ତା କଡକୁ ସଫା କରାଯାଇ ନାମକୁ ମାତ୍ର ପତଳା ଆସ୍ତରଣରେ ପିଚୁ ପକାଯାଇଛି। ଝାଡୁ କଲେ ପିଚୁ ଉଠି ଯାଉଥିବାର କିଛି ଦୃଶ୍ୟ ଗ୍ରାମର କିଛି ମହିଳା ଦେଖାଇଥିଲେ। ରାସ୍ତା ନିର୍ମାଣର ମାତ୍ର କେଇଟା ମାସ ପରେ ଏହି ରାସ୍ତା ଖଣ୍ଡିଆ ଖାବରା ହୋଇଯାଇଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ମରାମତି ଓ ରକ୍ଷଣାବେକ୍ଷଣ ଆଳରେ ଠିକାଦାର ଓ ଯନ୍ତ୍ରୀ ମାନେ ଦୁର୍ନୀତି କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାମର ମାନକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଠିକାଦାର କି ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳକୁ ଆସୁନଥିବାରୁ ପରିଶେଷରେ ଆଜି ଗଣମାଧ୍ଯମ ପ୍ରତିନିଧିଙ୍କୁ ଡାକି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଥିସହ ଏହି ରାସ୍ତା ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରି ତୁରନ୍ତ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.