ପ୍ରଶାସନ ପକ୍ଷରୁ ବଡଯାତ୍ରା ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି, ୨୨/୦୨/୨୦୨୩: ପ୍ରତି ଦୁଇ ବର୍ଷରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡଯାତ୍ରା । ଏ ନେଇ ଜିଲ୍ଲାରେ ବଡଯାତ୍ରା ପୂଜା ଆରମ୍ଭ ହୋଇଯାଇଛି । ତେଣୁ ଆଜି ଉପଜିଲ୍ଲାପାଳଙ୍କ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଗଣମାଧ୍ୟମକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଯାତ୍ରାରେ ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ପାର୍କିଙ୍ଗ ନିୟମ ମାନିବା ସହ ଜ଼ିଲ୍ଲା ଏବଂ ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୨୬ ଫେବୃଆରୀରେ ଦେବାଦେବୀ ମାନେ ପଲ୍ଲୁର ଠାରେ ରାତ୍ର ରହଣି କରିବେ । ୨୭ ଫେବୃଆରୀ ପୂର୍ବାହ୍ନ ୦୮ ଘଟିକାରେ ଆନ୍ଧ୍ର-ପଲ୍ଲୁର ଅଭିମୁଖେ ଯାତ୍ରା ଆରମ୍ଭ ହେବ । ପୂର୍ବାହ୍ନ ୦୯ ଟାରେ ଓଡିଶା ପଲ୍ଲୁରରୁ ଆନ୍ଧ୍ର ପଲ୍ଲୁରକୁ ନୌକା ବିହାର ହେବ । ପୂର୍ବାହ୍ନ ୧୦ଟାରେ ଆନ୍ଧ୍ର ପଲ୍ଲୁର ଠାରୁ ତାଡ଼ିକା ରାଓ ନଦୀ ଘାଟ ଅଭିମୁଖେ ଯାତ୍ରା ହେବ । ପୂର୍ବାହ୍ନ ୧୧ଟାରେ ତାଡ଼ିକା ରାଓ ନଦୀଘାଟ ଠାରେ ଦେବାଦେବୀଙ୍କର ସ୍ନାନ ଯାତ୍ରା ହେବ। ଅପରାହ୍ନ ୦୧ଟାରେ ନଦୀଘାଟ ଠାରୁ ଆନ୍ଧ୍ର ପଲ୍ଲୁରକୁ ପ୍ରତ୍ୟାବର୍ତନ ହେବ । ଅପରାହ୍ନ ୦୨ଟାରେ ଆନ୍ଧ୍ର ପଲ୍ଲୁର ଠାରେ ଦେବାଦେବୀ ରହଣି କରିବେ ଏବଂ ଅପରାହ୍ନ ୦୩ଟାରେ ଆନ୍ଧ୍ର ପଲ୍ଲୁର ଠାରୁ ଓଡିଶା ପଲ୍ଲୁରକୁ ଦେବାଦେବୀଙ୍କ ନୌକା ବିହାର ହେବ । ଅପରାହ୍ନ ୦୪ଟାରେ ଦେବାଦେବୀ ଓଡିଶା ପଲ୍ଲୁର ଠାରେ ପହଞ୍ଚିବେ ଏବଂ ସେଠାରେ ରହଣି ହେବ । ସେହିପରି ଅପରାହ୍ନ ୦୬ଟାରେ ପଲ୍ଲୁର ଠାରୁ ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇ ଦେବାଦେବୀ ମାନ୍ୟମକୋଣ୍ଡା ଠାରେ ରହଣି ହେବ ।

ମାଲକାନଗିରି ସଦର ମହକୁମା ଠାରେ ୦୪-ମାର୍ଚ୍ଚରୁ ୦୭-ମାର୍ଚ୍ଚ ପର୍ଯ୍ୟନ୍ତ ବଡଯାତ୍ରା ପାଳନ ହେବ । ୦୪-ମାର୍ଚ୍ଚରେ କନ୍ୟାମାଝି ପୂଜାସ୍ଥଳରେ ଦେବାଦେବୀ ପୂର୍ବାହ୍ନ ୦୭ଟାରୁ ରାତ୍ର ୦୮ଟା ପର୍ଯ୍ୟନ୍ତ ପୂଜା ପାଇବେ । ଏ ନେଇ ବ୍ଲକ କାର୍ଯ୍ୟାଳୟ ରାସ୍ତା, ମାରଫେଡ ଏବଂ ଏସଏଭି ବିଦ୍ୟାଳୟ ଠାରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସେହିପରି ମାଣ୍ଡିଆଭଟା ଠାରେ ୦୪-ମାର୍ଚ୍ଚ ରାତ୍ର ୦୯ ଘଟିକାରୁ ୦୫-ମାର୍ଚ୍ଚ ରାତ୍ର ୦୮.୦୦ ଘଟିକା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲୁ ରହିବ । ଏ ନେଇ ସି ଡ଼ିଭି ଓ କାର୍ଯ୍ୟାଳୟ ଓ ଟାଉନ ହଲ ଠାରେ ପାର୍କିଙ୍ଗ କରାଯିବ । ସେହିପରି ୦୫-ମାର୍ଚ୍ଚ ପୂର୍ବାହ୍ନ ୧୦ଟାରୁ ମାଉଲି ମା ମନ୍ଦିର ଠାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ ୦୮ ମାର୍ଚ୍ଚ ପୂର୍ବାହ୍ନ ୦୪ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏଥି ନିମନ୍ତେ ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ୱରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସମସ୍ତ ଭାରି ଯାନ ଗୁଡିକ କଲେଜ ଛକରୁ କେନାଲ ଛକ ଭାୟା ପୁରୁଣା ମେଡିକାଲ ଛକ ଏବଂ ଆଈଏମଏସଟି ଛକ ହୋଇ ବାଇପାସ ରାସ୍ତା ଦେଇ ଯାତାୟାତ କରିବ । ସେହିପରି ଭକ୍ତଙ୍କ ନିମନ୍ତେ ପାନୀୟ ଜଳ, ଆମ୍ବୁଲାନ୍ସ , ଭ୍ରାମ୍ୟମାଣ ଶୌଚାଳୟ ଏବଂ ସିଲେରୁ ନଦୀରେ ଭକ୍ତଙ୍କ ଯାତାୟାତ ପାଇଁ ଜେଟିର ବ୍ୟବସ୍ଥା ନେଇ ସୂଚନା ଦିଆଯାଇଛି । ଏହି ଆଲୋଚନାରେ ଏସଡ଼ିପିଓ, ସଚିନ ପଟେଲ, ଆଈ ଆଈ ସି, ରିଗାନ କିଣ୍ଡୋ, ଅତିରିକ୍ତ ତହସିଲଦାର, ଜଗଦୀଶ କାର୍ତାମୀ, ଅଶୋକ କୁମାର ପାଲ ଏବଂ ଡ଼ିଆଈପିଆରଓ, ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.