ରାଜ୍ୟ ସରକାର ଜଙ୍ଗଲ ଆଇନ ଏବଂ ନିୟମ ପରିବର୍ତନ ନ କଲେ ଆଗାମୀ ଦିନରେ ଲୋପ ପାଇବ ଜଙ୍ଗଲ ସମ୍ପଦ

ମାଲକାନଗିରି, ତା. ୧୧.୦୩.୨୦୨୩: ଆଜି ଓଡିଶାର ଜଙ୍ଗଲ ସମ୍ପଦ ସୁରକ୍ଷାର ଆଇନ ଏବଂ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ନିୟମ ପରିବର୍ତନ ନ କଲେ ଆଗାମୀ ଦିନରେ ରାଜ୍ୟ ଜଙ୍ଗଲ ସମ୍ପଦ ଲୋପ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅବସରପ୍ରାପ୍ତ ବନାଧିକାରୀ । ଆଜି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ବନପାଳ ଅନିରୁଦ୍ଧ ଚୌଧୁରୀ, ଅଲେଖ ନାୟକ, ଶିବ ପ୍ରସାଦ ପାତ୍ର, ଏରା ସ୍ୱାମୀ, ଦୁର୍ଯ୍ୟୋଧନ ପାତ୍ର ପ୍ରକାଶ କରିଛନ୍ତି ଯେ, ରାଜ୍ୟ ସରକାର ୨୦୦୩ ମସିହାରେ ବନ ବିଭାଗର ପୁନର୍ଗଠନ କରି ଉଚ୍ଚ ପଦସ୍ଥ ପଦାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ ମଧ୍ୟ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିନାହାନ୍ତି । ଯାହା ଫଳରେ ବର୍ତମାନ ୬୭୦୦ ବନରକ୍ଷୀ ବଦବୀରୁ ରାଜ୍ୟରେ ଥିଲାବେଳେ ସେଥି ମଧ୍ୟରୁ ୩୦ ପ୍ରତିଶତ ପଦବୀ ଖାଲି ପଡିଛି, ୯୦ରୁ ଉର୍ଧ ବନରକ୍ଷୀ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ସେହିପରି ଓଡିଶାରେ ୨୧୦୦ କ୍ଷେତ୍ର ବନପାଳ ପଦବୀ ଥିଲା ବେଳେ ସେଥି ମଧ୍ୟରୁ ୨୦ ପ୍ରତିଶତ ପଦବୀ ଖାଲି ଅଛି । ୭୦ରୁ ଉର୍ଧ ବନପାଳ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ବନ ବିଭାଗ ତଥ୍ୟ ଅନୁଯାୟୀ ଓଡିଶାରେ ୬.୯୬୯.୭୧ ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ଥିବା ବେଳେ ମଧ୍ୟମ ଜଙ୍ଗଲ ୨୧,୫୫୧.୩ ବର୍ଗ କିଲୋମିଟର ଓ ଅନ୍ୟାନ୍ୟ ଜଙ୍ଗଲ ୨୩,୦୯୬.୮୭ ବର୍ଗ କିଲୋମିଟର ରହିଛି । ଓଡିଶାରେ ମୋଟ ୫୧,୬୧୮.୫୧ ବର୍ଗ କିଲୋମିଟର ଜଙ୍ଗଲ ଅଛି । ବାସ୍ତବରେ ଏହି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ପାରମ୍ପରିକ ଆଦିବାସୀ ଓ ବନବାସୀ ମାନେ ୨୦୦୬ ମସିହା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ପ୍ରାୟତଃ ଲକ୍ଷାଧିକ ହେକ୍ଟର ଜଙ୍ଗଲ ଜମିର ସତ୍ୱ ଅଧିକାର ପାଇ ସାରିଲେଣି । ୨ ଲକ୍ଷରୁ ଉର୍ଧ ବନବାସୀ ଏବେ ସେମାନଙ୍କ ଜଙ୍ଗଲ ଜମି ସତ୍ୱ ଅଧିକାର ଆବେଦନ କରିଥିବା ବେଳେ ସେମାନଙ୍କ ସତ୍ୱ ଅଧିକାର ପାଇଁ ଜଙ୍ଗଲ ଓ ରାଜସ୍ୱ ବିଭାଗ ତାଙ୍କ ପ୍ରକ୍ରକିୟା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା କରି ଜନସାଧାରଣଙ୍କୁ ଜଙ୍ଗଲ ସୁରକ୍ଷାରେ ସାମିଲ କରିବା ପାଇଁ ୨,୧୮୦୦୦ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି । ଏହି ସମିତି ଗୁଡିକୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ କମ୍ୟୁନିଟି ଘର, ମାଇକ ସେଟ୍‌, ଦରି, ଲାଇଟ୍‌, ଇତ୍ୟାଦି ବିଭିନ୍ନ ସାମଗ୍ରୀ ଲକ୍ଷ ଲକ୍ଷ ଟଙ୍କାର ବିତରଣ କରାଯିବା ସହ ସେମାନଙ୍କୁ ସଚେତନ କରିବା ପାଇଁ ସଭା ସମିତି, ଭୋଜି ଇତ୍ୟାଦିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଉଥିଲା ବେଳେ ବାସ୍ତବରେ ବନ ସଂରକ୍ଷଣ ସମିତି ଗୁଡିକ ନିଜର ଦାୟିତ୍ୱ ନ ତୁଲାଇ ଜଙ୍ଗଲ, ବନ୍ୟଜନ୍ତୁ ଓ ଜଙ୍ଗଲ ନିଆଁ ଇତ୍ୟାଦିରେ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଯାହା ଦ୍ୱାରା ଆଜି ଜଙ୍ଗଲର ଅବକ୍ଷୟ ସହ ବନ୍ୟଜନ୍ତୁ ଲୋପ ପାଇବାରେ ଲାଗିଛି । ଜଙ୍ଗଲ ନିଆଁ ଦ୍ୱାରା ଗତ ପାଞ୍ଚ ବର୍ଷରୁ ୧.୫୩.୫୫୯ ଅଞ୍ଚଳରେ ନିଆଁ ଲାଗି ୬୧୫୩୧ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି । କିନ୍ତୁ ସେହି ଅଞ୍ଚଳର ବନ ସୁରକ୍ଷା ସମିତି କିପରି ନିଆଁ ଲାଗୁଛି, କିଏ ବନ୍ୟଜନ୍ତୁ ଶିକାର କରୁଛି ଏବଂ କିଏ ପଡୁ ଚାଷ କରୁଛି ସବୁ ଜାଣିଥିଲେ ମଧ୍ୟ ତାହା ଲୋକ ଲୋଚନକୁ ନ ଆଣିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କରାନଯିବା ଦୁର୍ଭାଗ୍ୟଜନକା ୧୯୯୦ ମସିହାରେ ରାଜ୍ୟ ସରକାର ରାଜ୍ୟରେ ଯେତେ ପାହାଡିଆ ଅଞ୍ଚଳରେ ଜଙ୍ଗଲ ଅଛି ସେ ସମସ୍ତ ପାହାଡ ବନ ବିଭାଗ ଅଧୀନରେ ବୋଲି ଘୋଷଣା କରିଥିଲେ ମଧ୍ୟ ରାଜ୍ୟରେ ଅନେକ ଅଣ ସଂରକ୍ଷିତ ଜଙ୍ଗଲ ରାଜସ୍ୱ ଏବଂ ବନ ବିଭାଗ ମିଳିତ ଅଧିନରେ ଅଛି । ଏହି ଜଙ୍ଗଲ ଗୁଡିକ ମଧ୍ୟରେ ଖଣି ବିଭାଗରେ ମଧ୍ୟ ଅଧିକାର ଥିବାରୁ ବନ ବିଭାଗ ଖଣି ବିଭାଗ ଏବଂ ରାଜସ୍ୱ ବିଭାଗଙ୍କ ସମନ୍ୱୟ ଅଭାବରୁ ଅନେକ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଖଣି ଖାଦାନ ଜଙ୍ଗଲ ସମ୍ପଦକୁ ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା ଖଣି, ବିଦ୍ୟୁତ୍ ଲାଇନ୍‌, ଜଙ୍ଗଲ ଅଞ୍ଚଳରେ ରାସ୍ତା, ପୋଲ ନିର୍ମାଣ ଇତ୍ୟାଦିରେ ନଷ୍ଟ ହେଉଛି ସେହି ନଷ୍ଟକୁ ଭରଣ କରିବା ପାଇଁ କାମ୍ପା ସ୍କିମରେ ଓଡିସାରେ ରାଜସ୍ୱ ବିଭାଗ କିମ୍ବା ଜଙ୍ଗଲ ଭିତରେ ଥିବା ଜମିରେ ବୃକ୍ଷ ରୋପଣ କରାଯାଉଥିଲେ ମଧ୍ୟ ଏହି ବୃକ୍ଷ ରୋପଣ ଦାୟିତ୍ୱରେ ଥିବା ଉଭୟ ବନ ବିଭାଗ ଓ ବନ ସଂରକ୍ଷଣ ସମିତି ସୁରକ୍ଷା ଦେବାରେ ସକ୍ଷମ ହେଉନାହାନ୍ତି । ଯାହା ଦ୍ୱାରା ବୃକ୍ଷ ରୋପଣର ତିନିବର୍ଷ ପରେ ବନ ସଂରକ୍ଷଣ ସମିତି ସେହି ବୃକ୍ଷ ରୋପିତ ଅଞ୍ଚଳକୁ ସୁରକ୍ଷା ଦେଉନଥିବାରୁ ତାହା ନୂତନ ଜଙ୍ଗଲ ସୃଷ୍ଟି ହେବାରେ ବାଧା ସୃଷ୍ଟି ହେଉଛି ବେଂ ରୋପିତ ବୃକ୍ଷକୁ ସ୍ଥାନୀୟ ଲୋକମାନେ ନଷ୍ଟ କରୁଛନ୍ତି । ବର୍ତମାନ ପୃଥିବୀରେ ଜଳବାୟୁ ପରିବର୍ତନ ଘୋର ବିପଦ ସୃଷ୍ଟି କରିଛି । ଜଙ୍ଗଲ କ୍ଷୟ ଯୋଗୁଁ ଅମ୍ଲଜାନ ଅଭାବ, ମୃତିକା କ୍ଷୟ, ଭୂତଳ ଜଳ ନିମ୍ନଗାମୀ, ସହ ପ୍ରତିବର୍ଷ ତାପମାତ୍ରା ବୃଦ୍ଧି ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଜୀବଜଗତ ବିପଦ ମୁଖକୁ ଠେଲି ହେଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ କରୁଥିଲେ ମଧ୍ୟ ଏହାକୁ କିପରି ରୋକା ଯାଇପାରିବ ସେଥିପାଇଁ କୌଣସି ଯୋଜନା ପ୍ରସ୍ତୁତ କରୁନାହାନ୍ତି । ଜଣେ ସାଧାରଣ ଭୁମିହୀନ ଗରୀବ ଲୋକଙ୍କୁ ରାଜ୍ୟ ସରକାର ରାଜସ୍ୱ ବିଭାଗ ଦ୍ୱାରା ଘର ତିଆରି କରିବା ପାଇଁ ୨ ସେଂଟ ଜାଗା ଦେଉଥିବା ବେଲେ ଚାଷ ଜମି ପ୍ରାୟତଃ ଯୋଗାଇ ଦେଇପାରୁନାହାନ୍ତି । କିନ୍ତୁ ୨୦୦୬ ମସିହା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଆଦିବାସୀ ଏବଂ ବନବାସୀ ମାନଙ୍କୁ ଚାଷ ଏବଂ ଘରବାରୀ ପାଇଁ ସର୍ବାଧିକ ୧୦ ଏକର ଜଙ୍ଗଲ ଜମି ଦେଉଥିଲା ବେଳେ ଏହାର ସୁଯୋଗ ନେଇ ଆଗାମୀ ଦିନରେ ଜଙ୍ଗଲ ଜମି ସତ୍ୱ ଅଧିକାର ପାଇବା ଆଶାରେ ଅନେକ ବନାଞ୍ଚଳବାସୀ ଜଙ୍ଗଲ ନଷ୍ଟ କରି ସତ୍ୱ ଅଧିକାର ପାଇଁ ଆଶା ବାନ୍ଧିଛନ୍ତି । ବିଶେଷ କରି ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳ ନିକଟରେ ଥିବା ଜଙ୍ଗଲ ସହର ଠାରୁ ଦୂରକୁ ଘୁଞ୍ଚିବାରେ ଲାଗିଛି । ଯାହା ଫଳରେ ସହରାଞ୍ଚଳରେ ବିଶୁଦ୍ଧ ଜଳବାୟୁ ମିଳୁନାହିଁ । ଦ୍ରୁତ ଗତିରେ ଶିଳ୍ପ ଏବଂ କଂକ୍ରିଟ ରାସ୍ତା, ପକ୍କା ଘର ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ତେଣୁ ସହର ନିକଟରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଂ ସରକାର ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରି ନଥିବାରୁ ଆଗାମୀ ଦିନରେ ଏହା ଆହୁରି ବିପଦ ସୃଷ୍ଟି କରିବା ପୂର୍ବରୁ ବନ ବିଭାଗର କ୍ଷେତ୍ର କର୍ମଚାରୀ ମାନେ ନିଜ ନିଜ ଅଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା, ସହ ଜଙ୍ଗଲରେ ଖାଲି ଥିବା ସ୍ଥଳରେ ମୁଲ୍ୟବାନ ବୃକ୍ଷ ରୋପଣ କରାଯାଉଥିଲ।। କିନ୍ତୁ ଓଡିଶାରେ ପ୍ରତ୍ୟେକ ବନଖଣ୍ଡରେ କ୍ଷେତ୍ର କର୍ମଚାରୀ ମାନଙ୍କୁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ଜଙ୍ଗଲ ସୁରକ୍ଷାର ମୁଖ୍ୟ ଦାୟିତ୍ୱରୁ ସେମାନେ ବାଧ୍ୟ ହୋଇ ବିଚ୍ୟୁତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ କେବଳ ବନ ବିଭାଗକୁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି ଜଙ୍ଗଲ ସୁରକ୍ଷାରେ ନିୟୋଜିତ କରିବା ସହ ଉଜୁଡା ଜଙ୍ଗଲରୁ ବୃକ୍ଷ ରୋପଣ ନ କରି ସୁରକ୍ଷା ଦେବା ପାଇଁ କଡାକଡି ନିୟମ କରିବା ସହ ବନ ସଂରକ୍ଷଣ ସମିତି ଗୁଡିକୁ ଜଙ୍ଗଲ ସମ୍ପଦ, ବନ୍ୟଜନ୍ତୁ କ୍ଷୟକ୍ଷତି ଏବଂ ଜଙ୍ଗଲ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ଉତରଦାୟୀ କରା ଗଲେ ସେମାନେ ନିଶ୍ଚିନ୍ତ ସକ୍ରୀୟ ହେବୋ ନତୁବା କେବଳ ସରକାରଙ୍କ ଜଙ୍ଗଲ ଉନ୍ନୟନ ନିମନ୍ତେ ଲୋକାଭିମୁଖୀ ଯୋଜନାରେ ଶହ ଶହ କୋଟି ଟଙ୍କା ଖର୍ଚ କୌଣସି କାର୍ଯ୍ୟକୁ ଆସିବ ନାହିଁ ।

Leave A Reply

Your email address will not be published.