ହଟିବ ଆପାର୍ଟମେଣ୍ଟ ପଞ୍ଜିକରଣ ନେଇ ପ୍ରତିବନ୍ଧକ: ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍ ଆଣିବେ ରାଜ୍ୟ ସରକାର 

ଭୁବନେଶ୍ୱର: ଆପାର୍ଟମେଣ୍ଟ କିଣୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । ସେଲ୍ ଡିଡ୍ ପଂଜିକରଣ ନେଇ ଯେଉଁ ପ୍ରତିବନ୍ଧକ ଥିଲା ତାହା ଖୁବଶୀଘ୍ର ହଟିବାକୁ ଯାଉଛି । କାରଣ ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩ । ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ । ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଆଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହଟିବ ଆପାର୍ଟମେଂଟ ସେଲ୍ ଡିଡ୍ ପଞ୍ଜିକରଣ ପ୍ରତିବନ୍ଧକ
ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩
ଆପାର୍ଟମେଂଟ ମାଲିକଙ୍କୁ ମିଳିବ ସେମାନଙ୍କ ଅଧିକାର

ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆମେଣ୍ଡମେଂଟ ରୁଲ୍ସ-୨୦୨୧ ସ୍ଥାନରେ ଆସିବ ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ଦେବା ପରେ ଚଳିତ ଅଧିବେଶନରେ ଏହି ବିଲ୍ ଆଗତ କରିପାରନ୍ତି ରାଜ୍ୟ ସରକାର ।
ନଜର ପକାନ୍ତୁ କ’ଣ ରହିଛି ଏହି ବିଲ–

ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩:

ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆପାର୍ଟମେଂଟ ମାଲିକ ସଂଘ ଗଠନ କରାଯିବ
ମାଲିକ ସଂଘ ନାଁରେ ଆପାର୍ଟମେଂଟର କମନ୍ ଏରିଆ ଯଥା- ଷ୍ଟେୟାର୍ କେସ୍, ଖେଳ ପଡିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ପଂଜିକୃତ ହେବ
ଆପାର୍ଟମେଂଟ ଛିଡ଼ା ହୋଇଥିବା ଜମି ମଧ୍ୟ ସଂଘ ନାଁରେ କରାଯିବ
ସାଧାରଣ ସ୍ଥାନଗୁଡିକର ରକ୍ଷଣାବେକ୍ଷଣାର ଦାୟିତ୍ୱ ନେବ ସଂଘ
ପ୍ରତ୍ୟେକ ଆପାର୍ଟମେଂଟ ମାଲିକଙ୍କ ଦାୟିତ୍ୱ ସଂପର୍କରେ ସ୍ପଷ୍ଟ ପ୍ରାବଧାନ ରହିଛି

୨୦୨୧ ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆମେଣ୍ଡମେଂଟ ରୁଲ୍ସକୁ ଚ୍ୟାଲେଂଜ କରିିଥିଲେ ବିମଳେନ୍ଦୁ ପ୍ରଧାନ । ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପ୍ମେଂଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ ।

ଗତବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଂଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ମାର୍ଚ୍ଚ ୬ ତାରିଖରେ ରେରା-କମ୍ପ୍ଲିଆଂଟ ଆପାର୍ଟମେଂଟ ବିଲ୍ ଆଣିବାକୁ ହାଇକୋର୍ଟ କହିବା ପରେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ନୂଆ ବିଲ୍ ପାରିତ ହେଲେ ଆପାର୍ଟମେଂଟ ସେଲ୍ ଡିଡ୍ ପଂଜିକରଣ ନେଇ ଯେଉଁ ପ୍ରତିବନ୍ଧକ ରହିଛି ତାହା ହଟିଯିବ । ଆପାର୍ଟମେଂଟ କିଣା-ବିକା ସ୍ୱାଭାବିକ ଭାବେ ହୋଇପାରିବ । ଏବଂ ଆପାର୍ଟମେଂଟ ମାଲିକ ସେମାନଙ୍କ ଅଧିକାର ପାଇପାରିବେ । ଗୋଟିଏ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ପ୍ରାୟ ୬ ହଜାର ଆପାର୍ଟମେଂଟ ପଞ୍ଜିକରଣ ହୋଇପାରିନାହିଁ । ଫଳରେ ଉଭୟ ଗ୍ରାହକ ଓ ବିଲ୍ଡର କ୍ଷତି ସହିଛନ୍ତି ।

Leave A Reply

Your email address will not be published.