ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ନିମ୍ନମାନର ଅଭିଯୋଗ: ତଦନ୍ତ ପାଇଁ ଦାବି କଲେ ଗ୍ରାମବାସୀ

ମାଲକାନଗିରି: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମହା ଘୋଟଲା । ଅତି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ । ଯାତାୟତ ଲାଗି ଲୋକେ ହନ୍ତସନ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକରେ ଚାଲିଛି କାମ । ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ । ଉପନ୍ତାରେ ରାସ୍ତା ଫିଟାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ଗାଁକୁ ରାସ୍ତା ଫିଟିଲେ ଗାଁର ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଅଞ୍ଚଳର ବିକାଶ ଦିଗରେ ଗୁରୁତ୍ଵ ଦେଉଛନ୍ତି । କିନ୍ତୁ କେତେକ ଅସାଧୁ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ କଲାପ ଯୋଗୁଁ ଅଞ୍ଚଳର ବିକାଶ ହୋଇପାରୁନାହିଁ । ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଟଙ୍କାକୁ ସଠିକ୍ ଭାବରେ କାର୍ଯ୍ୟରେ ନ ଲଗାଇ ଅତି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଏବଂ ଖଇରପୁଟ ବ୍ଲକରେ । ମାଥିଲି ବ୍ଲକ, ଉଦୁଲିବାଡା ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ । ଜୟପୁର ଏବଂ ବାଲିମେଳା ଯାଇଥିବା ମୁଖ୍ୟ ରାସ୍ତାରୁ ପୁଜାରିଗୁଡ଼ା ଗାଁକୁ ରାସ୍ତା ନିର୍ମାଣ କରାଯାଇଛି । ରାସ୍ତା ନିର୍ମାଣର ଦୁଇ ମାସ ନ ପୂରିନି ରାସ୍ତାର ପିଚୁ ଉଠିଯାଉଛି । ରାସ୍ତା ଖାଲ କମାରେ ପରିଣତ ହେଉଛି । ଲୋକେ ଯାତାୟତ ସମୟରେ ଅନେକ ଦୁର୍ଘଟଣା ଘଟିଛି । ଏବେ କଷ୍ଟେ ମାଷ୍ଟେ ଲୋକେ ଯାତାୟତ କରୁଛନ୍ତି । ବର୍ଷା ଆସିଲେ କଥା ସାରିଲା । ସେହିପରି ଖଇରପୁଟ ବ୍ଲକର ମୁଣ୍ଡିଗୁଡ଼ା ଛକ ଠାରୁ ପୋଡଘାଟ, ଟଙ୍କମୁଣ୍ଡା ଓ କାଲାପାଲି ରାସ୍ତା କାମ ଚାଲିଛି । ଏହି ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ପୁନାର ନିର୍ମାଣ ରାସ୍ତା କାମ କରାଯାଉଛି । କିନ୍ତୁ ରାସ୍ତା କାମ ସଠିକ୍ ଭାବରେ ନ କରି ଅତି ନିମ୍ନମାନର କାମ କରାଯାଉଛି । ଏହି ରାସ୍ତାରେ ଚାରୋଟି କୋଲଭର୍ଟ ନିର୍ମାଣ କରାଯାଉଛି। ତାହା ମଧ୍ୟ ଅତି ନିମ୍ନମାନର। ହାତ ମାରିଲେ ସବୁ ଉଠିଯାଉଛି। ଅତି ନିମ୍ନମାନର ସିମେଣ୍ଟ ଓ କାଦୁଅ ବାଲି ଦ୍ଵାରା କରାଯାଇଛି କାମ । କୌଣସି ଦିନ ମଧ୍ୟ କାମ ସାଇଡ୍ କୁ ନଯାଇ ଅଫିସରେ ଥାଇ କାଗଜ ପତ୍ରରେ କାମ ତଦାରକ କରୁଛନ୍ତି ଯନ୍ତ୍ରୀ । ଯନ୍ତ୍ରୀ ଓ ଠିକାଦାରଙ୍କ ମିଳି ଭଗୋତରେ କାମ ଚାଲୁଥିବା ହେତୁ ଠିକାଦାର ତାର ମନମୁଖୀ କାମ କରି ଚାଲିଛି । ଯଦିବା ଲୋକେ ମୁଁହ ଖୋଲିଲେ ମିଳୁଛି ଧମକ । ସରକାର ଏହାକୁ ଅତି ଗୁରୁତ୍ଵ ସହ ନେଇ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.