ଚୌଦ୍ବାର କଲେଜରେ ପୋଲିସର ଛାନଭିନ: ପାଲଟା ଅଭିଯୋଗକୁ ନେଇ ପୋଲିସ ତତ୍ପରତା, ଉଭୟ ମାମଲାର ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ

କଟକ: ଆଜି ପୂର୍ବାହ୍ନରେ ଚୌଦ୍ବାର କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଚୌଦ୍ବାର ପୋଲିସ ପହଁଞ୍ଚି କାଗଜ ପତ୍ର ଟାମ୍ପରିଂ ମାମଲାର ଭାଉଚର ପାସିଂ ରେଜିଷ୍ଟରକୁ ଜବତ କରିବା ସହିତ ପାଲଟା ଅଭିଯୋଗ ଭିତ୍ତିରେ ଅଡିଟ ରିପୋର୍ଟକୁ ମଧ୍ଯ ମାଗିନେଇଛି। ଦୈନିକ ପ୍ରଗତିବାଦୀରେ ଚୌଦ୍ବାର ପୋଲିସର ନିଷ୍କ୍ରିୟତା ସମ୍ବନ୍ଧିତ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୋଲିସ ଚାର୍ଜସିଟ ଦାଖଲ ପାଇଁ ତତ୍ପର ହୋଇ ଉଠିଥିବା କୁହାଯାଉଛି।

ସୂଚନାଯୋଗ୍ଯ ଯେ ଚୌଦ୍ବାର କଲେଜର ଭୂତପୂର୍ବ କାର୍ଯ୍ଯକାରୀ ଅଧ୍ୟକ୍ଷ ଶିବ ନାରାୟଣ ରଣାଙ୍କ ବିରୁଦ୍ଧରେ ଗତ ବର୍ଷ ମାର୍ଚ୍ଚ ମାସରେ କାଗଜ ପତ୍ର ଟାମ୍ପରିଂ ଓ କ୍ଷମତାର ଦୂରୁପଯୋଗକୁ ନେଇ ଏକ  ଅଭିଯୋଗ ହୋଇଥିଲା। ପରିଚାଳନା କମିଟିର ସଭାପତି ତଥା କଟକ ସଦରର ଉପଜିଲ୍ଲାପାଳଙ୍କ ସହମତିରେ କଲେଜ ଅଧ୍ୟକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତା ଚୌଦ୍ବାର ଥାନାରେ ଏତଲା ଦେବାପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିଲା। ଥାନାଧିକାରୀ ବିରଞ୍ଚିନାରାୟଣ ପତିଙ୍କ ନିର୍ଦ୍ଦେଶକ୍ରମେ କେଶ୍ ନମ୍ବର ୧୨୬ରେ ଏତଲାଟି ପଞ୍ଜିକୃତ ହୋଇ ଦିଲ୍ଲୀପ କୁମାରଙ୍କୁ ଏହାର ତଦନ୍ତକାରୀ ଅଫିସର ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଭାରତୀୟ ପିଙ୍ଗଳ କୋଡର ଧାରା IPC) ୪୬୭,୪୬୮, ୪୭୧, ଓ ୫୦୦ ଦଫାରେ ମୋକଦ୍ଦମା ଋଜୁକରି ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ  ନିର୍ଦ୍ଦେଶ ଦେଇଥିଲେ ଥାନାଧିକାରୀ। ତଦନ୍ତକାରୀ ଅଫିସର ଦସ୍ତାବିଜ ଗୁଡ଼ିକ ଜବତ କରି ନଥିବାରୁ ଓ ଅଭିଯୋଗକାରୀଙ୍କୁ ପଚରାଉଚରା କରିନଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ସେତେବେଳେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ତେବେ ପ୍ରଗତିବାଦୀରେ ଏହାକୁ ନେଇ ଏକ ସୁବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ପୋଲିସ ସକ୍ରିୟ ହୋଇ ଉଠିବା ସହିତ ଟାମ୍ପରିଂ ମାମଲା ସହ ଆଉ ଏକ ପାଲଟା ଅଭିଯୋଗର ସାନି ତଦନ୍ତ ଆରମ୍ଭ କରିଦେଇଛି।

ଖବରରୁ ଜଣାପଡିଛି କି ଯେ ଚୌଦ୍ବାର କଲେଜର ଆର୍ଥିକ ଅନିୟମିତତା ଓ ଅର୍ଥ ତୋଷରପାତ ବିରୁଦ୍ଧରେ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ଏକ ଯାଞ୍ଚ ଚାଲିଥିଲା। ୨୦୧୪-୧୫ ଆର୍ଥିକ ବର୍ଷର ଆକାଉଣ୍ଟସ୍ ବରଷାର (ହିସାବ ରକ୍ଷକ) ଭାବେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଶିବ ନାରାୟଣ ରଣା ସେତେବଳେ ଦାୟିତ୍ବରେ ଥିଲେ। ନିଜ ବିରୁଦ୍ଧରେ କାଳେ କିଛି ଆର୍ଥିକ ଅନିୟମିତତା ପଦାକୁ ବାହାରି ଆସିବ, ସେହି ଭୟରେ ସେ କଲେଜର କିଛି ପୁରୁଣା ରେକର୍ଡକୁ ବଦଳାଇ ସେଥିରେ କିଛି ନୂଆ ବାକ୍ଯ ଯୋଡି ଦେଇଥିଲେ । ଭାଉଚର ପାସିଂ ରେଜିଷ୍ଟରକୁ ନିଜ ହାତରେ କାଟି ପୂର୍ବରୁ ଲେଖା ଯାଇଥିବା ଅର୍ଥର ପରିମାଣକୁ ମଧ୍ଯ ସେ ବଦଲାଇ ଦେଇଥିଲେ। ପୂର୍ବତନ ଅଧ୍ୟକ୍ଷ ସତ୍ୟେନ୍ଦ୍ର ନାଥ ଦାଶଙ୍କୁ ଫସାଇବା ପାଇଁ ହୋଇଥିବା ଚକ୍ରାନ୍ତ ତାଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହା ଫଳରେ ଦାଶଙ୍କ ଅଭିଯୋଗ କ୍ରମେ ଶ୍ରୀଯୁକ୍ତ ଶିବ ରଣାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦାଏର ହେବାପରେ ଅଭିଯୁକ୍ତ ଶିବ ନାରାୟଣ ରଣାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଚରାଉଚରା କରି ଥାନାରୁ ବେଲ୍ ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ତୃଟିପୂର୍ଣ୍ଣ ଅଡିଟ ରିପୋର୍ଟ ଭିତ୍ତିରେ କଲେଜ ଅର୍ଥ ତୋଷରପାତ କରିଥିବାକୁ ନେଇ ଆଉ ଏକ ଅଭିଯୋଗର ବି ସମାନ୍ତରାଳ ଭାବେ ତଦନ୍ତ ଚଳାଇଛି ଚୌଦ୍ବାର ପୋଲିସ। ଏଜି ଅଡିଟ ରିପୋର୍ଟର ଏକ କପିକୁ ମଧ୍ଯ ଆଜି ପୋଲିସ ଜବତ କରିନେଇଥିବା କୁହାଯାଉଛି।

Leave A Reply

Your email address will not be published.