ଲୋକେ ବର୍ତ୍ତମାନ ବିକଳ୍ପ ଖୋଜିଲେଣି, ସେଥିପାଇଁ ବିଜେପି ଏହି ବିକଳ୍ପ ହେବ: ମନମୋହନ ସାମଲ

ବିଜେଡିରୁ ମୁହଁ ଫେରାଇଲେଣି, ବିଜେପିକୁ ବିକଳ୍ପ ଭାବେ ବାଛି ସାରିଲେଣି ଲୋକେ । ୪ରୁ ୬ ମାସ ଅପେକ୍ଷା କରନ୍ତୁ ଦେଖିବେ କଣ ହେବ: ମନମୋହନ ସାମଲ

ଭୁବନେଶ୍ବର: ଓଡିଶା ବିଜେପିର ସଭାପତି ଭାବେ ନିଯୁକ୍ତ ହେବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଭଦ୍ରକରେ ଥିବା ବେଳେ ସେ ତାଙ୍କର ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆସନ୍ତା ନିର୍ବାଚନରେ ଓଡିଶାରେ ବିଜେପି ସରକାର କରିବେ। ଲୋକେ ବର୍ତ୍ତମାନ ବିକଳ୍ପ ଖୋଜିଲେଣି, ସେଥିପାଇଁ ବିଜେପି ଏହି ବିକଳ୍ପ ହେବ ବୋଲି ମନମୋହନ କହିଛନ୍ତି।

ସେ କହିଛନ୍ତି ଯେ, ୨୦୨୪ରେ ସରକାର ଗଢିବୁ । ସଭାପତି ଭାବେ ଦାୟିତ୍ୱ ନେଉ ନେଉ ଏଭଳି କହିଛନ୍ତି ମନମୋହନ ସାମଲ । ଲୋକେ ଏବେ ବିଜେଡିରୁ ମୁହଁ ଫେରାଇ ନେଲେଣି ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରି ସାରିଲେଣି । ଲୋକଙ୍କର ଆଶୀର୍ବାଦ ଓ ସହଯୋଗ ବଳରେ ଆମେ ପରିଶ୍ରମ କରି ଓଡ଼ିଶାବାସୀ ଚାହୁଁଥିବା ବିକଳ୍ପ ସରକାର ଗଢିବାକୁ ଚେଷ୍ଟା କରିବୁ । ଯେଉଁ ଅଭିଜ୍ଞତା ଅଛି ତାହାକୁ ପାଥେୟ କରି ପରିବର୍ତ୍ତନ ପାଇଁ ମାହୋଲ ସୃଷ୍ଟି କରିବୁ ।

ମୁଁ ସଭାପତି ଥିବା ବେଳେ ରାଜ୍ୟରେ ସରକାର ଗଢିଛୁ । ତେଣୁ ୨୦୨୪ରେ ମଧ୍ୟ ସରକାର ଗଢିବୁ । ନବୀନଙ୍କ ବିରୋଧରେ ଲଢିବା ଦରକାର ନାହିଁ । ଲୋକ ଲଢିବା ଆରମ୍ଭ କଲେଣି । ଲୋକେ ସରକାର ଆଣିବେ । ନବୀନ ବାବୁ ଏଥର ନିର୍ବାଚନ ହାରିବେ । ପୂର୍ବରୁ ଲୋକ ବିକଳ୍ପ ପାଇନଥିଲେ କିନ୍ତୁ ଗତ ନିର୍ବାଚନ ପରଠାରୁ ଲୋକେ ବିକଳ୍ପ ପାଇଗଲେଣି । ତେଣୁ ସରକାର ଗଢିବାରେ କୌଣସି ସମସ୍ୟା ରହିବନି । ପୂର୍ବରୁ କଂଗ୍ରେସ ବିରୋଧରେ ଲଢୁଥିଲୁ ଏବେ ବିଜେଡି ବିରୋଧରେ ଲଢେଇ ହେବ । ଉପକୂଳ ଓଡ଼ିଶାରେ ଲୋକେ ମନ ବଳାଇଲେଣି ସରକାର ପରିବର୍ତ୍ତନ କରିବେ ବୋଲି ।

ସାଧାରଣ ଲୋକ ଏହି ସରକାରରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି । ସେହି ଅସନ୍ତୋଷର ବିସ୍ଫୋରଣ ୨୦୨୪ରେ ହେବ । ଅସମ୍ଭବ ବୋଲି କିଛି ନାହିଁ କିନ୍ତୁ କଷ୍ଟ ହୋଇପାରେ । ଆମେ ବହୁମତ ସହ ସରକାର ଗଢିବୁ । ଓଡ଼ିଶାରେ ସରକାର ହେଉ ବୋଲି କେନ୍ଦ୍ରୀୟ ନେତା ବି ଚାହୁଁଛନ୍ତି । ରାଜ୍ୟ ସରକାର ସହ ଆମେ କୌଣସି ବୁଝାମଣା କରିନାହୁଁ । ସେମାନେ କଣ ପାଇଁ ସଂସଦରେ ସମର୍ଥନ ଦିଅନ୍ତି ତାହା ସେମାନଙ୍କୁ ପଚାରିବା କଥା ।

ମୁଁ କେବେ ମୋ ଘରେ ରହିନାହିଁ । ଆମେ ପ୍ରଚାର ପ୍ରସାରରେ ବିଶ୍ୱାସ କରୁନାହୁଁ, ଆମେ କାମରେ ବିଶ୍ୱାସ କରୁ । ଦାୟିତ୍ୱକୁ ନିର୍ବାହ କରିବା ସବୁଠୁ ବଡ କଥା । କିନ୍ତୁ ଭରସା ଅଛି ଭଗବାନ ଶକ୍ତି ଦେବେ । ୪ରୁ ୬ ମାସ ଅପେକ୍ଷା କରନ୍ତୁ, କଣ ହେବ ଦେଖିବେ । ଲୋକମାନେ ଆମକୁ ବିକଳ୍ପ ଭାବେ ବାଛି ସାରିଲେଣି । ବିଜେଡି ବିରୋଧରେ ଲଢିବାକୁ ଅନେକ ପ୍ରସଙ୍ଗ ଅଛି । ନବ ଦାସ ହତ୍ୟାକାଣ୍ଡ ଘଟଣା କଣ ଛୋଟ ପ୍ରସଙ୍ଗ କି? ନିର୍ବାଚନ ଲଢିବାକୁ ଆମେ ସବୁବେଳେ ପ୍ରସ୍ତୁତ । ନବୀନ ବାବୁଙ୍କୁ ଗଣମାଧ୍ୟମ ଏକନମ୍ବର କରିଛନ୍ତି । ବିଜେଡି ନେତା ଜାଣିଛନ୍ତି ତାଙ୍କର ଯୋଗ୍ୟତା କଣ? ତେଣୁ ଗଣମାଧ୍ୟମ ଚାହିଁଲେ ପୁଣି ତାଙ୍କୁ ଶେଷକୁ ନେଇଆସିବେ । ରାଜ୍ୟବାସୀଙ୍କର ଯେଉଁ ବିଶ୍ୱାସ ବିଜେପି ଉପରେ ଅଛି ତାହାକୁ ଅତୁଟ ରଖିବୁ । ସେହିଭଳି କାର୍ଯ୍ୟକର୍ତ୍ତା ମାନେ ସରକାର ପରିବର୍ତ୍ତନ କରିବାକୁ ସବୁ ତାକତ ଲଗାଇ ଦିଅନ୍ତୁ ବୋଲି କହିଛନ୍ତି ବିଜେପିର ନୂଆ ସଭାପତି ମନମୋହନ ସାମଲ ।

ତାଙ୍କୁ ସଭାପତି ଭାବେ ରାଷ୍ଟ୍ରୀୟ ବିଜେପି ନିଯୁକ୍ତ କରିଥିବାରୁ ସେ ସଭାପତି ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.