ଓଡ଼ିଶାରେ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ ନିପ୍ପନ୍ ଷ୍ଟିଲ୍

ଭୁବନେଶ୍ବର: ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିବ ଜାପାନୀ କମ୍ପାନି ତଥା ବିଶ୍ବର ଚତୁର୍ଥ ବୃହତ୍ତମ ଷ୍ଟିଲ କମ୍ପାନି ନିପ୍ପନ୍ ଷ୍ଟିଲ । ଏହି ଇସ୍ପାତ ପ୍ରକଳ୍ପର କ୍ଷମତା ବାର୍ଷିକ ୩୦ ନିୟୁତ ଟନ ରହିବ । ମଙ୍ଗଳବାର ଦିନ ଟୋକିଓଠାରେ ନିପ୍ପନ ଷ୍ଟିଲର ସଭାପତି ଇଜି ହାସିମୋତୋଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଗ୍ରୀନଫିଲଡ ପ୍ରକଳ୍ପ (ପରିବେଶ ଅନୁକୂଳ) ହେବ ବୋଲି ସେ କହିଛନ୍ତି ।

ଏହି ପ୍ରକଳ୍ପ ମାଧ୍ୟମରେ ଓଡିଶାକୁ ବିପୁଳ ପରିମାଣର ବିଦେଶୀ ନିବେଶ ଆସିବ ଓ ଏହା ଦ୍ବାରା ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିପ୍ପନ୍ ଷ୍ଟିଲ ସଭାପତି ହାସିମୋତୋ ଓ ତାଙ୍କ ଟିମକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୨ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୨୧ରେ ଏଏମଏନଏସ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା । ଏହି କମ୍ପାନି ହେଉଛି ଆର୍ସେଲର ମିତ୍ତନ ଓ ନିପ୍ପନ ଷ୍ଟିଲ ମଧ୍ୟରେ ଏକ ଯୁଗ୍ମ ଉଦ୍ୟୋଗ । ଏହି ପ୍ରକଳ୍ପରେ ୫୦ ହଜାର କୋଟି ଟଙ୍କାର ନିବେଶ କରାଯିବ । ସେହିପରି ଜଗତସିଂହପୁରରେ ବି ଏଏମଏନଏସ ସାତ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ସ୍ଥାପନ କରିବ ବୋଲି ପ୍ରସ୍ତାବ ରହିଛି।

Leave A Reply

Your email address will not be published.