ଅଧା ଘଣ୍ଟାରେ ଅତିକ୍ରମ ହେବ ଭୁବନେଶ୍ୱର-ପୁରୀ ଦୂରତା, ନିର୍ମାଣ ହେବ ୮ ଥାକିଆ ଏକ୍ସପ୍ରେସ ଓ୍ୱେ

•ମିଶିଯିବ ପୁରୀ-ଭୁବନେଶ୍ୱର
•୧୨୦ କିମି ବେଗରେ ଦୌଡିବ ଗାଡି
•ଜନ୍ମ ହେବ ନୂଆ ଟାଉନସିପ୍

ଭୁବନେଶ୍ୱର ୦୮/୦୪: ୬୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିବ କମର୍ସିଆଲ କରିଡର । ଜନ୍ମ ହେବ ନୂଆ ଟାଉନସିପ୍ । ମଝିରେ ରହିବ ୮ ଥାକିଆ ଏକ୍ସପ୍ରେସ ୱେ । ରାସ୍ତାର ଦୁଇ କଡ଼ରେ ନିର୍ମାଣ ହେବ ଷ୍ଟାର ହୋଟେଲ, ରେସ୍ତୋରାଁ, ଆପାର୍ଟମେଣ୍ଟ, ସପିଂ ମଲ୍‌, ପେଟ୍ରୋଲ ପମ୍ପ, ହସ୍ତତନ୍ତ ବଜାର । ପୁରୀ ଓ ଭୁବନେଶ୍ୱରକୁ ମିଶାଇ ଦେବା ପାଇଁ ଏପରି ମେଗା କମର୍ସିଆଲ କରିଡର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର ।

ଏହି ଦୁଇ ଐତିହ୍ୟ ସହରକୁ ଯୋଡ଼ି ଛିଡା ହେବ ଆଉ ଏକ ନୂଆ ଆକାଶଛୁଆଁ ଚକାଚକ୍‌ ସହର । ଯୋଜନା ଚାଲିଛି-ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟରର ସମ୍ପୂର୍ଣ୍ଣ ନୂଆ ଏକ୍ସପ୍ରେସ୍‌ ୱେ ଲମ୍ବିବ । ଏକ୍ସପ୍ରେସ୍‌ ୱେର ଉଭୟ ପାଶ୍ୱର୍ରେ ଛିଡ଼ା ହେବ କମର୍ସିଆଲ୍‌ କରିଡର, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ । ଉଭୟ ସହରର ଅନେକ ଗାଁ ତଳ ଚାଷ ଜମି ଦେଇ ଛିଡା ହେବ ନୂଆ ହାଇଫାଇ ଟାଉନସିପ ।
କୌଣସି ରାସ୍ତାର ଅଂଶବିଶେଷ ହେବନି ପ୍ରସ୍ତାବିତ ଏକ୍ସପ୍ରେୱେ । ତିଆରି ହେବ ସମ୍ପୂର୍ଣ୍ଣ ନୂଆ ରାସ୍ତା । ଏକ୍ସପ୍ରେସ୍‌ ୱେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବାହାରି ଯାଇ ସିଧା ପହଞ୍ଚିବ ପୁରୀର ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦରରେ । ଅନ୍ୟ କୌଣସି ଭିତର ରାସ୍ତା କିମ୍ବା ପୁରୁଣା ଜାତୀୟ ରାଜପଥ ସହ ମିଶିବନି । ଏହାର ଡିଜାଇନ ଏଭଳି ରହିବ, ୧୨୦ କିମି ବେଗରେ ଛୁଟିବ ଗାଡ଼ି । ମାତ୍ର ଅଧ ଘଣ୍ଟାରେ ଭୁବନେଶ୍ୱର-ପୁରୀ ଦୂରତା ଅତିକ୍ରମ କରି ହେବ ।

ସରକାରୀ ସୂଚନାରୁ ଯାହା ଜଣାପଡିଛି, ପ୍ରସ୍ତାବିତ ଏକ୍ସପ୍ରେସ ୱେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ପ୍ରଥମେ ସୁନ୍ଦରପଦା ଦେଇ ଦୟା ନଦୀ କୂଳେ କୂଳେ ଯିବ । ଧଉଳି ପାଖରେ ପୁଣି ଡାହାଣ ପାଶ୍ୱର୍କୁ ଡେଇଁବ । ଧଉଳି, ପିପିଲି ତଳେ ତଳେ ଜାତୀୟ ରାଜପଥଠାରୁ ବେଶ୍‌ ଦୂରରେ ଗତି କରିବ । ସାକ୍ଷୀଗୋପାଳ ମନ୍ଦିର ପଛ ପାଶ୍ୱର୍ ଜମି ଦେଇ ଆଗକୁ ବଢ଼ିବ । ସିଧା ଯାଇ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦରକୁ ଛୁଇଁବ । ଏହି ଯୋଜନା ନେଇ ପ୍ରାଥମିକ ସର୍ଭେ ପାଇଁ ପ୍ରସ୍ତୁତି ଚାଲିଛି ।

ମୂଳ ଯୋଜନା ଅନୁସାରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ପ୍ରାୟ ୫୫ କିମିରୁ ୬୦ କିମି ଲମ୍ବ ରାସ୍ତା ନିର୍ମାଣ ହେବ । ଏହି ୬୦ କିମି ପର୍ଯ୍ୟନ୍ତ ୧୧୦୦ ମିଟର (୧.୧ କିଲୋମିଟର) ଚଉଡ଼ାରେ ଜମି ଅଧିଗ୍ରହଣ କରିବାକୁ ପଡ଼ିବ । ବାମ ପାଶ୍ୱର୍ରେ ୪ ଲେନ୍‌ ଓ ଡାହାଣରେ ୪ ଲେନ୍‌ ଲେଖାଏଁ କରି ମୋଟ ୮ ଲେନ୍‌ ରାସ୍ତା ତିଆରି କରାଯିବ । ରାସ୍ତା ଅଂଶକୁ ବାଦ୍‌ ଦେଲେ ଉଭୟ ବାମ ଏବଂ ଡାହାଣ ପାଶ୍ୱର୍ରେ ୫୦୦ ମିଟର ଲେଖାଏଁ ଚଉଡ଼ା ଜମିରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ କମର୍ସିଆଲ୍‌ (ବ୍ୟବସାୟିକ) କରିଡର ଛିଡ଼ା କରାଯିବ ।

ଏହି କମର୍ସିଆଲ କରିଡରରେ ଗଢ଼ି ଉଠିବ ଆପାର୍ଟମେଣ୍ଟ, ତାରକା ହୋଟେଲ, ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ମାର୍କେଟ, ପାର୍କ । ଏହି କରିଡରକୁ ଟୁରିଷ୍ଟ ହବ୍‌ ରୂପ ଦିଆଯିବ । ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ, ହସ୍ତକଳା ରାସ୍ତା ପାଶ୍ୱର୍ରେ ହାତ ଠାରି ଡାକିବ । ପ୍ରାକ୍‌ ଆକଳନ ଅନୁସାରେ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଅନ୍ୟୁନ ୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ଆକଳନ କରାଯାଉଛି ।

ପ୍ରସ୍ତାବିତ ଏକ୍ସପ୍ରେସ ୱେ ପାଇଁ କେଉଁ ଅନୁଦାନରୁ ବ୍ୟୟବରାଦ ହେବ, ତାହା ଏଯାେଏଁ ସ୍ପଷ୍ଟ ହୋଇନି । ରାଜ୍ୟ ସରକାର ଜମି ଯୋଗାଇଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅର୍ଥ ଯୋଗାଇ ଦେବାକୁ ପୂର୍ବରୁ ରାଜି ହୋଇଥିଲେ । କେଉଁ ସୂତ୍ରରୁ ଅନୁଦାନ ଆଣି ପ୍ରକଳ୍ପକୁ ବାସ୍ତବ ରୂପ ଦିଆଯିବ, ସେ ନେଇ ରାଜ୍ୟ ସରକାର ବିଚାର ବିମର୍ଷ ଚଳାଇଛନ୍ତି । ବିଲ୍ଡ ଅପରେଟ ଟ୍ରାନ୍ସଫର (ବିଓଟି) ପଦ୍ଧତିରେ ପ୍ରକଳ୍ପକୁ ଆଗେଇବା ନେଇ ବିଚାର କରାଯାଉଛି । ଏହି ପଦ୍ଧତିରେ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଉଥିବା ସଂସ୍ଥା ପ୍ରଥମେ ବିନିଯୋଗ କରିବ, ତା’ ବଦଳରେ କିଛି ବର୍ଷ ପାଇଁ ସେଇ ପ୍ରକଳ୍ପରୁ ବ୍ୟବସାୟିକ ଫାଇଦା ନେବାକୁ ସଂପୃକ୍ତ ସଂସ୍ଥାକୁ ସୁଯୋଗ ଦିଆଯିବ ।

ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀ ମଧ୍ୟରେ ଦୈନିକ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଯା’ ଆସ କରୁଛନ୍ତି । ବର୍ତ୍ତମାନର ୩୧୬ ନମ୍ବର ଜାତୀୟ ରାଜପଥରେ ପୁରୀ-ଭୁବନେଶ୍ୱର ଯାତାୟତ ପାଇଁ ଗାଡ଼ିରେ ୧ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଅନେକ ସମୟରେ ଟ୍ରାଫିକରେ ନାକେଦମ ହେବାକୁ ପଡ଼ୁଛି । ଆଗାମୀଦିନରେ ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ଯୋଜନା ଥିବାବେଳେ ଏ ଦିଗରେ ପ୍ରକ୍ରିୟା ଆଗେଇଛି । ଭବିଷ୍ୟତକୁ ଆଖି ଆଗରେ ରଖି ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ହାଇଫାଇ ଏକ୍ସପ୍ରେସ ୱେ ନିର୍ମାଣ ଯୋଜନା ହେଉଛି 

Leave A Reply

Your email address will not be published.