ମୋଦୀଙ୍କୁ ଭେଟିଲେ ଜେଲେନସ୍କି: ଯୁଦ୍ଧ ମଧ୍ୟରେ ପ୍ରଥମ ଥର ସାକ୍ଷାତ କଲେ ଦୁଇ ନେତା

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି -୭ ଶିଖର ସମ୍ମିଳନୀ ପାଇଁ ଏବେ ଜାପାନର ହିରୋସୀମା ଗସ୍ତରେ ଅଛନ୍ତି।  ହିରୋସୀମାରେ ମୋଦୀ ଜି-୭ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଗତ ବର୍ଷ ଫେବୃଆରୀରେ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ପରେ ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଛି । ଆଲୋଚନାବେଳେ ମୋଦୀ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ବିଶ୍ୱ ପାଇଁ ଏକ ବଡ ପ୍ରସଙ୍ଗ । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ମୁଁ ଏହାକୁ କେବଳ ଏକ ପ୍ରସଙ୍ଗ ଭାବୁନାହିଁ  ବରଂ ମୋ ପାଇଁ ଏହା ଅର୍ଥବ୍ୟବସ୍ଥା, ରାଜନୀତି ଓ ମାନବିକତାର ପ୍ରସଙ୍ଗ । ଭାରତ ଯୁଦ୍ଧର ସମାଧାନ ପାଇଁ ଯାହା ବି କରିବାକୁ ହେବ କରିବ । ଯୁଦ୍ଧର ଯନ୍ତ୍ରଣା କ’ଣ ହୋଇଥାଏ ତାହା ଆପଣ ଆମଠାରୁ ଅଧିକ ଜାଣିଥିବେ । ୟୁକ୍ରେନ ମୋ ପାଇଁ ମାନବିକତାର ପ୍ରସଙ୍ଗ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦୁଇ ଦେଶର ବରିଷ୍ଠ କୂଟନୀତିଜ୍ଞଙ୍କ ମଧ୍ୟରେ ଅନେକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବୈଠକ ହୋଇଥିଲା। ଉଲ୍ଲେଖ ଥାଉ କି ଜାପାନର ନିମନ୍ତ୍ରଣ କ୍ରମେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ହିରୋସୀମାରେ ଥିବାବେଳେ ଆଜି ମୋଦୀଙ୍କ ସହ ଆଲୋଚନା କରିଛନ୍ତି । ଜାପାନ ଏବେ ଜି-୭ ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଏଥିରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଏବଂ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନର ପ୍ରଥମ ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପାରୋଭା ଗତ ମାସରେ ଭାରତ ଗସ୍ତରେ ଆସିଥିଲେ। ୟୁକ୍ରେନ ବିରୁଦ୍ଧରେ ଋଷର ଆକ୍ରମଣ ଆରମ୍ଭ ପରେ ୟୁକ୍ରେନ ନେତାଙ୍କ ଭାରତକୁ ଏହା ପ୍ରଥମ ଗସ୍ତ ଥିଲା। ଏହି ସମୟରେ ଝାପାରୋଭା ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏକ ଚିଠି ପ୍ରଦାନ କରିଥିଲେ। ଏହି ଚିଠିକୁ ଜେଲେନସ୍କି ମୋଦୀଙ୍କୁ ଲେଖିଥିଲେ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ ଅନେକ ଥର କଥା ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ୪ ରେ ଜେଲେନସ୍କିଙ୍କ ସହ ବାର୍ତ୍ତାଳାପରେ ମୋଦୀ କହିଥିଲେ ଯେ ୟୁକ୍ରେନ ସଙ୍କଟର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ଏବଂ ଯେକୌଣସି ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ଭାରତ ସହଯୋଗ କରିବାକୁ ସବୁବେଳେ ପ୍ରସ୍ତୁତ ଅଛି ।

ଏହି ବୈଠକ ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଜି-୭ ବୈଠକ ପାଇଁ ଜାପାନର ନିମନ୍ତ୍ରଣ ପରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନ୍ସ୍କି । ଏହି ବୈଠକ ଅବସରରେ ଅନ୍ୟ ବିଶ୍ୱ ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦୀ । ତେବେ ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଜି-୭ବୈଠକରେ ଜେଲେନ୍ସ୍କି ଓ ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ ମଧ୍ୟ ପୂର୍ବରୁ ମୋଦୀ ଅନେକ ଥର ଫୋନ ଯୋଗେ ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ପୂର୍ବରୁ ଫୋନରେ କଥା ହୋଇଥିଲେ ମୋଦୀ ।

Leave A Reply

Your email address will not be published.