ଆଜିଠୁ ୨୦୦୦ ଟଙ୍କିଆ ବଦଳ: ଶକ୍ତିକାନ୍ତ କହିଲେ- ତରବର ହୁଅନି, ଭିଡ଼ କରନି

ମୁମ୍ବାଇ: ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଓ ଜମା କରିବା ଲାଗି ଯେଉଁ ସମୟ ଦିଆଯାଇଥିଲା ତାହା ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ନୋଟ୍ ବଦଳାଇବା ଲାଗି ଚାରି ମାସ ସମୟ ଦିଆଯାଇଛି। ତରବର ହେବାର କୌଣସି କାରଣ ନାହିଁ। ଯେକୌଣସି ବ୍ୟାଙ୍କରେ ନୋଟ୍ ବଦଳ କରିହେବ। ତେଣୁ ବ୍ୟାଙ୍କରେ ଭିଡ଼ ନକରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ୨୦୦୦ ଟଙ୍କିଆ ପ୍ରତ୍ୟାହାର ହେବା ଦ୍ବାରା ଅର୍ଥନୀତି କୌଣସି ପ୍ରକାରରେ ପ୍ରଭାବିତ ହେବନି ବୋଲି ସେ କହିଛନ୍ତି। ୨୦୦୦ ଟଙ୍କିଆ ପ୍ରତ୍ୟାହାର ଘୋଷଣା ପରେ ପ୍ରଥମ ଥର ଲାଗି ସାମ୍ନାକୁ ଆସିଥିବା ଶକ୍ତିକାନ୍ତ କହିଛନ୍ତି ଯେ ମୁଦ୍ରା ପରିଚାଳନା ଆଧାରରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନିଆଯାଇଛି। ୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ପରେ ନୋଟ୍‌ ଅଭାବକୁ ଦୂର କରିବା ଲାଗି ୨୦୦୦ ଟଙ୍କିଆ ଅଣାଯାଇଥିଲା। ଏହି ନୋଟ୍‌ ଆଣିବାର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ସାଧନ ହୋଇଛି। ଏମିତିରେ ୨୦୦୦ ଟଙ୍କିଆ ନୋଟ୍ ଏହାର ଜୀବନକାଳର ଶେଷ ପାହାଚରେ ପହଞ୍ଚିସାରିଛି। ୪-୫ ବର୍ଷରେ ନୋଟ୍‌ର ଜୀବନକାଳ ଶେଷ ହୋଇଯାଏ। ଏହା ପରେ ତାହାକୁ ବଜାରରୁ ପ୍ରତ୍ୟାହାର କରାଯିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକମାନେ ବ୍ୟାଙ୍କରେ ନୋଟ୍ ଜମା କରିପାରିବେ ଓ ବଦଳାଇପାରିବେ। ଏହା ପରେ ‌କେତେ ୨୦୦୦ ଟଙ୍କିଆ ଆସିଲା ଓ କେତେ ରହିଗଲା ତାହା ଆମେ ଜାଣିପାରିବୁ ବୋଲି ଶକ୍ତିକାନ୍ତ କହିଛନ୍ତି।

ଏବେ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ନୋଟ୍ ବଦଳ କରିବାକୁ ଆସୁଥିବା ଗ୍ରାହକମାନଙ୍କ ଲାଗି ଆଶ୍ରୟ ସ୍ଥଳ ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି। ଏଥି ସହିତ ପ୍ରତିଦିନ କେତେ ୨୦୦୦ ଟଙ୍କିଆ ବଦଳ ହେଉଛି ଓ ଜମା କରାଯାଉଛି ତାହାର ତଥ୍ୟ ରଖିବାକୁ ମଧ୍ୟ ବ୍ୟାଙ୍କମାନଙ୍କୁ କୁହାଯାଇଛି। ଶକ୍ତିକାନ୍ତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଲୋକମାନେ ଯଦି କିଛି ଅସୁବିଧା ସାମ୍ନା ତାହାର ସମାଧାନ କରାଯିବ। ରିଜର୍ଭ ବ୍ୟାଙ୍କ ସ୍ଥିତି ଉପରେ ନଜର ରଖିଛି। ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ଦେଶରେ ଏବେ ଅନ୍ୟ ନୋଟ୍‌ ସବୁ ପର୍ଯ୍ୟାପ୍ତ ପରିମାଣରେ ରହିଛି। ତେଣୁ ୨୦୦୦ ଟଙ୍କିଆ ପ୍ରତ୍ୟାହାର ହେବା ଦ୍ବାରା ନୋଟ୍‌ର କୌଣସି ଅଭାବ ଦେଖାଦେବନି ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ନୁହେଁ, ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ପାଖରେ ମଧ୍ୟ ପର୍ଯ୍ୟାପ୍ତ ନୋଟ୍ ଥିବା ସେ କହିଛନ୍ତି। ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଲାଗି କୌଣସି ଅଲଗା ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ଯେତିକି ଟଙ୍କା ଜମା କରୁଥିଲେ, ‌୨୦୦୦ ଟଙ୍କିଆକୁ ବି ସେଭଳି ଜମା କରିପାରିବେ। ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜମା କଲେ ପାନ୍ ଦରକାର ପଡ଼ିବ। ଏହି ନିୟମ ସବୁ ପ୍ରକାର ନୋଟ୍‌ ଉପରେ ଲାଗୁ ହେଉଥିବା ସେ କହିଛନ୍ତି। କିଛି ଦୋକାନି ଓ ବେପାରି ୨୦୦୦ ଟଙ୍କା ଗ୍ରହଣ କରିବାକୁ ମନା କରୁଥିବା ଖବର ନଜରକୁ ଆସିଛି। ଏହି ନୋଟ୍ ଲିଗାଲ୍ ଟେଣ୍ଡର ହୋଇରହିବ। ତେଣୁ ନୋଟ୍ ଗ୍ରହଣ କରିବାକୁ ମନା ନକରିବା ଲାଗି ସେ ବେପାରିମାନଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟ ପକ୍ଷରେ, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ କହିଛନ୍ତି ଯେ ୨୦୦୦ ଟଙ୍କିଆ ବଦଳାଇବା ନେଇ କୌଣସି କଟକଣା ନାହିଁ। ଜଣେ ବ୍ୟକ୍ତି ଯେତେ ଥର ଚାହିବେ ଟଙ୍କା ବଦଳାଇପାରିବେ। ଏମିତିକି ଗୋଟିଏ ଦିନରେ ସେ ଏକାଧିକ ଥର ଟଙ୍କା ବଦଳାଇପାରିବେ ବୋଲି ସେ କହିଛନ୍ତି।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା
ନୂଆଦିଲ୍ଲୀ: ବିନା ଫର୍ମ ଓ ପରିଚୟପତ୍ରରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ଲାଗି ଦିଆଯାଇଥିବା ସୁବିଧାକୁ ବିରୋଧ କରି ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ପରିଚୟପତ୍ର ବିନା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଲାଗି ଅନୁମତି ନଦେବା ପାଇଁ ନିର୍ଦେଶ ଦେବାକୁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି।

କଳାଧନ ମହଜୁଦକାରୀଙ୍କ ପାଇଁ ରେଡ୍‌ କାର୍ପେଟ୍‌: ଚିଦମ୍ବରମ
ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାରକୁ ବୋକାମି କରିବା ସହ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ଏହା କେବଳ କଳାଧନ ରଖିଥିବା ଲୋକମାନଙ୍କ ଲାଗି ସହାୟକ ହେବ। ଏଭଳି ମହଜୁଦକାରୀମାନେ ଯେଭଳି ସୁବିଧା ନୋଟ୍ ବଦଳାଇପାରିବେ ସେଥିପାଇଁ ସେମାନଙ୍କ ଲାଗି ରେଡ୍ ପାର୍କେଟ୍‌ ବିଛାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.