ପ୍ରଥମେ ଇଞ୍ଜିନିୟରିଂ, ପରେ କ୍ରିକେଟ୍ ଆଉ ତା ପରେ ରେକର୍ଡ ବର୍ଷା: ପ୍ଲେ-ଅଫରେ କମାଲ କରିଦେଲେ ଆକାଶ ମଧୱାଲ୍

ଆଇପିଏଲ ପ୍ଲେ-ଅଫରେ ରେକର୍ଡ ବୋଲିଂ

ଚେନ୍ନାଇ: ୨୧ ବଲରେ ମାତ୍ର ୫ ରନ୍ ଆଉ ୫ଟି ମୂଲ୍ୟବାନ ୱିକେଟ୍ । ବୋଧହୁଏ, ଆଇପିଏଲ୍ ପ୍ଲେ-ଅଫ୍ ଇତିହାସରେ ନାମକରା ବୋଲରମାନେ ଯେଉଁ ରେକର୍ଡ କରିପାରିନଥିଲେ । ଜଣେ ଅନକ୍ୟାପ୍ ଖେଳାଳି ଭାବେ ଆକାଶ ମଧୱାଲ ସେହି ରେକର୍ଡ କରି ଦେଖେଇଛନ୍ତି । ପ୍ରଥମ ବୋଲର ଭାବେ ସେ ଆଇପିଏଲ୍ ପ୍ଲେ ଅଫରେ ପାଇଛନ୍ତି ୫ ୱିକେଟ୍ ସଫଳତା ।

ବୁଧବାର ଆଇପିଏଲ୍ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଆଉ ଲକ୍ଷ୍ନୈø ସୁପର ଜ୍ୟାଣ୍ଟସ୍ । ଏହି ମ୍ୟାଚରେ ଲକ୍ଷ୍ନୌକୁ ମାତ୍ ଦେଇ ଦମଦାର ବିଜୟ ହାସଲ କରିବା ସହିତ କ୍ୱାଲିଫାୟାର-୨ରେ ସ୍ଥାନ ପକ୍କା କରିଥିଲା ମୁମ୍ବାଇ । ତେବେ ଏହି ମ୍ୟାଚରେ ଆକାଶ ମଧୱାଲ କରିଥିଲେ ରେକର୍ଡ ପୂର୍ଣ୍ଣ ବୋଲିଂ । ୩ ଓଭର ୩ଟି ବଲରେ ସେ ମାତ୍ର ୫ ରନ୍ ଦେଇ ଲକ୍ଷ୍ନୌ ଟିମର ୫ଟି ୱିକେଟ୍ ନେଇଥିଲେ । ଯାହାକି ମୁମ୍ବାଇକୁ ଖାଲି ବିଜୟ ଦେଇନଥିଲା ବରଂ କ୍ୱାଲିଫାୟାର -୨ର ଟିକେଟ୍ ଦେଇଥିଲା ।

୧୯୯୩ ମସିହା ନଭେମ୍ବର ୨୫ରେ ଉତ୍ତାରାଖଣ୍ଡର ରୁଡକିରେ ଜନ୍ମ ନେଇଥିବା ଆକାଶଙ୍କ ଜୀବନ ଯେତିକି ସଂଘର୍ଷପୂର୍ଣ୍ଣ, ସେତିକି ହୃଦୟସ୍ପର୍ଶୀ । ଗତ ୪ ବର୍ଷ ତଳେ ସେ ତାଙ୍କ କ୍ରିକେଟକୁ କେବଳ ଟେନିସ୍ ବଲ ଭିତରେ ସୀମିତ ରଖିଥିଲେ । ଟେନିସ୍ ବଲରେ କ୍ରିକେଟ୍ ଖେଳୁଥିଲେ, ଆଉ ସେଇଥିରେ ସନ୍ତୁଷ୍ଟ ଥିଲେ । ତେବେ ଯେତେବେଳେ ୱାସିମ୍ ଜାଫରଙ୍କ ନଜର ଆକାଶଙ୍କ ଉପରେ ପଡିଥିଲା, ସେତେବେଳେ ଆକାଶଙ୍କ ଜୀବନ ହିଁ ବଦଳିଯାଇଥିଲା ।

୨୪ ବର୍ଷ ପର୍ଯ୍ୟନ୍ତ ଯେଉଁ ଆକାଶ ରେଡ୍ ବଲ୍ କ୍ରିକେଟ୍ ଖେଳିନଥିଲେ, ୨୦୧୯ ମସିହାରେ ସେ ଦେଇଥିଲେ ପ୍ରଥମ ଟ୍ରାଏଲ୍ । ଆଉ ତାଙ୍କର ବୋଲିଂ ଦେଖିବା ପରେ ତାଙ୍କୁ ମିଳିଲା ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବାର ସୁଯୋଗ । ୨୦୧୯ ମସିହାରେ ପ୍ରଥମ କରି ସେ ସୟଦ ମୁସ୍ତାକ ଅଲ୍ଲୀରେ ମ୍ୟାଚ୍ ଖେଳିଥିଲେ । ଆଉ ଏବେ ତାଙ୍କର ପରିଚୟ ସେ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଷ୍ଟାର ବୋଲର ।

ପାଠପଢାରେ ଇଞ୍ଜିନିୟରିଂ କରିଥିବା ଆକାଶଙ୍କର ପିଲାଟି ଦିନରୁ କ୍ରିକେଟ୍ ପ୍ରତି ବେଶ ଦୁର୍ବଳତା ଥିଲା । ଏମିତିକି ଜୁନିୟର ଇଞ୍ଜିନିୟର ଜବ୍ ଛାଡି ସେ କ୍ରିକେଟକୁ ବାଛିଥିଲେ । ତେବେ ଉତ୍ତରାଖଣ୍ଡ ତରଫରୁ କ୍ରିକେଟ୍ ଖେଳୁଥିବା ଆକାଶଙ୍କ ଜୀବନରେ ସବୁଠୁ ବଡ ପରିବର୍ତ୍ତନ ସେବେ ଆସିଥିଲା, ଯେବେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଥିଲେ ।

୨୦ ଲକ୍ଷ ଟଙ୍କା ଦେଇ ଅକ୍ସନରେ ଆକାଶଙ୍କୁ କିଣିଥିିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଚଳିତ ବର୍ଷ ସେ ଖେଳିଥିଲେ ତାଙ୍କର ପ୍ରଥମ ଆଇପିଏଲ୍ ମ୍ୟାଚ୍ । ପଞ୍ଜାବ କିଙ୍ଗସ୍ ବିରୋଧରେ ସେ ତାଙ୍କ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବାବେଳେ, ଆଜି ସୁଦ୍ଧା ୭ଟି ମ୍ୟାଚରୁ ୧୩ଟି ୱିକେଟ୍ ନେଇସାରିଲେଣି । ତେବେ ଲକ୍ଷ୍ନୌ ବିରୋଧରେ ଆକାଶ ଯେଉଁଭଳି ବୋଲିଂ କରିଛନ୍ତି । ତା ଆଜି ମୁମ୍ବାଇକୁ କ୍ୱାଲିଫାୟାର ଟିକେଟ୍ ଦେବା ସହିତ ଆକାଶଙ୍କୁ ଦେଇଛି ନୂଆ ଗୋଟେ ପରିଚୟ ।

Leave A Reply

Your email address will not be published.