ଶିମିଳିପାଳ ସୁରକ୍ଷା ଦାବି: ଭଞ୍ଜସେନାର ପଦଯାତ୍ରା

ଖୁଣ୍ଟା: ମୟୁରଭଞ୍ଜର ଗର୍ବ ଗୌରବ ବୁଲାଉଥିବା ଶିମିଳିପାଳ ଏବେ ସଙ୍କଟରେ । କେବଳ ଅଭୟାରଣ୍ୟ ସଙ୍କଟରେ ତାହା ନୁହେଁ, ବନ୍ୟଜନ୍ତୁ ମଧ୍ୟ ବିପଦରେ । ଯାହାକୁ ନେଇ ଶିମିଳିପାଳର ସୁରକ୍ଷା ଦାବିରେ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲା ବ୍ୟାପି ପଦଯାତ୍ରା ଜାରି ରଖିଛି । ଜିଲ୍ଲା ବ୍ୟାପି ପଦଯାତ୍ରା ଜାରି ରଖିଥିବା ସଂଗଠନର ସଦସ୍ୟଗଣ ରବିବାର ମଧ୍ୟାହ୍ନ ସମୟରେ ଗୋପବନ୍ଧୁ ନଗର ବ୍ଳକର ଖୁଣ୍ଟା ପୁରୁଣା ପାଣି ଛକ ପହଞ୍ଚିବା ପରେ ଯାତ୍ରୀ ଦଳଙ୍କୁ ଖୁଣ୍ଟା ବଣିକ ସଂଘ, ଖୁଣ୍ଟା ଡ୍ରାଇଭର ସଂଘର କାର୍ଯ୍ୟକର୍ତ୍ତା, ସରସ୍ବତୀ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ମାନଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ୱଳ୍ପକାଳିନ ସଭାରେ ଯାତ୍ରୀଗଣ ଶିମିଳିପାଳର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିଭିନ୍ନ ସମୟରେ ଶିକାରୀମାନଙ୍କ ଅନୁପ୍ରବେଶ ଜାରି ରହିବା, ବାଘ ଛାଲ, ହାତୀ ଦାନ୍ତ, ବନ୍ୟଜନ୍ତୁ ମାଂସ ଜବତ ହେବା ଘଟଣା, ଏପରି କି ନିକଟରେ ହାତୀ ହତ୍ୟା ଓ ଦାନ୍ତ ବିକ୍ରି କରିବା ଏବଂ ପ୍ରମାଣ ନଷ୍ଟ ପାଇଁ ଶିକାର ହାତୀକୁ ପୋଡ଼ି ଦେବା ଘଟଣାରେ ବିଭାଗୀୟ କର୍ମଚାରୀଙ୍କ ସଂପୃକ୍ତି ଥିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମଧ୍ୟ ମିଳିଥିଲା । ଯହା ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କ କାର୍ଯ୍ୟନିଷ୍ଠାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆଣିଥିଲେ । ଏପରି ସ୍ଥଳେ ଅଭୟାରଣ୍ୟର ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଦୃଷ୍ଟିରେ ରଖି ଏହି ପଦଯାତ୍ରା ଅନୁଷ୍ଠିତ ହେଉଥିବା ଯାତ୍ରୀ ଦଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.