ଓଡ଼ିଶା ଆପାର୍ଟମେଂଟ୍ ଅଧ୍ୟାଦେଶ, ଗେଜେଟ୍ ବିଜ୍ଞପ୍ତି ଜାରି: କଟକଣା ହଟିଲା,କିଣାବିକା ହେବ ଆପାର୍ଟମେଂଟ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୯ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା)  ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଂଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ୍ର ହୋଇଛି । ଏହି ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩  ସବୁ ପୁରୁଣା ଓ ନୂଆ ଆପାର୍ଟମେଂଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲଡ୍ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଂଟ ନିମନ୍ତେ ଲାଗୁ ହେବ । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଂଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ । ଆପାର୍ଟମେଂଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନର ସଦସ୍ୟ ରହିବେ ।

ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ତାରିଖରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜୁନ୍ ୨୧ତାରିଖରେ ଅନୁମୋଦନ କରିଛନ୍ତି । ମେ’ ୨୯ତାରିଖରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।

ବିଧାନସଭାର କୌଣସି ଅଧିବେଶନ ଏବେ କାର୍ଯ୍ୟକାରୀ ହେଉନଥିବାରୁ ଏହି ନୂଆ ଅଧିନିୟମକୁ ଅଧ୍ୟାଦେଶ ଜାରିଆରେ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଗତ ବିଧାନସଭା ଅଧିବେଶନ ସମୟରେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା)-୨୦୨୩ ଅଧିନିୟମ ଆଣିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାକୁ ପ୍ରତ୍ୟାହାର କରିନେବାରୁ ହଜାର ହଜାର ଘର କ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହି ଅଧ୍ୟାଦେଶରେ ଆପାର୍ଟମେଂଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଓ ବିଭିନ୍ନ ଧାରାଗୁଡ଼ିକରେ ସଂଯୋଗ ଓ ପରିବର୍ତ୍ତନ ଅଣାଯାଇଛି । ଆପାର୍ଟମେଂଟ ଓ ସାମୂହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଅଧିନିୟମରେ ବ୍ୟବସ୍ଥାରେ ରହିଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରିଏଲ ଇଷ୍ଟେଟ୍ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ,୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି ଓ ହାଇକୋର୍ଟ ମଧ୍ୟ ଆପତ୍ତି ଉଠାଇଥିଲେ । ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଂଟର ପଞ୍ଜିକରଣ ବନ୍ଦ ରହିଛି । ବିକ୍ରି କବଲା ପଞ୍ଜିକୃତ ହେଉନଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି ।

ଦୀର୍ଘଦିନ ଧରି ଏଭଳି ଅଚଳାବସ୍ଥା ଥିବାରୁ ଏହାର ସମାଧାନ ପାଇଁ ତୁରନ୍ତ ଆଇନରେ ସଂଶୋଧନ ଆବଶ୍ୟକତା   ପଡ଼ିଥିଲା । ତେଣୁ ପ୍ରଚଳିତ ଆଇନରେ ବ୍ୟାପକ ସଂଶୋଧନ ପରିବର୍ତ୍ତେ ପ୍ରଚଳିତ ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଏକ ନୂଆ ଅଧିନିୟମ ସରକାର ପ୍ରଣୟନ କରିଛନ୍ତି । ସେହି ଆଧାରରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨(ଓଡ଼ିଶା ଅଧିନୟମ ୧୯୮୪ର ଧାରା ୧) ପ୍ରତ୍ୟାହାର କରିବା ସହ ଏକ ନୂଆ ଅଧିନିୟମ(ଆକ୍ଟ) ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନୂଆ ନିୟମ ବିନା ଆପାର୍ଟମେଂଟ କ୍ରେତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବା ସମ୍ଭବପର ନଥିବାରୁ ଅଧ୍ୟାଦେଶ ଆକାରରେ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । 

Leave A Reply

Your email address will not be published.