ସୋଆରେ “ମେରା ମିଟି, ମେରା ଦେଶ” ଓ “ବିଭାଜନ ବିଭିଷୀକା ସ୍ମୃତି ଦିବସ” କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୮/୦୮: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି, ମେରା ଦେଶ” ଶୀର୍ଷକ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଛତାବର ଗ୍ରାମ ପଂଚାୟତ ଅନ୍ତର୍ଗତ ବିନ୍ଧ୍ୟଗିରି ଗ୍ରାମରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉଦ୍‌ଘାଟନ କରିଥିବା ବେଳେ ସମ୍ ନର୍ସିଂ କଲେଜ ଓ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ବିଭିନ୍ନ କିସମର ୭୫ଟି ବୃକ୍ଷରୋପଣ କରାଯାଇଥିଲା ।

ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନେ ହାତରେ ମାଟି ଦୀପ ଧରି ବସୁଧା ବନ୍ଦନା କରିଥିଲେ । ପ୍ରଫେସର ଶର୍ମା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସେହିପରି ଅଗଷ୍ଟ ୧୪ ତାରିଖ ଦିନ ସୋଆ କ୍ୟାମ୍ପସ ୨ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଉଟ୍‌ରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦେଶର ବିଭାଜନ ଓ ସେ ସମୟରେ ଘଟିଥିବା ବିଭୀଷିକାର କରୁଣ ଚିତ୍ର ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ଏହାପରେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ଶ୍ରୀ ଶ୍ୟାମଳେନ୍ଦୁ ତ୍ରିପାଠୀ ଏକ ପ୍ରଦର୍ଶନୀ ମାଧ୍ୟମରେ ସମସ୍ତଙ୍କୁ ବିଭାଜନ ବିଭୀଷିକାର ଦୃଶ୍ୟ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର କସ୍ତୁରୀ ମହାନ୍ତି, ମଧୁସ୍ମିତା ନାୟକ ,ଶାଶ୍ୱତୀ ଜେନା ଓ ଡ଼. କମଳଲୋଚନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.