ରାଜ୍ୟରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

‘ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି।’

ଭୁବନେଶ୍ୱର: ରାଜ୍ୟରେ ଆଜି ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ଦେଇ ଯା’ଆସ କରିବ।

ଏହି ସବୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ।

ବନ୍ଦେ ଭାରତ ପହଞ୍ଚୁଥିବା ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ରୋଜଗାର ମଧ୍ୟ ବଢୁଛି। ରେଲୱେ ଗରିବ ଓ ମଧ୍ୟବିତ୍ତଙ୍କ ଭରସାଯୋଗ୍ୟ ସହଯାତ୍ରୀ। ପୂର୍ବ ସରକାର ଏହାକୁ ଧ୍ୟାନ ଦେଇ ନଥିଲେ। ଆମେ କାୟା ବଦଳାଇଲୁ। ଚଳିତ ବର୍ଷ ରେଲୱେ ବଜେଟ୍ ଆଠ ଗୁଣା ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶନିବାରକୁ ଛାଡ଼ି ସବୁଦିନେ ଗଡ଼ିବ

ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ିଦେଲେ ସପ୍ତାହରେ ବାକି ୬ ଦିନ ଚାଲିବ। ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ। ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ଶେଷ କରାଯାଇଛି।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୦୫ ଘଟିକାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ସେହିପରି ରାଉରକେଲାରୁ ଦିନ ୨ଟା୧୦ରେ ଛାଡି ସେହି ଦିନ ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ | ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନମାନଙ୍କରେ ରହିବ। ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ବିଶେଷତ୍ୱ ରହିଛି। ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Leave A Reply

Your email address will not be published.