ସ୍ୱେଚ୍ଛାକୃତ ଅବସର ନେଲେ ରାଧିକା, ନଭେମ୍ବରରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ

ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ୬୦ବର୍ଷ ବୟସ ପୂରଣ କରୁଥିବାରୁ ଉକ୍ତ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ ।

ଭୁବନେଶ୍ୱର: ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ନିଜ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ରାଜ୍ୟ ସରକାର ତାଙ୍କର ଆବେଦନକୁ ଗ୍ରହଣ କରି ଫେବୃୟାରୀ ୧ ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ୬୦ବର୍ଷ ବୟସ ପୂରଣ କରୁଥିବାରୁ ଉକ୍ତ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ ।

ବିଜ୍ଞପ୍ତି ଅନୁସାରେ, ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ବି.ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଛନ୍ତି । ସର୍ବଭାରତୀୟ ସେବା ରୁଲସ-୧୯୫୮ର ରୁଲ-୧୬(୨)ର ପ୍ରାବଧାନ ଆଧାରରେ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତେବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ବର୍ଷ ପୂରଣ ଅବା ସେ ୫୦ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଛି ଓ ରାଜ୍ୟ ସରକାରଙ୍କୁ ଅତିକମରେ ୩ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାରଙ୍କ ପାଖରେ ଏହି ୩ମାସ ଅବଧିକୁ କୋହଳ କରିବାର କ୍ଷମତା ଥିବାରୁ ସରକାର ରାଧିକାଙ୍କ କ୍ଷେତ୍ରରେ ଏହି ଆବେଦନ ନିମନ୍ତେ ‘ସର୍ବନିମ୍ନ ୩ମାସ ପୂର୍ବରୁ’ ପ୍ରାବଧାନକୁ କୋହଳ କରିଛନ୍ତି । ଆଉ ତାଙ୍କୁ ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧ ଅପରାହ୍ନରୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି ।

ରାଧିକା ଗତବର୍ଷ ନଭେମ୍ବର ୮ରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସେ ରାଜ୍ୟର ପ୍ରଥମ ମହିଳା ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ରାଜ୍ୟ ସରକାର ତାଙ୍କୁ ଗତ ନଭେମ୍ବର ଶେଷ ସପ୍ତାହରେ ରାଜ୍ୟ ପୁଲିସ ରିକ୍ୟୁଟ୍ରମେଂଟ ବୋର୍ଡର ଅଧ୍ୟକ୍ଷ ସହ ଷ୍ଟେଟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ ।

ଆଉ ତାଙ୍କର ରାଜ୍ୟ ପୁଲିସ ମୁଖିଆ(ଡିଜି) ହେବା ସ୍ୱପ୍ନ ମଉଳିଯିବା ପରେ ସେ ଚାକିରିରୁ ଅବସର ନେବା ପାଇଁ ଡିସେମ୍ବର ୩୧ ଓ ପରେ ଜାନୁୟାରୀ ୧୧ରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଆବେଦନ କରିଥିଲେ । ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଗତବର୍ଷ ନଭେମ୍ବର ୮ତାରିଖରେ ସମାପ୍ତ ହେବାପରେ ସେ ସେହି ମାସ ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.