ସନ୍ଥ କବି ଭୀମଭୋଇଙ୍କ ବାଣୀ ଓ ଆଦର୍ଶ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ବର/ରେଢାଖୋଲ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି କବିତା ଆବୃତ୍ତି କରିଛନ୍ତି। ମହାମହିମା ଶ୍ରୀମ ମୁର୍ମୁ କହିଛନ୍ତି, ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଯେଉଁଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲି, ସେହିଦିନ ମଧ୍ୟ ମୁଁ ସନ୍ଥକବିଙ୍କୁ ମନେ ପକାଇଥିଲି। ଭୀମ ଭୋଇ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ବି ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ପଲାଦିନରେ ସେ ବିଲବଣରେ ଗାଈ ଚରାଉଥିଲେ। ସେ ନିଜ ଲେଖନୀରେ ଏହା ଲେଖିଛନ୍ତି। ସେ ଗାଈ ଚରାଇଲା ବେଳେ ଝରଣା ପାଣି ପିଉଥିଲେ। ଚାରିଆଡ଼େ ଗାଈମାନଙ୍କ ସହିତ ବୁଲୁଥିଲେ।

୪ ଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନ ଶନିବାର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆନୁଷ୍ଠାନିକ ଶିକ୍ଷା ବିନା ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରାଯାଇପାରେ ଓ ତାହାରି ମାଧ୍ୟମରେ ଜଗତକୁ ଦିଗ୍‌ଦର୍ଶନ ଦିଆଯାଇପାରେ ବୋଲି ଭୀମ ଭୋଇ ପ୍ରମାଣିତ କରିଛନ୍ତି। ସେ କୌଣସି ଆନୁଷ୍ଠାନିକ ଶିକ୍ଷାଦୀକ୍ଷା ନେଇ ନଥିଲେ। କିନ୍ତୁ ଗୁରୁଙ୍କ କୃପାରୁ ସେ ଦିବ୍ୟଜ୍ୟୋତି ପ୍ରାପ୍ତ ହୋଇପାରିଥିଲେ। କୁହାଯାଇଥାଏ ସେ ଜନ୍ମାନ୍ଧ ଥିଲେ। ଭୀମ ଭୋଇଙ୍କ ବାହ୍ୟ ଦୃଷ୍ଟି ସିନା ନଥିଲା। କିନ୍ତୁ ଅନ୍ତଦୃଷ୍ଟି ଥିଲା ପ୍ରଖର। ଏହି ଅନ୍ତଃ ଦୃଷ୍ଟି ବଳରେ ସେ ସବୁ ଦେଖିପାରୁଥିଲେ। ସେ ରଚନା କରିପାରିଥିଲେ ବହୁ କବିତା ଓ ଗ୍ରନ୍ଥ। ତାଙ୍କ ଦ୍ବାରା ରଚିତ କବିତା ଓ ଗ୍ରନ୍ଥ ‌ସ୍କୁଲ ଓ କଲେଜଗୁଡ଼ିକର ପାଠ୍ୟଖସଡ଼ାରେ ସାମିଲ କରାଯାଇଛି।

ମହାମହିମ କହିଛନ୍ତି, ଭୀମ ଭୋଇଙ୍କ ଦୃଷ୍ଟିରେ ଈଶ୍ବର ଅରୂପ। ତାଙ୍କର ଉଦ୍ୟମ ଯୋଗୁଁ ମହିମା ଧର୍ମ ଓଡ଼ିଶାର ଦୁରଦୂରାନ୍ତରକୁ ବ୍ୟାପିଛି। ଗୀତ ଓ କବିତା ମାଧ୍ୟମରେ ସେ ମହିମା ଧର୍ମକୁ ବ୍ୟାପିବାରେ ଉଦ୍ୟମ କରିଥିଲେ। ତାଙ୍କ ଦୃଷ୍ଟିରେ ସାନ-ବଡ଼ର ଭେଦଭାବ ନଥିଲା। କୀଟ-ପତଙ୍ଗଙ୍କୁ ମଧ୍ୟ ସେ ମନୁଷ୍ୟ ଭଳି ଦେଖୁ ଥିଲେ। ସମାଜରେ ସମାନତା ପ୍ରତିଷ୍ଠା କରିବା ଭୀମଭୋଇ ଉଦ୍ୟମ କରିଥିଲେ।

ମହାପୁରୁଷଙ୍କ ଜନ୍ମମାଟିକୁ ଗଲେ ବହୁତ ଆନନ୍ଦ ଲାଗିଥାଏ। ମଧୁବାବୁ, ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇଛି। ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥଳୀକୁ ଯାଇଛି। ଭୀମ ଭୋଇଙ୍କ ଜୀବନୀ ଓ କୃତୀ ବିଭିନ୍ନ ଭାଷାରେ ସୀମିତ ହୋଇ ରହିବ ନାହିଁ। ତାଙ୍କର ଜୀବନୀ ଓ ସାହିତ୍ୟ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଆଜି ମଧୁପୁର ଗାଁକୁ ଯାଇ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍କାଞ୍ଜଳି ଦେବାର ସୁଯୋଗ ପାଇପାରିଛି। ସନ୍ଥକବିଙ୍କ ଧ୍ବନି ମଣ୍ଡପକୁ ଯାଇଥିଲି। କନ୍ଧରା ଗାଁକୁ ଯାଇ ଭୀମ ଭୋଇଙ୍କ ଦିବ୍ୟଜ୍ୟୋତି ଓ ଜ୍ଞାନପ୍ରାପ୍ତି ପୀଠ ଦର୍ଶନ କରିଛି। କଙ୍କଡ଼ାପଡ଼ାରେ ସନ୍ଥକବିଙ୍କ ମନ୍ଦିର ଦେଖିବାର ସୁଯୋଗ ପାଇପାରିଛି। ସନ୍ଥ କବି ଯେପରି ଚାରିଆଡ଼େ ବ୍ୟାପି ରହିଛନ୍ତି। ତାଙ୍କର ଉପସ୍ଥିତି ମୁଁ ଅନୁଭବ କରୁଛି। ତାଙ୍କର ଦାୟଦ ଏଠାରେ ବହୁ ପରିମାଣରେ ଅଛନ୍ତି।

ଝାରସୁଗୁଡା ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରେଢ଼ାଖୋଲ ଅଭିମୁଖେ ଯାଇଥିଲେ ମହାମହୀମ ରାଷ୍ଟ୍ରପତି। ରେଢାଖୋଲ କଦଳୀଗଡ଼ ହେଲିପ୍ୟାଡ୍‌ରେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରୀତା ସାହୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ତା’ପରେ ହେଲିପ୍ୟାଡ ସ୍ଥଳରୁ ମଧୁପୁରକୁ ସଡ଼କ ପଥରେ ଯାଇଥିଲେ ରାଷ୍ଟ୍ରପତି।

ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ତଥା ପ୍ରାପ୍ତି ସ୍ଥାନ କୁହାଯାଉଥିବା ମଧୁପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ଵାଗତ କରିଥିଲେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ। ରାଷ୍ଟ୍ରପତି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଚଉଷଠୀ ସିଦ୍ଧଙ୍କର ଧୁନିରେ ଘୃତ ଆହୁତ କରିଥିଲେ। ତା’ପରେ ନଡ଼ିଆ ଅର୍ପଣ କରିଥିଲେ। ମହିମା ସାଧୁମାନଙ୍କ ସହ ରାଷ୍ଟ୍ରପତି କିଛି ସମୟ ଆଲୋଚନା କରିଥିଲେ। ତା’ପରେ ରାଷ୍ଟ୍ରପତି ଜ୍ଞାନପ୍ରାପ୍ତି ସ୍କୃତିପୀଠ କନ୍ଧରା ଆଶ୍ରମକୁ ଯାଇ ସ୍କୃତି କୂପରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ଚାଲିଥିବା ଧୁନିରେ ରାଷ୍ଟ୍ରପତି ଘୃତ ଢାଳି ଥିଲେ।

ଜ୍ଞାନପ୍ରାପ୍ତି ସ୍କୃତିପୀଠ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ସଡ଼କ ପଥରେ କଙ୍କନପଡା ଗାଁରେ ଥିବା ସନ୍ଥଙ୍କ ଆଶ୍ରମକୁ ଯାଇଥିଲେ। ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଘୃତ ଦୀପଦେଇ ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ କରିଥିଲେ। ତା’ପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଆଶ୍ରମ ବାହାରେ ପ୍ରବଳ ଜନ ଗହଳି ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଲୋକମାନେ ଅପେକ୍ଷା କରିଥିଲେ। ଆଶ୍ରମ ଛାଡ଼ିବା ବେଳେ ଗାଁ ଲୋକଙ୍କୁ ଭେଟିଥିଲେ। ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଆଶ୍ରମରୁ ଆସି ରେଢାଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। କିଛି ସମୟ ବିଶ୍ରମ ନେବା ପରେ ମିନି ଷ୍ଟାଡିୟମ୍‌ରେ ମହିମା ଧର୍ମ ଉପାସକଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ରୀତା ସାହୁ ମଧ୍ୟ ଯୋଗଦେଇଥିଲେ।

ଏହି ଅବସରରେ ନିଜ ଅବିଭାଷଣରେ ରାଷ୍ଟ୍ରପତି ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ସାଧନା କିପରି ସମାଜକୁ ଦିଗଦର୍ଶନ ଦେଇଛି, ତାହା ଉପରେ ଆଲୋକପାତ କରିଥିଲେ। ୩ଟି ପୀଠ ପରିଦର୍ଶନ ପରେ ସେ ଅପାର ଆନନ୍ଦ ଲାଭ କରିଛନ୍ତି ବୋଲି କହିଥିଲେ। ସନ୍ଥ କବିଙ୍କ ପ୍ରଚାର ପ୍ରସାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଆଜିର ଦିନ ସ୍କୃତିରେ ଅମ୍ଲାନ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏଥିସହ କମାଣ୍ଡାଣ୍ଟ ସ୍ତରର ୮ ଜଣ ଅଧିକାରୀ, ଅତିରିକ୍ତ Sp ପାହ୍ୟାର ୫ ଜଣ ଓ DSP ସ୍ତରର ୨୩ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱ ରହିଥିଲେ।

Leave A Reply

Your email address will not be published.