ତିନି ଜିଲ୍ଲାରେ ଲକ୍ଷ୍ମୀ ବସ୍‍ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି

ଏନଏଚ୍‍ ୫୫ରେ ଯିବାକୁ ଡରୁଛନ୍ତି ଲୋକେ
ତିନି ଜିଲ୍ଲାର ଲୋକଙ୍କୁ ଘାରିଛି ଦୁର୍ଘଟଣାର ଭୟ
ଅନ୍ୟ ରାସ୍ତା ଦେଇ ପଳାଉଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୯/୦୪/୨୦୨୪: ଭାରତର ଏକ ନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ ହେଉଛି ଓଡ଼ିଶାର ଲକ୍ଷ୍ମୀ ସେବା ଯାହା ରାଜ୍ୟର ୧୦୦% ଜିଲ୍ଲାକୁ ସଂଯୋଗ କରୁଛି । ଯେଉଁଥିରେ ବ୍ଲକ୍ ଓ ଜିଲ୍ଲାରେ ୧୬୦୦ରୁ ଅଧିକ ବସ୍ ରହିଛି ଏବଂ ୧୨୨ଟି ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ଲକ୍ଷ୍ମୀ ଏକ୍ସପ୍ରେସ୍ ବସ୍‍ ରହିଛି । ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବହେଳା ପାଇଁ ତିନି ଜିଲ୍ଲା ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଲୋକେ ଏହାର ସମ୍ପୂର୍ଣ୍ଣ ସୁଫଳ ପାଇପାରୁ ନଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୬୨,୦୦୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ସଂଯୋଗ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଲକ୍ଷ୍ମୀ ବସ୍‍ ସାହାଯ୍ୟ କରିଛି । ଯୁବକମାନଙ୍କ ପାଇଁ ୩୨,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ମହିଳା ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ୯୦୦୦ ବସ୍ ରହଣୀ ଆଶ୍ରୟସ୍ଥଳୀ ସ୍ଥାପନ କରିଛି ।

ଟିକେଟ୍ ପିଛା ମାତ୍ର ୫ ଟଙ୍କାରେ ମହିଳା, ଛାତ୍ର ଓ ଦିବ୍ୟାଙ୍ଗମାନେ ଏବେ ଗ୍ରାମୀଣ ଓଡ଼ିଶାରେ ଅତି ଆରାମରେ ଯାତ୍ରା କରିପାରୁଛନ୍ତି ଏବଂ ଜଗନ୍ନାଥ ଏକ୍ସପ୍ରେସ ଓ ଲକ୍ଷ୍ମୀ ଏକ୍ସପ୍ରେସରେ ମହିଳାମାନେ ଆଉ ୫୦% ରିହାତି ପାଇପାରୁଛନ୍ତି ।

ଅନ୍ୟପକ୍ଷରେ ଏନ୍‌ଏଚ୍‌-୫୫ର ଅତ୍ୟନ୍ତ ଖରାପ ସ୍ଥିତି ଯୋଗୁଁ ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଏହି ସବୁ ଭଲ କାମ ସମ୍ଭବ ହୋଇପାରୁ ନାହିଁ । ୫୫ ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମୀ ବସ୍‍ର ସୁବିଧା ସତ୍ୱେ କିପରି ସେମାନଙ୍କ ପିଠି ଯନ୍ତ୍ରଣା ଓ ଦୁର୍ଘଟଣା ଭୟ ରହୁଛି ତାହା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ରାସ୍ତା କାମ ଶେଷ କରିପାରିନାହାନ୍ତି । ଚିନ୍ତା କରନ୍ତୁ ଯଦି ୫୫ ନମ୍ବର ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ଦୁର୍ଘଟଣା ଓ ପିଠି ଯନ୍ତ୍ରଣା ନେଇ ଲୋକଙ୍କ ମନରେ ଭୟ ନଥାନ୍ତା ।

ଅବଶୋଷର କାରଣ ହେଉଛି ଶ୍ରୀ ପ୍ରଧାନ ଏଥିପ୍ରତି ଅବହେଳା କରିବା ସହିତ ଧ୍ୟାନ ଦେଇନାହାନ୍ତି । ରାଜ୍ୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ସର୍ବୋତ୍ତମ ଲକ୍ଷ୍ମୀ ବସ୍‍ ସେବା ସତ୍ତ୍ୱେ ଜାତୀୟ ରାଜପଥ-୫୫ର ଖରାପ ସ୍ଥିତି ଯୋଗୁଁ ଲକ୍ଷ ଲକ୍ଷ ମହିଳା, ଛାତ୍ର ଓ ବୟସ୍କ ଲୋକେ ହଇରାଣ ହେଉଛନ୍ତି । ବୋଧହୁଏ ଶ୍ରୀ ପ୍ରଧାନ ଏନ୍‌ଏଚ୍‌-୫୫ ନୁହେଁ, ଅନ୍ୟ କୌଣସି ରାସ୍ତା ଦେଇ ଯାତାୟାତ କରୁଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave A Reply

Your email address will not be published.