ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ବଡ଼ଚଣାରୁ ନିର୍ବାଚନ ଲଢିବେ ବର୍ଷା ପ୍ରିୟଦର୍ଶିନୀ 

ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି।

ଭୁବନେଶ୍ୱର: ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି। ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ ୧୩୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ା, କେନ୍ଦୁଝରର ବିବାଦୀୟ ନେତା ସନାତନ ମହାକୁଡ଼ଙ୍କୁ ଚମ୍ପୁଆ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଆସନରୁ ପ୍ରାର୍ଥୀ କରିଛି।

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ବଡ଼ଚଣାର ନେତା ଅମର ଶତପଥୀଙ୍କୁ କାଟି ସେଠାରୁ ବର୍ଷାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ସିମୁଳିଆରୁ ସୁବାସିନୀ ସାହୁ ଓ ରେମୁଣାରୁ ବିଦୁସ୍ମିତା ମହାଳିକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ।

ଏଯାବତ ବିଜେଡି ୨୮ ମହିଳାଙ୍କୁ ପ୍ରାର୍ଥୀ କରି ନିଜ ମହିଳା କାର୍ଡ ଖେଳିବାକୁ ଚେଷ୍ଟା କରିଛି। ଆଜି ଘୋଷଣା ହୋଇଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୪ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ତେଣୁ ଏଯାବତ ଷଷ୍ଠ ପର୍ଯ୍ୟାୟ ତାଲିକା ସୁଦ୍ଧା ବିଜେଡି ୩୨ ମହିଳାଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଟିକେଟ ଦେଇ ସାରିଲାଣି।

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ବିଧାୟକଙ୍କ ଟିକେଟ କଟିଛି। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସମେତ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଲା । ଏଥିସହ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରାଙ୍କୁ ଚଳିତ ନିର୍ବାଚନରେ ଟିକେଟ ମିଳି ନ ଥିବା ବେଳେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଇନି ଦଳ ।

Leave A Reply

Your email address will not be published.