ରାଧାରାଣୀଙ୍କ ଅମାନତ ରହିଲାନି: ବିଜେପି ପାଇଁ ସତର୍କ ଘଣ୍ଟି, କଂଗ୍ରେସକୁ ଆଶ୍ୱସ୍ତି

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି । ୨୦୧୭ ପଂଚାୟତ ନିର୍ବାଚନ ପରଠୁ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ପାଲଟିଥିଲେ ମଧ୍ୟ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ଅମାନତ ରଖିବାରେ ସକ୍ଷମ ହୋଇପାରିନାହାନ୍ତି । ଯାହାକି ରାଜ୍ୟ ବିଜେପି ପାଇଁ ସତର୍କ ଘଣ୍ଟି ହୋଇଛି ଓ କଂଗ୍ରେସ ପାଇଁ ଆଶ୍ୱସ୍ତି ଓ ଉତ୍ସାହପ୍ରଦ ଫଳାଫଳ ଆଣିଛି ।ସୂଚନା ଅନୁସାରେ, ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୧ଲକ୍ଷ ୫୩ହଜାର ୩୯୮ଟି ବୈଧ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ଅଳକାଙ୍କ ସପକ୍ଷରେ ୯୩୯୫୩ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭୮୩୧ଖଣ୍ଡ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୨୬୩୦ଖଣ୍ଡ ଭୋଟ୍ ମିଳିଛି । ଅନ୍ୟ ୮ଜଣ ପ୍ରାର୍ଥୀଙ୍କୁ ସର୍ବମୋଟ ୮୯୮୪ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ଅଳକା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କଠୁ ୬୬୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୫୮(୪) ଅନୁସାରେ ଯଦି କୌଣସି ପ୍ରାର୍ଥୀ ମୋଟ ଭୋଟ(ସବୁ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଥିବା ଭୋଟ)ର ଏକ ଷଷ୍ଠାଂଶ(୧/୬) ଭୋଟ୍ ପାଇବାରେ ବିଫଳ ରୁହନ୍ତି ତା’ହେଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହେବ । ସେହି ଆଧାରରେ ବ୍ରଜରାଜନଗରରେ ମୋଟ ୧ଲକ୍ଷ ୫୩ହଜାର ୩୯୮ଖଣ୍ଡ ବୈଧ ଭୋଟ୍ ଥିବାବେଳେ ଅମାନତ ରଖିବା ପାଇଁ ୨୫୫୬୬ଖଣ୍ଡ ଭୋଟର ଆବଶ୍ୟକତା ରହିଛି । ମାତ୍ର ବିଜେପି ପ୍ରାର୍ଥୀ ରାଧାରାଣୀଙ୍କ ସପକ୍ଷରେ ୨୨୬୩୦ଖଣ୍ଡ ଭୋଟ୍ ପଡ଼ିଛି । ଯାହାକି ସିଧାସଳଖ ତାଙ୍କର ଜମାନତ ରାଶି ଜବତ ହୋଇଥିବା ସ୍ପଷ୍ଟ କରୁଛି । ଆଉ କଂଗ୍ରେସ ପ୍ରାର୍ଥୀ ନିଜର ଜମାନତ ରଖିବାରେ ସକ୍ଷମ ହୋଇଛନ୍ତି । ଆଉ ଏହି ନିର୍ବାଚନୀ ଫଳାଫଳ ହିଁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି ଓ ଅସ୍ତତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ସଞ୍ଜିବନୀ ସଦୃଶ ହୋଇଛି ।ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକ ଯଥା-ବିଜେପୁର, ବାଲେଶ୍ୱର ଓ ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ରଖିବାରେ ସକ୍ଷମ ହୋଇନଥିବାବେଳେ କେବଳ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ସମ୍ମାନଜନକ ଲଢ଼େଇ ଲଢ଼ିଥିଲା । ଏହି ସମସ୍ତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭଲ ଭୋଟ୍ ମିଳିଥିଲେ ମଧ୍ୟ କେଉଁଠି ବି ଦଳୀୟ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇନଥିଲା । ମାତ୍ର ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଅମାନତ ନରହିବା ଦଳକୁ ଶକ୍ତ ଧକ୍କା ହୋଇଛି । ବ୍ରଜରାଜନଗର ବିଧାନସଭା ଆସନରେ ଗତ ୩ଟି ନିର୍ବାଚନରେ ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ହେଉଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୫୦ହଜାରରୁ ଅଧିକ ଭୋଟ୍ ମିଳି ଆସୁଥିଲା ।ତଥ୍ୟ ଅନୁସାରେ, ବ୍ରଜରାଜନଗର ବିଧାନସଭା ଆସନରୁ ୨୦୦୯ରେ ସୁରେଶ ପୂଜାରୀ ବିଜେପିର ପ୍ରାର୍ଥୀ ହୋଇ ୪୮୮୪୩ ଖଣ୍ଡ ଭୋଟ୍ ପାଇଥିବାବେଳେ ୨୦୧୪ରେ ରାଧାରାଣୀ ପଣ୍ଡା ୫୦୭୩୬ ଖଣ୍ଡ ଭୋଟ୍ ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ରାଧାରାଣୀଙ୍କୁ ୬୮୧୫୩ଖଣ୍ଡ ଭୋଟ୍ ମିଳିଥିଲା ଓ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ୮୦୧୫୨ଖଣ୍ଡ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ । ପ୍ରଥମଥର ପାଇଁ ବିଜେଡି ୨୦୧୯ ମସିହାରେ ସେହି ଆସନରେ ନିଜର ଖାତା ଖୋଲିଥିଲା । କିନ୍ତୁ ଚଳିତ ଉପନିର୍ବାଚନ ବିଜେପି ପ୍ରାର୍ଥୀଙ୍କୁ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ମିଳିଥିବା ଭୋଟ ପରିମାଣର ଏକ ତୃତୀୟାଂଶ ବି ନମିଳିବା ବିଜେପିର ସାଂଗଠନିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ୨୦୧୯ରେ ୭୭.୯ ପ୍ରତିଶତ ମତଦାନ ହୋଇଥିବାବେଳେ ଉପନିର୍ବାଚନରେ ପ୍ରାୟ ୬ ପ୍ରତିଶତ କମ୍ ଭୋଟିଂ ହୋଇଛି । ତଥାପି ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିବା ଓ ନିଜର ଅମାନତ ହରାଇବା ବିଜେଡି ପାଇଁ ଯେତିକି ଖୁସି ନଆଣିଛି, ତା’ ତୁଳନାରେ ରାଜ୍ୟରେ କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବା ସହ ଆଶ୍ୱସ୍ତିକର ହୋଇଛି । ମାତ୍ର ଚଳିତ ଉପନିର୍ବାଚନରେ ଦଳ ନିଜର ଅମାନତ ନରଖିବା ବିଜେପିର ରାଜ୍ୟ ସଂଗଠନକୁ ଶକ୍ତ ଧକ୍କା ଦେଇଛି ।ରାଜନୀତିକ ବିଶ୍ଲେଷକଙ୍କ ମତରେ, ଯଦିଓ ବ୍ରଜରାଜନଗର ଆସନରେ ବିଜେପିର ଭଲ୍ ଭୋଟ୍ ହାର ରହିଥିଲା । ତଥାପି ଚଳିତ ଉପନିର୍ବାଚନରେ ବିଜେପିକୁ କାହିଁକି ଏଭଳି ଶକ୍ତ ଧକ୍କା ମିଳିଲା ଓ ଭୋଟର ମୁହଁ ଫେରାଇ ନେଲେ ତା’ର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । ୟୁପିଏ-୧ ଓ ୨ ସରକାର ଅମଳରେ ବିଜେଡିକୁ ମ୍ୟାନେଜ କରିବା ପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଯେଉଁ ଫର୍ମୂଲା ଆପଣାଇ ରାଜ୍ୟରେ କଂଗ୍ରେସକୁ ତଳିତଳାନ୍ତ କରିଥିଲେ ଏବେ ବିଜେଡି ଅନୁରୂପ ଢଙ୍ଗରେ ବିଜେପି ସହ ସଲାସୁତୁରାରେ ରହିଥିବାରୁ ରାଜ୍ୟବାସୀ ବିଜେପିଠୁ ମୁହଁ ଫେରାଇ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବାରେ ଲାଗିଛନ୍ତି । ଯାହାର ପ୍ରମାଣ ବ୍ରଜରାଜନଗର ଉପନିର୍ବାଚନରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଏହି ଫଳାଫଳ ପରେ ବି ଯଦି ବିଜେପି ରାଜ୍ୟରେ ନିଜର ସ୍ଥିତି ଓ ସଂଗଠନକୁ ସଜାଡ଼ିବା ପାଇଁ ସୁଚିନ୍ତିତ ରଣନୀତି ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକରେ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଦଳକୁ କଂଗ୍ରେସ ଭଳି ରାଜ୍ୟରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଆଉ ବିଜେପିକୁ ପଛରେ ପକାଇ କଂଗ୍ରେସ ପୁଣିଥରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ପାଲଟିବାର ସମ୍ଭାବନା ବି ରହିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।

Leave A Reply

Your email address will not be published.