ସୋଆ କ୍ୟାମ୍ପସ୍‌ରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୨୫/୧୨: ରବିବାର ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।

ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା । ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।

ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା । ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫିକୁ ସ୍ୱାଗତ କରାଯାଇଥିଲା ।

ଏନ୍‌ସିସି କ୍ୟାଡେଟ୍ ଓ ସୁମା ସିକ୍ୟୁରିଟି ଏଜେନ୍ସି ର ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଟ୍ରଫିକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ପୋଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା ।

ଓଡିଶା ସରକାରଙ୍କ ସାମାଜିକ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତି ସୁଲୋଚନା ଦାଶ, ଡେପୁଟି ମେୟର ଶ୍ରୀମତି ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ଶ୍ରୀ ବିଜୟ ଅମ୍ରିତ୍ କୁଲାଙ୍ଗେ ଓ ବିଏମ୍‌ସି ର ବିଭିନ୍ନ ୱାର୍ଡର କପୋରେର୍ଟର ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ଶ୍ରୀ ପଣ୍ଡା ଟ୍ରଫିର ଏଭଳି ଅଭୁତପୂର୍ବ ସ୍ୱାଗତ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଦେବା ସହ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପର ଆୟୋଜନ କରିବା ରାଜ୍ୟର ସମ୍ମାନ ବଢାଇଛି ବୋଲି କହିଥିଲେ ।

ମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପର ଆୟୋଜନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ରୂପେ ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀ ଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।
ଏହି ବିଶ୍ୱକପ୍ ପାଇଁ ଓଡିଶା ଆସୁଥିବା ଆର୍ନ୍ତଜାତିକ ଖେଳାଳି, ଗଣମାଧ୍ୟମ ପ୍ରତିିନିଧି, କର୍ମକତା ଓ ସମର୍ଥକ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓଡିଶାବାସୀଙ୍କ କର୍ତବ୍ୟ ବୋଲି ସେ କହିଥିଲେ ।

ମେୟର ଶ୍ରୀମତି ଦାଶ ମଧ୍ୟ କହିଥିଲେ ଯେ ଚାମ୍ପିଅନସିପ୍ ସମୟ ରେ ଓଡିଶା ଆସୁଥିବା ବିଦେଶୀ କ୍ରୀଡା ପ୍ରେମୀଙ୍କୁ ଉଚିତ୍ ସାହାଯ୍ୟ ଓ ସହଯୋଗ କରିବା ସମସ୍ତଙ୍କର ଦାୟିତ୍ୱ ।

ସୋଆ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ କୁ ଟ୍ରଫି ଆସିଥିବା ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଭାରତୀୟ ଦଳ ମଧ୍ୟ ଏହି ଚାମ୍ପିୟନସିପ୍ ରେ ଉତମ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶା କରିଥିଲେ ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ର ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା । ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀକ ହକି ଷ୍ଟାଡିୟମ୍‌ରେ ଖେଳାଯିବ ।

ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପି.କେ.ସାହୁ ,ଆଇଡିଏସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ନିର୍ଦ୍ଦେଶକ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା କେ. ଶର୍ମା, ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍‌ସ ଶ୍ରୀ ଦେବପ୍ରସାଦ ଦାଶ ଓ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.