ଭିଡ଼ିଓ କନଫରେନ୍ସ ଦ୍ଵାରା କାଲିମେଳା ଗ୍ରୀଡ୍ ସବଷ୍ଟେସନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୪୫ ହଜାର ଉପଭୋକ୍ତା ହେବେ ଉପକୃତ

କାଲିମେଳା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଠାରେ ନବନିର୍ମିତ ଗ୍ରୀଡ୍ ସବଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ ୫ଟାରେ ଭିଡିଓ କନଫରେନ୍ସ ଜରୀଆରେ ଲୋକାର୍ପଣ କରିଛନ୍ତି । ଏ ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି, ଶିଳ୍ପ ଓ ଜନସାଧାରଣଙ୍କ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ର ଆବଶ୍ୟକତା ରହିଛି । ବିଦ୍ୟୁତ୍ ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାକୁ ଅଯଥାରେ ନଷ୍ଟ ନକରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଲୋକାର୍ପଣ ସମୟରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, କାଲିମେଳା ସମିତି ଅଧ୍ୟକ୍ଷା ସୁଭାସିନୀ ସୋଡି, ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ସଭାପତି ଆଡମା ରାବା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ, ସାଂସଦ ପ୍ରତିନିଧି ଇ.ଭେଙ୍କେଟ ରାଓ, ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୈମିକ, ଅପର୍ଣ୍ଣା ମଣ୍ଡଳ ଓ ମମତା ପଡିଆମି, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ବୃନ୍ଦ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ । ବହୁ ପ୍ରତିକ୍ଷିତ ଏହି ଗ୍ରୀଡ୍ ସବଷ୍ଟେସନ ଦ୍ବାରା କାଲିମେଳା ଓ ପଡ଼ିଆ ବ୍ଲକର ୪୫ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡିଛି । ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ ଲିମିଟେଡ ସଂସ୍ଥା ଦ୍ବାରା ଏହି ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରାଯାଇଥିଲା । ଯାହାର ୨୨୦/୩୩ କେ.ଭି ରହିଥିବା ବେଳେ ୬୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି । କାଲିମେଳା ଓ ପଡ଼ିଆ ବ୍ଲକର ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ଲୋ-ଭୋଲଟେଜ, ବାରମ୍ବାର ବିଦ୍ୟୁତ୍ କାଟ ଭୋଳି ସମସ୍ୟା ଦିର୍ଘ ଦିନରୁ ଭୋଗୁଥିଲେ । ଏହାର ସମାଧାନ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର କାଲିମେଳା ଅଗ୍ନିଶମ କେନ୍ଦ୍ର ନିକଟରେ ଗ୍ରୀଡ୍ ସବଷ୍ଟେସନ କାର୍ଯ୍ୟ ନିର୍ମାଣ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପରିବେଶ ମଞ୍ଜୁରୀ ମିଳିବା ବିଳମ୍ବ ଯୋଗୁଁ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କାର୍ଯ୍ୟ ସରିନଥିଲା । ବର୍ତ୍ତମାନ ଲୋକାର୍ପଣର ଖବର ପାଇ କାଲିମେଳା, ଏମଭି-୭୯, ମୋଟୁ ଓ ପଡ଼ିଆ ଅଞ୍ଚଳବାସୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.