mobile header

ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ଆମ ଆଦମୀ ପାର୍ଟି ମାଲକାନଗିରି ଜିଲ୍ଲା ସଭାପତି ଦେଶୀ ରାଜୁ ଆଚାରିଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଆରୋଖି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଏକ ଧାରଣା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି l ମିଶନ ଶକ୍ତିରେ କାମ କରୁଥିବା ସହାୟକ ଷ୍ଟାଫ ଯଥା ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଏବଂ ଏଲଏସପି ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ ଷ୍ଟାଫ ମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରୁଛି l ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ l ଫେବୃଆରୀ ୨୦ ତାରିଖରେ ପ୍ରାୟ ୨୦ ହଜାର ମିଶନ ଶକ୍ତି ସହାୟକ କର୍ମଚାରୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ l

୨୦୨୩-୨୪ ବଜେଟକୁ ଏକ ବଳକା ବଜେଟ ଅର୍ଥାତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ ତାହା ଜଣାପଡ଼ୁନାହିଁ l ଏମାନଙ୍କୁ କେବଳ ନିର୍ବାଚନରେ ପ୍ରଚାର କାମରେ ଲଗାଇବା ପାଇଁ ଏବଂ ସବୁଦିନେ ବିଜେଡି ପାଖରେ ଭୟଭୀତ କରି ରଖିବାର ଯୋଜନା ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରୁଛି l

ତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ ଆଦମୀ ପାର୍ଟି ଦାବି କରୁଛି l ଆଜି ମିଶନ ଶକ୍ତିର ସହାୟକ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବାପାଇଁ ଆପ ତରଫରୁ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଛି ବୋଲି ଆପ ଜିଲ୍ଲା ସଭାପତି ଦେଶୀ ରାଜୁ ଆଚାରି ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାରୁ ଶତାଧିକ ଆପ କର୍ମୀ ମାନେ ସାମିଲ ହୋଇଥିଲେ । ଜିଲ୍ଲା ଆପ ଉପଦେଷ୍ଟା ରବୀନ୍ଦ୍ର ନାଥ ମାଡ଼ି, ମାଥିଲି ଆପ ବ୍ଲକ ସଭାପତି ସୋନୁ କୁମାର ବିଶ୍ୱାସ, କାଲିମେଳା ଆପ ବ୍ଲକ୍ ସଭାପତି କାର୍ତ୍ତିକ ମଣ୍ଡଳ, କୋରୁକୋଣ୍ଡା ଆପ ବ୍ଲକ୍ ସଭାପତି ସୁଖ ଦେବ ଗାଇନ, ପ୍ରହଲ୍ଲାଦ ଚାଲାଣ, ବିଜୁଳି ସରକାର, ଦେଵବ୍ରତ ମଣ୍ଡଳ ଓ ପ୍ରମୁଖ ଆପ ପାର୍ଟିର ନେତୃବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.